ଦୃଷ୍ଟିବାଧିତଙ୍କ ପାଇଁ ଅତ୍ୟାଧୁନିକ ସ୍ମାର୍ଟ ଆଶାବାଡ଼ି: ୱାନ୍‌-ଟଚ୍‌ରେ ମିଳୁଛି ସବୁ ସୁବିଧା

ଚନ୍ଦ୍ରଶେଖରପୁର: ଦୃଷ୍ଟିବାଧିତ ଦିବ୍ୟାଙ୍ଗଙ୍କ ପାଇଁ ସ୍ମାର୍ଟ ଷ୍ଟିକ୍ ବା ଅତ୍ୟାଧୁନିକ ଆଶାବାଡ଼ି ନିର୍ମାଣ କରାଯାଇଛି। ଅତ୍ୟାଧୁନିକ ଜ୍ଞାନକୌଶଳରେ ତିଆରି ଏହି ସ୍ମାର୍ଟ ଷ୍ଟିକ୍‌ରେ ଜିପିଏସ୍, ଜିଏସ୍ଏମ୍, ସେଲ୍ଫ୍ ଡିଫେସନ୍ସ୍ ସୁଇଚ୍, ସ୍ମାର୍ଟ ଲାଇଟ୍, ଏସ୍ଓଏସ୍, ତ୍ରିସ୍ତରୀୟ ପ୍ରତିରୋଧକ ଚିହ୍ନଟ ବ୍ୟବସ୍ଥା ଓ କ୍ୟାମେରା ଖଞ୍ଜା ହୋଇଛି। ଏଭଳି ଆଶାବାଡ଼ି ଜଣେ ଦୃଷ୍ଟିବାଧିତ ଦିବ୍ୟାଙ୍ଗଙ୍କୁ ଦୁର୍ଘଟଣାରୁ ରକ୍ଷା କରିବା ସହ କୌଣସି ଅସାମାଜିକ ତତ୍ତ୍ବ ତାଙ୍କୁ ଆକ୍ରମଣ କଲେ, ଏହି ଆଶାବାଡ଼ି ଆକ୍ରମଣକାରୀକୁ ବିଦ୍ୟୁତ୍ ଆଘାତ ଦେବ ଓ ବାଡ଼ିରେ ଖଞ୍ଜା ହୋଇଥିବା କ୍ୟାମେରା ସମସ୍ତ ଦୃଶ୍ୟକୁ ଉତ୍ତୋଳନ କରିବ। ରମାଦେବୀ ବିଶ୍ବବିଦ୍ୟାଳୟ କମ୍ପ୍ୟୁଟର ସାଇନ୍ସ ବିଭାଗର ଅଧ୍ୟାପିକା ଡ. ଦେବବାଳା ସ୍ବାଇଁ ଏହି ନିଆରା ଆଶାବାଡ଼ି ପ୍ରସ୍ତୁତ କରିଛନ୍ତି।

ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ଓଡ଼ିଶା ରିସର୍ଚ୍ଚ କନ୍‌କ୍ଲେଭ କାର୍ଯ୍ୟକ୍ରମରେ ଡ. ସ୍ବାଇଁ ତାଙ୍କ ନିର୍ମିତ ଏହି ଅତ୍ୟାଧୁନିକ ଆଶାବାଡ଼ି ପ୍ରଦର୍ଶନ କରିଥିଲେ। ଦୃଷ୍ଟିବାଧିତ ଲୋକଙ୍କ ପାଇଁ ସ୍ବତନ୍ତ୍ର ଭାବେ ନିର୍ମାଣ କରାଯାଇଥିବା ଏହି ସ୍ମାର୍ଟ ବାଡ଼ିର ବିଶେଷତ୍ବ ବର୍ଣ୍ଣନା କରିଥିଲେ। ସାଧାରଣ ଆଶାବାଡ଼ି ଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ ବୋଲି ସେ କହିଥିଲେ। ଜଣେ ଦୃଷ୍ଟିହୀନ ଦିବ୍ୟାଙ୍ଗ ରାସ୍ତାରେ ଯାଉଥିବା ବେଳେ ନିଜ ହାତରେ ୱାନ୍ ଟଚ୍‌ରେ ଏହି ବାଡ଼ିରୁ ସବୁ ସୁବିଧା ପାଇପାରିବେ। ସଠିକ ରାସ୍ତା ଦେଖାଇବା ସହ ରାସ୍ତାରେ ଥିବା ପ୍ରତିବନ୍ଧକ ବାବଦରେ ପ୍ରାକ୍ ସୂଚନା ଦେବ। ବରିଷ୍ଠ ନାଗରିକମାନେ ବି ଏହାକୁ ବ୍ୟବହାର କରିପାରିବେ। ସେ ବୁଝାଇଥିଲେ ଯେ ଏହି ସ୍ମାର୍ଟ ଷ୍ଟିକ୍‌ରେ ଲାଗିଥିବା ସେନ୍ସର ଦୁର୍ଘଟଣା ଘଟିବା ପୂର୍ବରୁ ସୂଚନା ଦେବ। ଅନ୍ଧାର ହେଲେ ହାତ ପାଖରେ ଥିବା ବଟମ୍ ଚାପି ଦେଲେ ଲାଇଟ୍ ଜଳିବ।

ଏହାଦ୍ବାରା ସ୍ବଳ୍ପ ଦେଖାଯାଉଥିବା ଦୃଷ୍ଟିବାଧିତ ଲୋକକୁ ଅସୁବିଧା ହେବ ନାହିଁ। ବଡ଼ କଥା ହେଉଛି, ବିପରୀତ ଦିଗରୁ ଆସୁଥିବା ଲୋକଟି ଜାଣିପାରିବ। ସେହିପରି କେହି ଅସାମାଜିକ ଲୋକ କିମ୍ବା ରାସ୍ତାରେ ବୁଲା କୁକୁର ଆକ୍ରମଣ କଲେ, ଏହି ଷ୍ଟିକ୍‌ରୁ ତାକୁ ବିଦ୍ୟୁତ୍ ଧକ୍କା ଲାଗିବ। ଜିପିଏସ୍ ସିଷ୍ଟମ୍‌ ଲାଗିଥିବାରୁ ସହଜରେ ଘର ଲୋକ ମଧ୍ୟ ତାଙ୍କୁ ଟ୍ରାକ୍ କରିପାରିବେ। ବଡ଼ କଥା ହେଉଛି ଆକ୍ରମଣର ଶିକାର ହେଲେ ସେ ତୁରନ୍ତ ନିକଟସ୍ଥ ଥାନାକୁ ସୂଚନା ଦେଇପାରିବେ। ଏହାକୁ ତିଆରି କରିବା ପାଇଁ ତାଙ୍କୁ ପାଖାପାଖି ବର୍ଷେ ଲାଗିଛି ବୋଲି ସେ କହିଛନ୍ତି। ଏହାର ନିର୍ମାଣ ପାଇଁ ୭ ରୁ ୮ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ଆଗାମୀ ଦିନରେ ଫାଇନାଲ୍ ପରୀକ୍ଷା ପରେ କୌଣସି ଏକ କମ୍ପାନି ଦ୍ବାରା ତିଆରି ହେଲେ, ଲୋକମାନେ ୩ ହଜାର ଟଙ୍କାରେ କିଣିପାରିବେ ବୋଲି ଡ. ସ୍ବାଇଁ କହିଛନ୍ତି।

ସମ୍ବନ୍ଧିତ ଖବର