ଭୁବନେଶ୍ବର: ଟାଇମ୍‍ପାସ୍‍ ପ୍ରକାଶନ ତରଫରୁ ନିଆରା ଏକଦିବସୀୟ ସାହିତ୍ୟ ଉତ୍ସବ ‘ଉତ୍‍ସାହିତ୍ୟ’ର ଚତୁର୍ଥ ସଂସ୍କରଣ ଉତ୍କଳ ରଙ୍ଗମଞ୍ଚ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି। ନଡ଼ିଆ ଭାଙ୍ଗି ଉତ୍ସବ ଅନୁକୂଳ କରିବା ସହ ତରୁଣ ପ୍ରତିଭାଙ୍କୁ ପରାମର୍ଶ ଦେଇ କବି ରାଜେନ୍ଦ୍ର କିଶୋର ପଣ୍ଡା କହିଲେ, ଯୁବକଙ୍କ ଭିତରେ ଅସୀମ ଶକ୍ତି ଓ ସାମର୍ଥ୍ୟ ରହିଛି। ସେମାନେ ଅଧିକ ସୃଜନମନସ୍କ ହୁଅନ୍ତୁ। ସାହିତ୍ୟରେ ସମସ୍ତେ ସମବୟସ୍କ। ସମସ୍ତେ ତରୁଣ। ମୁଖ୍ୟଅତିଥି କବି ସୂର୍ଯ୍ୟ ମିଶ୍ର କହିଲେ, ସାହିତ୍ୟରେ କୌଣସି ପ୍ରତିଦ୍ବନ୍ଦ୍ବିତା ନାହିଁ। ରିଲେ-ରେସ୍‍ ପରି ବରିଷ୍ଠ ନିଜ ଯାତ୍ରା ଶେଷରେ ତରୁଣ ହାତରେ ଧରେଇ ଦେଇଯାଏ ସର୍ଜନାର ମଶାଲ୍‍। ଉତ୍ସବର ନିର୍ଦ୍ଦେଶକ ତଥା ଲେଖକ ସରୋଜ ବଳ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ଜୀବନକୁ ସାହିତ୍ୟାଭିମୁଖୀ କଲେ ହିଁ ବଞ୍ଚିବା ସହଜ, ସୁନ୍ଦର ଓ କଳାତ୍ମକ ହୋଇପାରିବ ବୋଲି କହିଥିଲେ।

Advertisment

ଏହି ଅବସରରେ ଗୀତିକାର ବିଜୟ ମଲ୍ଲଙ୍କ ସଂଚାଳନରେ ମୋଟ୍‌ ୧୨ଟି ଅଧିବେଶନ ଆୟୋଜିତ ହୋଇଥିଲା। ଅଧିବେଶନଗୁଡ଼ିକର ଶୀର୍ଷକ ଥିଲା ଡେଣାକଟା ଉପନ୍ୟାସ, କବିତାରେ ଫେସଭାଲ୍ୟୁ, ଗପର ଛାଇରେ ପ୍ରେମ, କବିତା କ୍ୟାଟ୍‍ୱାକ୍‍, ଗପ ଓ ଗୀତର କକ୍‍ଟେଲ୍‍, ସିନେମାରେ ସାହିତ୍ୟ ଛୁଆଁ ଓ ସାହିତ୍ୟ ଖଟି ଆଦି। ସେଥିରେ ପରିଚିତ କବି, କଥାକାର, ପ୍ରକାଶକ ଓ ସଂପାଦକମାନେ ଅଂଶଗ୍ରହଣ କରିଥିଲେ। ତା’ଭିତରୁ ଲେଖିକାମାନଙ୍କ ପତିଙ୍କ ସ୍ବୀକାରୋକ୍ତିକୁ ନେଇ ଏକ ନିଆରା ଆଲୋଚନାରେ ଲେଖିକାମାନଙ୍କର ପତିମାନେ ନିଜ ମତ ରଖିଥି‌ଲେ। ଟାଇମ୍‍ପାସ୍‍ ପକ୍ଷରୁ ପ୍ରତିବର୍ଷ ହେଉଥିବା ପ୍ରଥମ ପାଣ୍ଡୁଲିପି ପ୍ରତିଯୋଗିତାରେ ଚଳିତ ବର୍ଷ ସଫଳ ହୋଇଥିବା ପ୍ରତିଭାମାନଙ୍କୁ ନେଇ ଏକ ଅଧିବେଶନରେ ପ୍ରତିଭାମାନେ ପୁରସ୍କାର ଗ୍ରହଣ କରିବା ସହିତ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ପୁରସ୍କୃତ ପାଣ୍ଡୁଲିପିଗୁଡ଼ିକ ଉପରେ ଯୁବ ଲେଖକମାନେ ଆଲୋଚନା କରିଥିଲେ।

ବିଶିଷ୍ଟ କବି ହୃଷୀକେଶ ମଲ୍ଲିକ ୩୦ ବର୍ଷ ବୟସସୀମାର ୩୦ ଜଣ ନବପ୍ରତିଭାଙ୍କୁ ‘ଉଦୟରାଗ’ ପୁରସ୍କାର ପ୍ରଦାନ କରିଥିଲେ। ଉତ୍ସବର ଅନ୍ତିମ ଅଧିବେଶନରେ ଚଳିତ ବର୍ଷ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାରପ୍ରାପ୍ତ କବି ଆଶୁତୋଷ ପରିଡା ଓ ବିଶିଷ୍ଟ ବଙ୍ଗଳା କଥାକାର ତଥା ‘ବର୍ତ୍ତମାନ’ର ସଂପାଦକ ଜୟନ୍ତ ଦେ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ମହାଶ୍ୱେତା ସାହୁଙ୍କୁ ଷୋହଳତମ ଟାଇମ୍‍ପାସ୍‍ ବୁକର ପୁରସ୍କାର ପ୍ରଦାନ କରାଯାଇଥିଲା। ଫିଚରରେ କ୍ଷୀରୋଦ ପରିଡ଼ା, କବିତାରେ କୃଷ୍ଣ କୁମାର ମହାନ୍ତି, ଗଳ୍ପରେ ବିୟତପ୍ରଜ୍ଞା ତ୍ରିପାଠୀ ଏବଂ ଉପନ୍ୟାସରେ ଦେବବ୍ରତ ଦାସ ‘ଟାଇମ୍‍ପାସ୍‍ ବେଷ୍ଟସେଲର୍‍’ ପୁରସ୍କାର ଗ୍ରହଣ କରିଥିଲେ। ସରଳ କୁମାର ଦାସଙ୍କୁ ପ୍ରଦାନ କରାଯାଇଥିଲା ‘ବହିବନ୍ଧୁ’ ସମ୍ମାନ। ଏହି ଅବସରରେ ପ୍ରଦୀପ କୁମାର ରାୟଙ୍କ ଦ୍ୱାରା ଅନୂଦିତ ଜୟନ୍ତ ଦେ’ଙ୍କ ‘ରସିକ ସାରଙ୍କ ଘୋଡ଼ା’, ମହାଶ୍ୱେତା ସାହୁଙ୍କ ‘ଅକ୍ଟୋପସର ଆତ୍ମା’, ଦୁର୍ଗାପ୍ରସାଦ ପଣ୍ଡାଙ୍କ ‘ପ୍ରେମ ଏକ ବିଲୁପ୍ତ ପକ୍ଷୀର ନାଁ’, ଶ୍ୟାମଶ୍ରୀ ରାୟ କର୍ମକାରଙ୍କ ‘ବବ ଡିଲାନ: ଅନ୍ତହୀନ ଯାତ୍ରା’ ପୁସ୍ତକମାନ ଲୋକାର୍ପିତ ହୋଇଥିଲା। କସ୍ତୁରିକା ମିଶ୍ର ଗଜଲ ଗାନ କରିଥିବାବେଳେ କୁଇଜ୍‍ ପରିଚାଳନା କରିଥିଲେ ବେଦପ୍ରକାଶ ନାୟକ। ଗୀତିକାର ଅରୁଣ ମନ୍ତ୍ରୀ ଧାଡ଼ିକିଆ ଗପ ପାଠ କରିଥିଲେ।