ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ଛାତ୍ରଛାତ୍ରୀଙ୍କୁ ସୌମ୍ୟରଂଜନଙ୍କ ପରାମର୍ଶ, ସଫଳତା ପାଇଁ ଆହ୍ବାନକୁ ସ୍ବୀକାର କରିବାକୁ ପଡ଼ିବ

ଭୁବନେଶ୍ୱର: ସଫଳତା ହାସଲ ପାଇଁ ଜୀବନରେ ଅନେକ ଆହ୍ୱାନକୁ ସ୍ୱୀକାର କରିବାକୁ ପଡ଼ିବ ବୋଲି ‘ସମ୍ବାଦ’ର ସମ୍ପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି। ସାଇ ଇଣ୍ଟରନ୍ୟାସନାଲ୍‌ ସ୍କୁଲ ଦ୍ୱାରା ଆୟୋଜିତ ଅନଲାଇନ୍ ଅଧିବେଶନରେ ବକ୍ତବ୍ୟ ରଖି ଶ୍ରୀ ପଟ୍ଟନାୟକ କହିଲେ, ବିଶ୍ୱ ମହାମାରୀର ରୂପ ନେଇଥିବା କରୋନା ଭୂତାଣୁ ସଂକ୍ରମଣ ନେଇ ସମସ୍ତେ ଆତଙ୍କିତ। ୪ ମାସ ଧରି ସାରା ବିଶ୍ବରେ ଅଚଳାବସ୍ଥା ସୃଷ୍ଟି କରିଥିବା କରୋନା ଏପର୍ଯ୍ୟନ୍ତ ନିୟନ୍ତ୍ରଣକୁ ଆସିପାରିନାହିଁ। ଶିକ୍ଷାନୁଷ୍ଠାନଗୁଡ଼ିକ କେବେ ଖୋଲିବ, ସେ ନେଇ କେହି ବି ନିଶ୍ଚିତ ନୁହନ୍ତି। ତେଣୁ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକମାନେ ଏହି ପରିସ୍ଥିତିରେ ଚାପମୁକ୍ତ ରହିବା ପାଇଁ ସେ ଆହ୍ବାନ ଦେଇଥିଲେ।

ଶ୍ରୀ ପଟ୍ଟନାୟକ ଆହୁରି କହିଲେ ନିଜ ମାତୃଭାଷାକୁ ଭଲ ପାଇବା। ଏହାକୁ ସର୍ବୋଚ୍ଚ ସ୍ଥାନ ଦେବା ସମସ୍ତଙ୍କର ଉଦ୍ଦେଶ୍ୟ ରହିବା ଦରକାର। ସାଇ ଇଣ୍ଟରନ୍ୟାସନାଲ୍‌ ସ୍କୁଲ ପରି ଏକ ମଡେଲ୍ ସ୍କୁଲରେ ଶିକ୍ଷାଗ୍ରହଣ କରୁଥିବାରୁ ଛାତ୍ରଛାତ୍ରୀ ନିଜକୁ ଗର୍ବିତ ମନେ କରିବା ଉଚିତ। ଉତ୍କୃଷ୍ଟ ସମୟର ସଠିକ୍ ଉପଯୋଗ କରିବା ଆବଶ୍ୟକ। କଠିନ ପରିଶ୍ରମ କରିବା ଦ୍ୱାରା ସଫଳତାକୁ ହାତମୁଠାରେ ରଖିହେବ। ରକ୍ତ ପାଇଁ ଯେପରି କୌଣସି ଜୀବନ ନ ଯାଏ, ସେଥିପାଇଁ ସମସ୍ତ ଛାତ୍ରଛାତ୍ରୀ ୧୮ ବର୍ଷରେ ରକ୍ତଦାନ କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ସାଇ ଇଣ୍ଟରନ୍ୟାସନାଲ୍‌ର ପ୍ରତିଷ୍ଠାତା ଡ. ବିଜୟ କୁମାର ସାହୁ ଏହି କଠିନ ସମୟରେ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଇଥିବାରୁ ଶ୍ରୀ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ଏହିପରି ଇ-ଅଧିବେଶନରେ ବିଶିଷ୍ଟ ବ୍ୟକ୍ତିତ୍ୱମାନଙ୍କର ପ୍ରେରଣା ଛାତ୍ରଛାତ୍ରୀଙ୍କ ମନରେ ଗଭୀର ପ୍ରଭାବ ପକାଇବ ବୋଲି ଆଶା ବ୍ୟକ୍ତ କରିଛନ୍ତି। ଅନ୍‌ଲାଇନ୍ ମାଧ୍ୟମରେ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲର ଦୁଇ ହଜାରରୁ ଅଧିକ ଛାତ୍ରଛାତ୍ରୀ ଓ ୨୫୦ ଶିକ୍ଷକ ଶିକ୍ଷୟିତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଅଭିଭାଷଣ ଦେଖିଥିଲେ। ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ ଦ୍ୱାରା ଆୟୋଜିତ ଇ-ଅଧିବେଶନରେ ବିଶିଷ୍ଟ ବ୍ୟକ୍ତିତ୍ୱମାନଙ୍କୁ ସାମିଲ୍ କରାଯାଉଛି।

ସମ୍ବନ୍ଧିତ ଖବର