କିଟ୍‌ରେ ଦକ୍ଷିଣ ଏସିଆ ମହିଳା ସମ୍ମିଳନୀ

ଚନ୍ଦ୍ରଶେଖରପୁର: ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ନିମନ୍ତେ ସବୁ କ୍ଷେତ୍ରରେ ପୁରୁଷଙ୍କ ସହ ମହିଳାଙ୍କ ସମାନ ଭାଗୀଦାରି ରହିବା ଆବଶ୍ୟକ। କିଟ୍ ବିଶ୍ୱବିଦ୍ୟାଳୟରେ ଆଜିଠାରୁ ଆରମ୍ଭ ହୋଇଥିବା ଦକ୍ଷିଣ ଏସିଆ ମହିଳା ସମ୍ମିଳନୀରେ ବକ୍ତାମାନେ ଏଭଳି ମତ ପ୍ରକାଶ କରିଛନ୍ତି। କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟ ଏବଂ ହାଇଦ୍ରାବାଦସ୍ଥିତ ୟୁଏସ୍ କନସୁଲେଟ୍‌ ଜେନେରାଲର ମିଳିତ ସହଯୋଗରେ ଦୁଇଦିନ ଧରି ଏହି ସମ୍ମିଳନୀ ଚାଲିବ।

ଉଦ୍‍ଘାଟନୀ ଉତ୍ସବରେ ହାଇଦ୍ରାବାଦସ୍ଥିତ ୟୁଏସ୍ କନସୁଲେଟ୍ ଜେନେରାଲର କାର୍ଯ୍ୟକାରୀ ପବ୍ଲିକ୍‌ ଆଫାୟାର୍ସ ଅଫିସର୍‌ ଫ୍ରାଙ୍କି ଷ୍ଟର୍ମ ଯୋଗଦେଇ କହିଲେ, ଅର୍ଥନୈତିକ ଅଭିବୃଦ୍ଧି, ବିକାଶରେ ସମାନତା ଓ ବିବାଦର ସମାଧାନ ନିମନ୍ତେ ମହିଳା ଦକ୍ଷତାର ସଦୁପଯୋଗ କରାଯିବା ଜରୁରି। ଏହି ସୁଯୋଗର ସଦୁପଯୋଗ କରି ଲିଙ୍ଗଗତ ସମାନତା ଆଣିବାରେ ସଫଳ ହୋଇପାରିବା ବୋଲି ଷ୍ଟର୍ମ କହିଥିଲେ। ଜାତିସଂଘର ସହକାରୀ ମହାସଚିବ ଲକ୍ଷ୍ମୀ ପୁରୀ ଭର୍ଚୁଆଲ୍‍ରେ ଯୋଗଦେଇ କହିଲେ, ସବୁ କ୍ଷେତ୍ରରେ ପୁରୁଷଙ୍କ ସହ ମହିଳାଙ୍କ ଯେପରି ସମାନ ଭାଗୀଦାରି ହୋଇପାରିବ, ସେ ନେଇ କାର୍ଯ୍ୟ କରିବାକୁ ପଡ଼ିବ। ତ୍ରିନିଦାଦ୍ ଏବଂ ଟବାଗୋରେ ଅବସ୍ଥାପିତ ଭାରତୀୟ ହାଇକମିସନର ଅରୁଣ ସାହୁ କହିଲେ, ଦେଶର ବିକାଶରେ ମହିଳା ସଶକ୍ତୀକରଣ ଗୁରୁତ୍ୱପୂର୍ଣ୍ଣ। ମହିଳାମାନଙ୍କୁ ସେମାନଙ୍କ ଇଚ୍ଛା ଓ ଦକ୍ଷତା ଅନୁସାରେ ଯେକୌଣସି ନିଷ୍ପତ୍ତି ନେବା ପ୍ରକ୍ରିୟାରେ ସୁଯୋଗ ଦେବା ଉଚିତ।

