ସୌରୀନ୍ଦ୍ର ସୃଜନ ସଂଧ୍ୟା : ତାଙ୍କ କବିତାରେ ସରଳତା ଓ ସୌନ୍ଦର୍ଯ୍ୟ ଭରି ରହିଥିଲା

କବି ସୂର୍ଯ୍ୟ ମିଶ୍ରଙ୍କୁ ‘ସୌରୀନ୍ଦ୍ର ସୃଜନ ସମ୍ମାନ’

ଭୁବନେଶ୍ୱର : କବି ସୌରୀନ୍ଦ୍ର ବାରିକଙ୍କ କବିତାରେ ସରଳତା ଓ ସୌନ୍ଦର୍ଯ୍ୟତା ବହୁ ଲୋକମାନଙ୍କର ଆତ୍ମାକୁ ବାନ୍ଧି ରଖିଥିଲା। ଓଡ଼ିଆ କବିତାର ବେଗ ଓ ଆବେଗର ରୂପରେଖ ନିର୍ମାଣରେ ତାଙ୍କର ପ୍ରମୁଖ ଯୋଗଦାନ ଥିଲା। ସାଂପ୍ରତିକ କବିତାରେ ସୌରୀନ୍ଦ୍ରୀୟ କାବ୍ୟଶୈଳୀର ବେଶି ପ୍ରଭାବ ପରିଲକ୍ଷିତ ହେଉଛି ବୋଲି ‘ସୌରୀନ୍ଦ୍ର ସୃଜନ ସଂଧ୍ୟା’ରେ ଅତିଥିମାନେ ମତ ପ୍ରକାଶ କରିଛନ୍ତି।

ସୌରୀନ୍ଦ୍ର ସ୍ମୃତି ସଂସଦ ଆନୁକୂଲ୍ୟରେ ରାଜ୍ୟ ଅଭିଲେଖାଗାର ସମ୍ମିଳନୀ କକ୍ଷରେ କବି ସୌରୀନ୍ଦ୍ର ବାରିକଙ୍କ ପୁଣ୍ୟତିଥିରେ ଆୟୋଜିତ ‘ସୌରୀନ୍ଦ୍ର ସୃଜନ ସଂଧ୍ୟା’ରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍‌ ଓ ସମାଲୋଚକ ପ୍ରଫେସର ସତ୍ୟନାରାୟଣ ମହାନ୍ତି ଯୋଗ ଦେଇ କହିଥିଲେ ଯେ ସୌରୀନ୍ଦ୍ର ବାରିକ ଓଡ଼ିଆ କବିତାକୁ ସାଧାରଣ ଲୋକମାନଙ୍କ ପାଖରେ ପହଞ୍ଚାଇବାରେ ବିଶେଷ ଭୂମିକା ନେଇଥିଲେ। ତାଙ୍କର କାବ୍ୟ ସୃଷ୍ଟି ଏକ ମୌଳିକ ଆଭିମୁଖ୍ୟ। ମୁଖ୍ୟବକ୍ତା ଭାବେ ବିଶିଷ୍ଟ କବି ଓ ଅନୁବାଦକ ରୋହିଣୀକାନ୍ତ ମୁଖାର୍ଜୀ ଯୋଗ ଦେଇ ସୌରୀନ୍ଦ୍ରଙ୍କ କାବ୍ୟଶୈଳୀର ତର୍ଜମା କରି ତାଙ୍କୁ ଓଡ଼ିଆ କବିତାର ଜଣେ ଅନନ୍ୟ ଶିଳ୍ପୀ ଭାବେ ବର୍ଣ୍ଣନା କରିଥିଲେ ଏବଂ ତାଙ୍କର କବିତାର ଶୈଳୀ ଅନେକ କବିଙ୍କୁ ପ୍ରୋତ୍ସାହିତ କରିଛି ବୋଲି କହିଥିଲେ। ଖ୍ୟାତନାମା ଲେଖକ ଓ ଗବେଷକ ତଥା ‘ପୌରୁଷ’ର ସଂପାଦକ ଅସିତ୍‌ ମହାନ୍ତି ‘କବିତାରେ ସରଳ ସୌନ୍ଦର୍ଯ୍ୟ’ ଶୀର୍ଷକ ସ୍ମାରକୀ ବକ୍ତତା ପ୍ରଦାନ କରିଥିଲେ।

ଆଜି କବି ସୂର୍ଯ୍ୟ ମିଶ୍ରଙ୍କୁ ପ୍ରଥମ ସୌରୀନ୍ଦ୍ର ସୃଜନ ସମ୍ମାନ ପ୍ର୍ରଦାନ କରାଯାଇଥିଲା। ସଂସଦର ସଂପାଦକ କବି ରକ୍ଷକ ନାୟକ ସ୍ୱାଗତ ଭାଷଣ ଦେଇଥିଲେ। ସଭାପତି ଡ.ବିଜୟ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୃଜନ ପ୍ରକାଶକ ସଂସ୍ଥା ପକ୍ଷରୁ ପ୍ରକାଶିତ କବି ସୌରୀନ୍ଦ୍ରଙ୍କ ଆତ୍ମଜୀବନୀ ‘ବାଟ ଚାଲୁଚାଲୁ’ ଓ ଜୋତ୍ସ୍ନା ବାରିକଙ୍କ ଶିଶୁ ଗଳ୍ପ ସଙ୍କଳନ ‘ଆସ ଗପ ପଢ଼ିବା’ ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା।

ଅନୁଷ୍ଠାନର ଯୁଗ୍ମ ସଂପାଦକ ଡ.ଦେବାଶିଷ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅନ୍ୟତମ ଯୁଗ୍ମ ସଂପାଦକ ସଂଜୟ ମହାନ୍ତି ମାନପତ୍ର ପାଠ କରିଥିଲେ। କାର୍ଯ୍ୟକ୍ରମରେ କବି ସୀତାକାନ୍ତ ମହାପାତ୍ର, କବି ରମାକାନ୍ତ ରଥ, କବି ସୌଭାଗ୍ୟ ମିଶ୍ର, ପ୍ରଫେସର ବାସୁଦେବ ସାହୁ, ପ୍ରଫେସର ରାଜକିଶୋର ମିଶ୍ର, ଜାପାନୀ, ରାମହରି ଜେନା, ପର୍ଶୁରାମ ଦ୍ୱିବେଦୀଙ୍କ ସମେତ ଅନ୍ୟାନ୍ୟ କବି ଓ ସାହିତ୍ୟିକ ଉପସ୍ଥିିତ ଥିଲେ।

ସମ୍ବନ୍ଧିତ ଖବର