ଭୁବନେଶ୍ୱର: ଅତିଥି ଦେବୋ ଭବ। ଏହା ହିଁ ଭାରତୀୟ ସଂସ୍କୃତି। ପର୍ବପର୍ବାଣି, ବିବାହ, ବ୍ରତ କିମ୍ବା ଅନ୍ୟ କୌଣସି ଶୁଭ କାର୍ଯ୍ୟରେ ଅତିଥିମାନେ ଘରକୁ ଆସିଲେ ତାଙ୍କୁ ଯଥେଷ୍ଟ ସତ୍କାର କରାଯାଏ। ଏଥିସହ ଉତ୍ସବରେ ଯୋଗ ଦେଇଥିବାରୁ ସେମାନଙ୍କୁ କୃତଜ୍ଞତା ଓ ସମ୍ମାନ ଜଣାଇବା ପାଇଁ ଫେରନ୍ତା ଉପହାର(ରିଟର୍ଣ୍ଣ ଗିଫ୍ଟ) ପ୍ରଦାନ କରାଯାଏ। ଯାହାକି ଉକ୍ତ ଉତ୍ସବର ସ୍ମୃତିଚିହ୍ନ ହୋଇ ଅତିଥିଙ୍କ ମନରେ ରହିଯାଏ। ଏହି ଉପହାରରେ କଳା, ହସ୍ତଶିଳ୍ପ, ଖାଦ୍ୟପେୟ ତଥା ଅନ୍ୟାନ୍ୟ ସାମଗ୍ରୀ ସାମିଲ ହୋଇଥାଏ। ଉତ୍କଳୀୟ ସଂସ୍କୃତିରେ ଫେରନ୍ତା ଉପହାରରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି, ପାରମ୍ପରିକ ପଟ୍ଟଚିତ୍ର, ଇକ୍କତ ବସ୍ତ୍ର ଓ ହସ୍ତଶିଳ୍ପ ସାମଗ୍ରୀ ପ୍ରଦାନ କରାଯାଏ। କୌଣସି କାର୍ଯ୍ୟକ୍ରମରେ ରାଜ୍ୟ ତଥା ରାଜ୍ୟ ବାହାରୁ ଅତିଥି ଆସିଲେ ତାଙ୍କୁ ଉପହାରରେ ଆମେ ପରମ୍ପରାର ଅଂଶବିଶେଷ ସାମଗ୍ରୀ ଦେବାକୁ ସବୁବେଳେ ଚେଷ୍ଟା କରୁ। ହେଲେ ବର୍ତ୍ତମାନ ଏହି ‘ଫେରନ୍ତା ଉପହାର’ର ସ୍ୱରୂପ ବଦଳି ଧିରେଧିରେ ‘ଫେଭର ଗିଫ୍ଟ’ରେ ପରିଣତ ହୋଇଗଲାଣି। ରାଜଧାନୀରେ ଏବେ କିଏ କେତେ ଦାମ୍ର ଓ ନୂତନ ଧରଣର ଉପହାର ଦେଇପାରିବ ସେଥିପାଇଁ ପ୍ରତିଯୋଗିତା ଚାଲିଛି। ସହରର ଅଧିକାଂଶ ଉତ୍ସବରେ ବର୍ତ୍ତମାନ ଏହି ‘ଫେରନ୍ତା ଉପହାର’ ସାଧାରଣ ହୋଇଗଲାଣି। ଉତ୍ସବ ଓ ବଜେଟ୍ ଅନୁଯାୟୀ ସହରବାସୀ ସୁନା, ରୁପା ତଥା ଅନ୍ୟାନ୍ୟ ଧାତବ ମୂର୍ତ୍ତି, ମୁଦ୍ରାଠାରୁ ଆରମ୍ଭ କରି ଦାମି ଫରଫ୍ୟୁମ୍, ପୂଜା ତଥା ଘରୋଇ ଉପକରଣ, ବିଭିନ୍ନ ବୈଦ୍ୟୁତିକ ସାମଗ୍ରୀ, ଛୋଟ ପିଲାଙ୍କ ପାଇଁ ବିଭିନ୍ନ ଖେଳନା ଓ ସପିଂ ଭାଉଚର ମଧ୍ୟ ଦେଉଛନ୍ତି। ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ବ୍ୟବସାୟୀମାନେ ମଧ୍ୟ ନୂତନ ଧରଣର ସାମଗ୍ରୀ ଆଣୁଛନ୍ତି।
ନୂଆପଲ୍ଲୀସ୍ଥିତ ଗିଫ୍ଟ ସପ୍ର ବ୍ୟବସାୟୀ ରକିଙ୍କ ମତରେ ବିଗତ କିଛି ବର୍ଷରେ ଛୋଟ ପିଲାଙ୍କ ଜନ୍ମ ଦିନରେ ରିଟର୍ଣ୍ଣ ଗିଫ୍ଟ ଏକ ପରମ୍ପରାରେ ପରିଣତ ହୋଇଗଲାଣି। ଧନୀକ ଶ୍ରେଣୀର ଲୋକମାନେ ସାଧାରଣତଃ ରିଟର୍ଣ୍ଣ ଗିଫ୍ଟରେ ‘ଡି଼ଜିଟାଲ ଵାଚ୍’, ‘କାର୍ଟୁନ ଚିତ୍ରିତ କଏନ ବକ୍ସ’ ଓ ରିମୋଟ ଦ୍ୱାରା ପରିଚାଳିତ ଖେଳନା ଆଦି କିଣୁଛନ୍ତି। ସେହିପରି ବିଭିନ୍ନ ଡିଜାଇନର ଷ୍ଟିଲ ବୋତଲ, ବିଭିନ୍ନ ଜ୍ୟାମିତ୍ୟିକ ଓ ରଙ୍ଗ ତୂଳୀ ଥିବା ଷ୍ଟେସନାରି କିଟ୍, ଚକଲେଟ୍ ବକ୍ସ ସହିତ କିଛି ସବୁ ଜିନିଷର ମିଶ୍ରିତ କରି ସ୍ୱତନ୍ତ୍ର ବକ୍ସ କରି ମଧ୍ୟ ଉପହାର ଦେଉଛନ୍ତି।
