ସୌରୀନ୍ଦ୍ର ସୃଜନ ସନ୍ଧ୍ୟା: ସୌନ୍ଦର୍ଯ୍ୟର ଉପାସନା ସୌରୀନ୍ଦ୍ରଙ୍କ କବିତାର ପ୍ରମୁଖ ଗୁଣ

ଭୁବନେଶ୍ବର: କବି ସୌରୀନ୍ଦ୍ର ବାରିକ ଓଡ଼ିଆ କବିତାରେ ‌ଦୁର୍ବୋଧ୍ୟତା ବିରୋଧରେ ଏକ ଶକ୍ତିଶାଳୀ ସ୍ବର ଭାବେ ସ୍ମରଣୀୟ ରହିବେ। ସୌନ୍ଦର୍ଯ୍ୟର ଉପାସନା ତାଙ୍କ କବିତାର ପ୍ରମୁଖ ଗୁଣ ଓ ଲକ୍ଷଣ। ବିଶିଷ୍ଟ କବି ସୌରୀନ୍ଦ୍ର ବାରିକଙ୍କ ସ୍ମୃତିରେ ରେଡକ୍ରସ ଭବନରେ ଆୟୋଜିତ ସୌରୀନ୍ଦ୍ର ସୃଜନ ସନ୍ଧ୍ୟାରେ ଯୋଗଦେଇ ଅତିଥିମାନେ ଏହା କହିଛନ୍ତି। ବିଶିଷ୍ଟ କବି ଡ.ସୀତାକାନ୍ତ ମହାପାତ୍ର ସୌରୀନ୍ଦ୍ରଙ୍କୁ ଜଣେ ଭଲ କବି ଓ ଭଲ ମଣିଷ ଭାବେ ଅଭିହିତ କରିଥିଲେ। ସୌରୀନ୍ଦ୍ର ସୃଜନ ସନ୍ଧ୍ୟାର ସଭାପତି ପ୍ରଫେସର ଡ.ବିଜୟ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଶିଷ୍ଟ ଭାଷାବିତ ଦେବୀପ୍ରସନ୍ନ ପଟ୍ଟନାୟକ ଓ ପ୍ରଫେସର ସଂଘମିତ୍ରା ମିଶ୍ର ଯୋଗଦେଇ ସୌରୀନ୍ଦ୍ରଙ୍କ କବି ପ୍ରତିଭା, ବ୍ୟକ୍ତିତ୍ବ ଓ ଜୀବନ ଦର୍ଶନ ବାବଦରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଗବେଷକ ଡ.ରମେଶ ପାଣି ଅତିଥି ଭାବେ ଯୋଗଦେଇ କବି ସୌରୀନ୍ଦ୍ରଙ୍କୁ ଜୀବନ, ସୃଜନ, ଶୈଳୀର ଅନୁପମ ପ୍ରବର୍ତକ ଭାବେ ଅଭିହିତ କରିଛନ୍ତି।

ଏହି ଅବସରରେ ଅଭିରାମ ଦାସଙ୍କୁ ‘ସୌରୀନ୍ଦ୍ର ସୃଜନ ସମ୍ମାନ’ ପ୍ରଦାନ କରାଯାଇଥିଲା। ସଂସଦର ସମ୍ପାଦକ କବି ରକ୍ଷକ ନାୟକ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଯୁଗ୍ମ ସମ୍ପାଦକ ସଂଜୟ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରାରମ୍ଭରେ କବି ସୂର୍ଯ୍ୟ ମିଶ୍ର, ମିନତି ମିଶ୍ର, ଜ୍ୟୋତ୍ସ୍ନା ତ୍ରିପାଠୀ, କ୍ଷଣପ୍ରଭା ମହାନ୍ତି, ମନୋରଂଜନ ହୋତା ସୌରୀନ୍ଦ୍ର କବିତା ଆବୃତ୍ତି କରିଥିଲେ। ଭାଷା ବିଜ୍ଞାନ ଡ.ଦେବାଶିଷ ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା ସହ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର