ଦାୟିତ୍ବ ନେ‌ଲେ ନୂଆ ପୁଲିସ କମିସନର ସୌ‌ମେନ୍ଦ୍ର ପ୍ରିୟଦର୍ଶୀ, ଅପରାଧ ନିୟନ୍ତ୍ରଣକୁ ପ୍ରାଥମିକତା

ଅଫିସରଙ୍କୁ ଦେଲେ ଗୁରୁମନ୍ତ୍ର, ବିଦାୟୀ କମିସନରଙ୍କୁ ପ୍ରଶଂସା

ଭୁବନେଶ୍ବର, ୯/୩(ଇମିସ): କଟକ-ଭୁବନେଶ୍ବର ଦ୍ବୈତନଗରୀର ନୂଆ ପୁଲିସ କମିସନର ଭାବରେ କାର୍ଯ୍ୟରେ ଯୋଗ ଦେଇଛନ୍ତି ସୌମେନ୍ଦ୍ର ପ୍ରିୟଦର୍ଶୀ। ଆଜି ବିଧିବଦ୍ଧ ଭାବରେ ସେ ଅତିରିକ୍ତ କମିସନର ରେଖା ଲୋହାନିଙ୍କଠାରୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହି ଅବସରରେ ସେ ଆଇନଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣକୁ ପ୍ରାଥମିକତା ଦେବେ ବୋଲି କହିଛନ୍ତି।

ନୂତନ ଦାୟିତ୍ବ ଗ୍ରହଣ କରିବା ପରେ ଶ୍ରୀ ପ୍ରିୟଦର୍ଶୀ କହିଲେ ଯେ ବିଦାୟୀ କମିସନର ଡ.ସୁଧାଂଶୁ ଷଡ଼ଙ୍ଗୀ ଜଣେ ଦକ୍ଷ ଅଫିସର। ଜଣେ ଦକ୍ଷ ଅଫିସରଙ୍କ ଜାଗାରେ କାମ କରିବା ସବୁବେଳେ ନୂଆ ଅଫିସରଙ୍କ ପାଇଁ ଆହ୍ବାନ ହୋଇଥାଏ। ଏଣୁ ବାକି ରହିଥିବା ସମସ୍ତ ଯୋଜନା ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରିବାକୁ ଉଦ୍ୟମ କରିବି। ଉଭୟ ସହରବାସୀଙ୍କର ଧନ ଜୀବନ ସୁରକ୍ଷା ମୁଖ୍ୟ ଲକ୍ଷ୍ୟ ହେବ। ପୁଲିସ ଉପରେ ଭରସା କରି ଲୋକମାନେ ଯେଭଳି ଶାନ୍ତିରେ ଶୋଇପାରିବେ ସେ ନେଇ କମିସନରେଟ୍‌ ପୁଲିସ ଉଦ୍ୟମ କରିବ ବୋଲି ସେ କହିଛନ୍ତି। ଏଥିପାଇଁ ସେ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି।

ଆଜି ଅପରାହ୍ଣରେ ପୁଲିସ ସେବା ଭବନ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ପୁଲିସ ଅଧିକାରୀମାନେ ତାଙ୍କୁ ଭବ୍ୟ ସ୍ବାଗତ କରିଥିଲେ। ସ୍ବାଗତ କରିବା ଅବସରରେ କମିସନରେଟ୍‌ ପୁଲିସ ଆଗକୁ କିଭଳି କାମ କରିବ ସେ ନେଇ ସମସ୍ତ ଏସିପି ଓ ଆଇଆଇସିମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ। ଏଥିରେ ସେ ଦୁଇଟି ପ୍ରସଙ୍ଗ ଉପରେ ଗୁରୁତ୍ବାରୋପ କରିଥିଲେ। ତାହା ହେଉଛି ‘ଭିଜିବୁଲ ପୋଲିସିଂ’ ଓ ‘ଆଚାର ବ୍ୟବହାର’। ସହର ଗଳିକନ୍ଦିରେ ପୁଲିସ ଦେଖାଯିବା ସହ ଲୋକମାନଙ୍କର କିଭଳି ନିକଟତର ହେବ ତାହା ଉପରେ ଗୁରୁତ୍ବ ଦିଆଯିବ। ‘ଭିଜିବୁଲ ପୋଲିସଂ’ ରେ ଅପରାଧୀ ଭୟଭୀତ ହେବେ। କେବଳ ପାଟ୍ରୋଲିଂ ନୁହେଁ, ବରଂ ଗଳିକନ୍ଦିରେ ବୁଲିବା ଫଳରେ ସାଧାରଣ ଲୋକ ମଧ୍ୟ ଆଶ୍ବସ୍ତ ହେବେ।