‘ମର୍ଯ୍ୟାଦା ତୁଲାଇବା’ ଉତ୍କଳୀୟ ଫେରନ୍ତା ଉପହାର
ବନ୍ଧୁଙ୍କୁ ଖାଲି ହାତରେ ଛାଡ଼ିବା ଉତ୍କଳୀୟ ପରମ୍ପରା ନୁହେଁ। ଏଣୁ ଆମ ପରମ୍ପରାରେ ବି ରହିଛି ମର୍ଯ୍ୟାଦା ଦେବା ପରମ୍ପରା। ବିବାହ, ବ୍ରତ ବା ଶୁଦ୍ଧିରେ ଯୋଗ ଦେଇଥିବା ବନ୍ଧୁ ପରିଜନଙ୍କୁ ଆମେ ଶାଢ଼ି, ପୋଷାକ ଆଦି ଫେରନ୍ତା ଉପହାର ଭାବେ ଦେଇଥାଉ। ଏହାକୁ ‘ମର୍ଯ୍ୟାଦା ତୁଲାଇବା’ ବୋଲି କୁହାଯାଇଥାଏ। ସେହିଭଳି କିଛି ମିଠା, ପାନ, ବାଡ଼ିରେ ଫଳିଥିବା ନଡ଼ିଆ, କଦଳୀ ବା ପରିବାପତ୍ର ବି ଆମେ ଫେରନ୍ତା ଉପହାର ଭାବେ ଦେଇଥାଉ। ବୋହୂ ପ୍ରଥମ ଥର ଘରକୁ ଆସିଲେ ବି କିଛି ଫେରନ୍ତା ଉପହାର ନେଇଯାଇଥାଏ। ତେବେ ପଡ଼ୋଶୀ ବି ତରକାରୀ ବା ଅନ୍ୟ କିଛି ଦେଇଥିଲେ, ଆମେ ସେହି ଗିନାକୁ ଖାଲି ଫେରାଇବା ଆମ ସଂସ୍କୃତିରେ ନାହିଁ। ଘରେ କିଛି ରାନ୍ଧି ବା ମିଠା ଭର୍ତ୍ତି କରି ଆମେ ତାହାକୁ ଫେରାଉ। ଏହା ହେଉଛି ଉତ୍କଳୀୟ ପରମ୍ପରାର ପାରମ୍ପରିକ ଫେରନ୍ତା ଉପହାର।
ଫେରନ୍ତା ଉପହାରରେ ରୁପା ଗିନା
ଜାଗମରାର ବ୍ୟବସାୟୀ ଲୋକନାଥ ପାତ୍ରଙ୍କ ମତରେ ବିବାହ, ବ୍ରତ ଘର ହେଉ ଅଥବା କର୍ପୋରେଟ କାର୍ଯ୍ୟକ୍ରମ ସବୁଥିରେ ରିଟର୍ଣ୍ଣ ଗିଫ୍ଟରେ ସୁନା, ରୁପା, ପିତଳ, କାଠ ଓ ମାଟିରେ ତିଆରି ମା’ ଲକ୍ଷ୍ମୀ, ପ୍ରଭୁ ଶ୍ରୀଗଣେଶ ଓ ବୁଦ୍ଧଙ୍କ ପ୍ରତିମାର ବିକ୍ରି ବଢ଼ିବାରେ ଲାଗିଛି। ତେବେ ରୁପା ଗିନା ସହ ଚାମଚର ଚାହିଦା ଏବେ ଫେରନ୍ତା ଉପହାର ତାଲିକା ସର୍ବାଗ୍ରେ ରହୁଛି। ରୁପା ଗିନାରେ ଛୋଟ ଛୁଆ ଖାଇଲେ, ଖାଦ୍ୟ ଭଲ ହଜମ ହେବା ସହ ଉତ୍ତର ସ୍ବାସ୍ଥ୍ୟ ଭଲ ରୁହେ। ଏଣୁ ଏହା ଫେରନ୍ତା ଉପହାର ଭାବେ ବେଶ୍ ଉପଯୋଗୀ ହୋଇପାରିଛି। ଏହାବ୍ୟତୀତ ପଟ୍ଟଚିତ୍ର, ବିଭିନ୍ନ ପୂଜା ସାମଗ୍ରୀ, ପୁରୀ, କୋଣାର୍କ ମନ୍ଦିରର ପ୍ରତିକୃତି, ସୁଦର୍ଶନ ଚକ୍ର, ଭଗବାନଙ୍କ ଚିତ୍ର ଥିବା ଝୁମର, ଲାଇଟ୍ ଓ ଵାଲ୍ ହାଙ୍ଗିଂ ଆଦିର ବିକ୍ରି ବଢ଼ୁଛି। ଏଗୁଡ଼ିକର ମୂଲ୍ୟ ୫୦ ଟଙ୍କାରୁ ଆରମ୍ଭ ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/28/fshhfsxbvbvbvbv-2025-10-28-02-08-10.jpg)