ସମାନତା ଏକ ମାନବ ଅଧିକାର ବୋଲି କୋଲକାତାସ୍ଥିତ ଥାଇଲାଣ୍ଡ କନସୁଲେଟ୍‍ର କନ୍‍ସୁଲ୍‍ ଜେନେରାଲ୍‍ ଆଚର୍‍ପନ୍‍ ୟାଭାପ୍ରାପସ୍‍ କହିଥିଲେ। ସ୍ଥାୟିତ୍ୱ ଓ ଅନ୍ତର୍ଭୁକ୍ତୀକରଣ ମାଧ୍ୟମରେ ସମସ୍ତ ବୈଶ୍ୱିକ ସମସ୍ୟାର ସମାଧାନ ହୋଇପାରିବ ବୋଲି ମାଦାଗାସକର୍‍ ଦୂତାବାସର ଚାର୍ଜ ଡି ଆଫେୟାର୍ସ ତାହିନା ରାସାମୋଏଲିନା ମତ ପ୍ରକାଶ କରିଥିଲେ।

ଅଭିନେତ୍ରୀ ତଥା ସମାଜସେବୀ ନନ୍ଦିତା ଦାସ ମୂଳ ଭାଷଣ ପ୍ରଦାନ କରି କହିଲେ, ମହିଳାମାନେ ଯାହା ହାସଲ କରିବାକୁ ସକ୍ଷମ, ସେସବୁ ହାସଲ କରିବାକୁ ପଡ଼ିବ। ଯେଉଁ ମହିଳାମାନେ ‘ମୁଁ ପାରିବି ନାହିଁ’ କହି ରହିଯାଉଛନ୍ତି, ସେମାନଙ୍କୁ୍‍ ପରିବର୍ତ୍ତନ କରିବାର ଦାୟିତ୍ୱ ସଫଳ ମହିଳାଙ୍କର। ସମ୍ମିଳନୀରେ ଯେଉଁସବୁ ସର୍ଜନାତ୍ମକ ନିଷ୍କର୍ଷ ବାହାରିବ, ସେ ସବୁକୁ ସମ୍ମିଳନୀରେ ଯୋଗ ଦେଇଥିବା ମହିଳାମାନେ ନିଜ ଅଞ୍ଚଳରେ କାର୍ଯ୍ୟ କ୍ଷେତ୍ରରେ ଲଗାଇବେ ବୋଲି ଭର୍ଚୁଆଲ୍‌ରେ ଯୋଗଦେଇ ବଲିଉଡ୍‌ ଅଭିନେତା ରାହୁଲ ବୋଷ ଆଶାବ୍ୟକ୍ତ କରିଥିଲେ।

କିଟ୍‌ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର୍‌ ସସ୍ମିତା ସାମନ୍ତ ମହିଳାମାନେ ବିନମ୍ରତାର ସହ ସେମାନଙ୍କ ଶକ୍ତିର ସୁବିନିଯୋଗ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ଓଡ଼ିଶା ମୁଖ୍ୟ ହିମାଂଶୁ ବଳ, ୟୁଏନ୍‌ଡିପି ଓଡ଼ିଶା ମୁଖ୍ୟ ଆଭା ମିଶ୍ର ପ୍ରମୁଖ ମହିଳା ଅନ୍ତର୍ଭୁକ୍ତୀକରଣ ଓ ସମାନ ଭାଗୀଦାରି ଉପରେ ଆଲୋଚନା କରିଥିଲେ। ସମ୍ମିଳନୀରେ ଭାରତ ସମେତ ବାଂଲାଦେଶ, ଭୁଟାନ୍‍, ଶ୍ରୀଲଙ୍କା ଆଦି ଦେଶରୁ ୭୦ରୁ ଊର୍ଦ୍ଧ୍ୱ ମହିଳା ପ୍ରତିନିଧି ଯୋଗ ଦେଇଛନ୍ତି।

ସମ୍ବନ୍ଧିତ ଖବର