ଏଣୁ ଭିଜିବୁଲ ପଲିସିଂ ଉଭୟ ଦିଗରୁ ସହାୟକ ହେବ। ସେଥିପାଇଁ ଏହି ବ୍ୟବସ୍ଥା ଉପରେ ଗୁରୁତ୍ବ ଦେବାକୁ ସମସ୍ତ ଅଧିକାରୀଙ୍କୁ କହିଥିଲେ।
ଶ୍ରୀ ପ୍ରିୟଦର୍ଶୀ ଆହୁରି କହିଥିଲେ; ପୁଲିସର ଆଚାର ବ୍ୟବହାର ଏଭଳି ହେବ ଯେ ସାଧାରଣ ଲୋକ ପୁଲିସକୁ ବିଶ୍ବାସକୁ ନେବେ। ଫଳରେ ଅପରାଧ ନିୟନ୍ତ୍ରଣ ସହଜ ହେବ। ଲୋକଙ୍କ ପାଖରୁ ଖବର ମଧ୍ୟ ଆସିପାରିବ। ଅନେକ ଅପରାଧ ସମ୍ବନ୍ଧରେ ସୂଚନା ସାଧାରଣ ଲୋକଙ୍କ ପାଖରୁ ଆସିଥାଏ। କିନ୍ତୁ ପୁଲିସ ବିଶ୍ବାସଭାଜନ ହୋଇ ପାରୁ ନ ଥିବାରୁ ସହଯୋଗ ମିଳିନଥା‌ଏ। କେବଳ ସହଯୋଗ ମିଳିନଥାଏ ନୁହେଁ; ସିଆର୍‌ପି ଛକରେ ପିସିଆର୍‌ ଭାଙ୍ଗିବା ଭଳି ପୁଲିସ ସାଧାରଣ ଲୋକଙ୍କର ଆକ୍ରୋଶର ଶିକାର ମଧ୍ୟ ହୋଇଥାଏ। ଏଣୁ ସମସ୍ତଙ୍କୁ ଆଚାର ବ୍ୟବହାର ଉପରେ ଗୁରୁତ୍ବ ଦେବାକୁ ହେବ। ଏତଦ୍‌ ବ୍ୟତୀତ ବିଦାୟୀ ସିପି ଡ.ଷଡ଼ଙ୍ଗୀ କମିସନରେଟ ପୁଲିସକୁ ଦକ୍ଷ କରିବା ପାଇଁ ଗତ ଦେଢ଼ ବର୍ଷ ଭିତରେ ଯେଉଁସବୁ ଯୋଜନା କରିଥିଲେ ତାହା ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରାଯିବ ବୋଲି ସେ ସୂଚନା ଦେଇଥିଲେ। ଏହିସବୁ ଯୋଜନା ଭିତରେ ଦାଦାବଟିକୁ ନା’, ପୂର୍ଣ୍ଣାଙ୍ଗ ସାଇବର ସେଲ୍‌, ଥାନାରେ ସିସିଟିଭି ଓ ଟ୍ରାଫିକ୍‌ରେ ଶୃଙ୍ଖଳା ପ୍ରଭୃତି ମୁଖ୍ୟ ରହିବ।

ସମ୍ବନ୍ଧିତ ଖବର