ଏସ୍‌ଓଏସ୍‌ ଶିଶୁଗ୍ରାମରେ ଦକ୍ଷିଣ ଆଫ୍ରିକା ହକି ଟିମ୍‌

ଖଣ୍ଡଗିରି: ବୁଧବାର ଅପରାହ୍ଣରେ ଦକ୍ଷିଣ ଆଫ୍ରିକା ହକି ଟିମ୍‌ ସ୍ଥାନୀୟ ଭରତପୁରସ୍ଥିତ ଏସ୍‌ଓଏସ୍‌ ଶିଶୁଗ୍ରାମ ପରିଦର୍ଶନ କରିଥିଲେ। କଡ଼ା ସୁରକ୍ଷା ବଳୟରେ ଏହି ହକି ଦଳ ଅପରାହ୍ଣ ପ୍ରାୟ ୨ଟାରେ ଶିଶୁଗ୍ରାମକୁ ଆସିଥିଲେ। ଅଧିନାୟକ ଟିମ୍‌ ଡ୍ରମଣ୍ଡଙ୍କ ସହ ସମସ୍ତ ସାଥୀ ଖେଳାଳି ଏଠାରେ ପ୍ରାୟ ଦେଢ଼ ଘଣ୍ଟା ବିତାଇଥିଲେ। ପ୍ରଥମେ କୁନି କୁନି ପିଲାମାନେ ସେମାନଙ୍କୁ ଫୁଲମାଳ ପିନ୍ଧାଇବା ସହ ଚନ୍ଦନ ତିଳକ ଦେଇ ସ୍ବାଗତ କରିଥିଲେ। ଶିଶୁଗ୍ରାମର ନିର୍ଦେଶକ ଡ. ଅଜୟ ଦାଶ ଓ ବରିଷ୍ଠ ସଂଯୋଜକ ରାହୁଲ୍ ପୁଙ୍ଗା‌ ଖେଳାଳିଙ୍କୁ ସ୍ବାଗତ କରିବା ସହ ପରିସରକୁ ବୁଲି ଦେଖାଇଥିଲେ। ପରେ ପରେ ଅନ୍ତେବାସୀମାନଙ୍କ ଦ୍ବାରା ପ୍ରସ୍ତୁତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ। ଏହି ଅବସରରେ ଟିମ୍‌ର ସେଣ୍ଟର ଫରୱାର୍ଡ ଖେଳାଳି ଟାଇସନ୍ ଛୋଟ ଛୋଟ ପିଲାମାନଙ୍କ ସହ ବେଶ୍ ନାଚିଥିଲେ। ବିଦାୟ ପୂର୍ବରୁ ପିଲାମାନେ ସେମାନଙ୍କ ସହ ସେଲ୍‌ଫି ଉଠାଇବା ସହ ଅଟୋଗ୍ରାଫ୍ ସଂଗ୍ରହ କରିଥିଲେ। ଏହି ଅବସରରେ ସେମାନେ ଗାନ୍ଧୀଜୀଙ୍କ ଦେଶ ଭାରତ ତାଙ୍କ ଦେଶର ପୁରୁଣା ବନ୍ଧୁ ରାଷ୍ଟ୍ର ବୋଲି କହିଥିଲେ। ଅଧିନାୟକ ଟିମ୍‌ ଭାରତକୁ ଭଲ ପାଆନ୍ତି ଓ ଏବେ ଓଡ଼ିଶାର ଆତିଥେୟତାରେ ବେଶ୍ ଖୁସି ବୋଲି କହିଥିଲେ। ସେହିଭଳି ଟୋ‌ମି ଆମୋନୋ ଗାନ୍ଧୀଙ୍କ ବାବଦରେ ଜାଣିଛନ୍ତି ଓ ପୂର୍ବତନ ରାଷ୍ଟ୍ରପତି ନେଲ୍ସନ୍ ମାଣ୍ଡେଲା ଗାନ୍ଧୀଙ୍କୁ ଭକ୍ତି କରନ୍ତି ବୋଲି କହିଥିଲେ। ପିଆବୋ ମଧ୍ୟ ଗାନ୍ଧୀଙ୍କ ବାବଦରେ ଅନୁରୂପ ମନ୍ତବ୍ୟ ଦେଇଥିଲେ। ଭୁବନେଶ୍ବର ମନ୍ଦିରଗୁଡ଼ିକ ବେଶ୍ ସୁନ୍ଦର ବୋଲି ସେମାନେ ପ୍ରଶଂସା କରିଥିଲେ। ଅନ୍ୟ ଏକ ବିଶ୍ରାମ ଦିବସରେ ସେମାନେ ନିଶ୍ଚୟ ପୁରୀ ଓ କୋଣାର୍କ ବୁଲିଯି‌ବେ ବୋଲି କହିଥିଲେ।

ସମ୍ବନ୍ଧିତ ଖବର