ଭୁବନେଶ୍ବର: ଓଡ଼ିଶା ପ୍ରୀତି, ଓଡ଼ିଆତ୍ବ ପ୍ରତି ନିସର୍ତ୍ତ ଅଙ୍ଗୀକାର, ଓଡିଆ ଭାଷାର ଗରିମା ପ୍ରତି ଅକୁଣ୍ଠ ଆକର୍ଷଣବୋଧ ଓ ‘ଯାହା ଉତ୍କଳୀୟ ତାହା ବନ୍ଦନୀୟ’ -ଏହି ଭାବଧାରାକୁ ଜୀବନବ୍ରତ କରି ବଞ୍ଚୁଥିବା, ସ୍ବପ୍ନ ଦେଖୁଥିବା, ପ୍ରୟାସରେ ନିଜକୁ ଉତ୍ସର୍ଗ କରିଥିବା ଇଷ୍ଟର୍ଣ୍ଣ ମିଡ଼ିଆର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ଏବଂ ପ୍ରସିଦ୍ଧ ସିନେ ବ୍ୟକ୍ତିତ୍ବ ଓ ରାଜନେତା ପ୍ରଶାନ୍ତ ନନ୍ଦଙ୍କୁ ଆସନ୍ତା ‘ବୋଉ ଦିବସ’ (ଜାନୁଆରି ୨)ରେ ବୋଉ ଫାଉଣ୍ଡେସନ ପକ୍ଷରୁ ‘ବୋଉ ମଣିଷ’ ସମ୍ମାନ ପ୍ରଦାନ କରାଯିବ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବୋଉ ଫାଉଣ୍ଡେସନର ପ୍ରେରଣା ଡାକ୍ତର ସେବା ମହାପାତ୍ର, ସବ୍ୟସାଚୀ ମହାପାତ୍ର, ହିମାଂଶୁ ଖଟୁଆ, ସିପ୍ରା ମଲ୍ଲିକ, ଅର୍ଚ୍ଚନା ନାୟକ, ଅଧ୍ୟାପକ ବିଶ୍ୱରଂଜନ, ପ୍ରମୋଦ ପରିଡ଼ା, ଜ୍ଞାନ ହୋତା, ସୁବାସ ସାହୁ, ଅତିଶ ମହାନ୍ତି, ଟ୍ରଷ୍ଟି ଆତ୍ମଜା ମହାନ୍ତିଙ୍କ ସମେତ ବହୁ ସଦସ୍ୟଙ୍କ ଉପସ୍ଥିତିରେ ଏହା ଘୋଷଣା କରାଯାଇଛି।
ସେହିପରି ୫୫ତମ ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ ଅଫ୍ ଇଣ୍ଡିଆ(ଆଇଏଫ୍ଏଫ୍ଆଇ) ଇଣ୍ଡିଆନ୍ ପାନାରୋମା ୨୦୨୪ରେ ସାମିଲ ହୋଇଥିବା ଓଡ଼ିଆ ପ୍ରାମାଣିକ ଚଳଚିତ୍ର ‘ମୋ ବୋଉ ମୋ ଗାଁ’ ମଧ୍ୟ ‘ବୋଉ ଦିବସ’ ପାଳନ ଅବସରରେ ଜୟଦେବ ଭବନଠାରେ ପ୍ରଦର୍ଶିତ ହେବ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ଫିଲ୍ମର ନିର୍ଦ୍ଦେଶକ ସୁବାଷ ସାହୁ ଘୋଷଣା କରିଛନ୍ତି। ଆଜିର ଦୁନିଆ ସଂସ୍କୃତି, ପରମ୍ପରା, ଗାଁ ଓ ବୋଉଠୁ ଦୂରେଇ ଯାଉଥିବା ବେଳେ ତାକୁ ଜାବୁଡ଼ି ଧରି ରଖିବାର ଏକ କ୍ଷୁଦ୍ର ପ୍ରୟାସ କରାଯାଇଛି ଫିଲ୍ମରେ। ଯେଉଁଥିରେ ଦର୍ଶକମାନେ ଆମ ଅତୀତ ଆଉ ଆମ ଗାଁର ଦୃଶ୍ୟ ଦେଖିବାକୁ ପାଇବେ ବୋଲି ସୂଚନା ଦିଆଯାଇଛି। ଏହି ଫିଲ୍ମଟି ପୂରା କରିବା ପାଇଁ ଦୀର୍ଘ ୧୮ ବର୍ଷ ସମୟ ଲାଗିଥିଲା ବୋଲି ନିର୍ଦ୍ଦେଶକ ଶ୍ରୀ ସାହୁ କହିଛନ୍ତି। ୨୦୦୬ରେ ଫିଲ୍ମର ସୁଟିଂ ଆରମ୍ଭ ହୋଇ ଚଳିତ ବର୍ଷ ଶେଷ ହୋଇଥିଲା। ୬୩ ମିନିଟ୍ ଅବଧିର ଏହି ଚଳଚ୍ଚିତ୍ରର ୧୮ ବର୍ଷର ସୁଟିଂ ନିର୍ଦ୍ଦେଶକ ଶ୍ରୀ ସାହୁଙ୍କ ଗାଁ କେନ୍ଦ୍ରାପଡ଼ା ବଲୁରିଆ ଓ ଭୁବନେଶ୍ୱରରେ କରାଯାଇଛି।
‘ବୋଉ ଦିବସ’ରେ ପ୍ରଦର୍ଶିତ ହେବ ସୁବାଷ ସାହୁଙ୍କ ‘ମୋ ବୋଉ ମୋ ଗାଁ’
ସୂଚନାଯୋଗ୍ୟ, ୫୫ ତମ ଆଇଏଫ୍ଏଫ୍ଆଇ ଇଣ୍ଡିଆନ୍ ପାନାରୋମା ୨୦୨୪ରେ ସାମିଲ ହୋଇଥିବା ଏଇ ଓଡ଼ିଆ ଚଳଚ୍ଚିତ୍ର ଅଣଫିଚର୍ ବର୍ଗରେ ପ୍ରଦର୍ଶନ ଲାଗି ମନୋନୀତ ୨୦ଟି ଚଳଚ୍ଚିତ୍ର ମଧ୍ୟରେ ୧୩ ନମ୍ବର ସ୍ଥାନ ପାଇଥିଲା। ଫିଲ୍ମର ସମ୍ପାଦନା ସହିତ ଏହାର ପ୍ରଯୋଜନା କରିଛନ୍ତି ‘ଓ ମାଇଁ ଗଡ୍-୨’ର ସମ୍ପାଦକ ସୁଭୀର ନାଥ। ପ୍ରଯୋଜନା କରିଛନ୍ତି ନିର୍ଦ୍ଦେଶକ ଶ୍ରୀ ସାହୁଙ୍କ ପତ୍ନୀ ସୁପ୍ରଭା ସାହୁ। ସିନେମାଟି ଗତ ସେପ୍ଟେମ୍ୱର ମାସରେ ଅନୁଷ୍ଠିତ ୧୫ତମ ସିକାଗୋ ସାଉଥ୍ ଏସିଆନ୍ ଫିଲ୍ମ ଫେଷ୍ଟିଭାଲ-୨୦୨୪ ଲାଗି ମନୋନୀତ ହୋଇ ପ୍ରଶଂସା ସାଉଁଟିଥିଲା। ସେହିପରି ମୁମ୍ବାଇ ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲରେ ମଧ୍ୟ ପ୍ରଦର୍ଶିତ ହୋଇ ଉଚ୍ଚପ୍ରଶଂସିତ ହୋଇଥିଲା। ସାମ୍ବାଦିକ ସମ୍ମିଳନୀ ଅବସରରେ ବିଶିଷ୍ଟ ଓଡ଼ିଆ ସିନେ ନିର୍ମାତା ସବ୍ୟସାଚୀ ମହାପାତ୍ର ‘ମୋ ଗାଁ ମୋ ବୋଉ’ ଫିଲ୍ମ ପାଇଁ ନିର୍ଦ୍ଦେଶକ ଶ୍ରୀ ସାହୁଙ୍କୁ ସମ୍ବର୍ଦ୍ଧିତ କରିଥିଲେ।। ଉଲ୍ଲେଖନୀୟ ଯେ ଏ ଫିଲ୍ମର ନିର୍ଦ୍ଦେଶକ ସୁବାଷ ସାହୁ ମୂଳତଃ ଜଣେ ସାଉଣ୍ଡ ଡିଜାଇନର୍। ପୁନା ଫିଲ୍ମ ଆଣ୍ଡ ଟେଲିଭିଜନ୍ ଇନ୍ଷ୍ଟିଚ୍ୟୁଟ୍ରେ ପଢ଼ିଥିବା ଶ୍ରୀ ସାହୁ ବଲିଉଡ୍ ସମେତ ବିଭିନ୍ନ ଭାରତୀୟ ଓ ଅନ୍ତର୍ଜାତୀୟ ଭାଷାର ବହୁ ବଡ଼ ବଜେଟ୍ ଫିଲ୍ମରେ ସାଉଣ୍ଡ ଡିଜାଇନିଂ କରିଛନ୍ତି। ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ପାଇଥିବା ଶ୍ରୀ ସାହୁ ବଲିଉଡ୍ର ଅନ୍ୟତମ ପ୍ରସିଦ୍ଧ ଓ ବ୍ୟସ୍ତ ସାଉଣ୍ଡ ଡିଜାଇନର୍।