ସ୍ପା ମାଲିକ ଶ୍ରୀନିବାସ ନନ୍ଦଙ୍କ ବିରୋଧରେ ଜାରି ହେବ ଏଲଓସି

ଭୁବନେଶ୍ୱର ଛାଡିଲେ ବିଦେଶିନୀ

ଭୁବନେଶ୍ୱର: ଖାରବେଳନଗର ଥାନା ଅଧୀନ ୟୁନିଟ-୩ରେ ସ୍ପା ନାଁ ସେକ୍ସ ର‍୍ୟାକେଟ ଚଳାଉଥିବା ଶ୍ରୀ ନିବାସ ନନ୍ଦ ଏବେ କେଉଁଠି। ଘଟଣାକୁ ଦୁଇ ସପ୍ତାହ ବିତି ଗଲାଣି କିନ୍ତୁ ଶ୍ରୀ ନିବାସର ପତ୍ତା ମିଳୁନି। ପୁଲିସ ଶ୍ରୀନିବାସର ଭୁବନେଶ୍ୱର ନୂଆପଲ୍ଲୀ ଘର, କେନ୍ଦ୍ରାପଡ଼ା ଘରେ ଘନ ଘନ ଚଢ଼ଉ କରୁଥିଲେ ମଧ୍ୟ ସେ ଖସି ଯିବାରେ ସକ୍ଷମ ହୋଇଛି। ତେଣୁ ଖୁବ୍‌ ଶୀଘ୍ର ଶ୍ରୀନିବାସଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ସର୍କୁଲାର ଜାରି ହେବ ବୋଲି ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ସ୍ପାରୁ ଧରା ପଡ଼ିଥିବା ୩ ଜଣ ଥାଇଲାଣ୍ଡ ଯୁବତୀଙ୍କୁ ଥାଇଲାଣ୍ଡ ପଠାଯିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜି ସନ୍ଧ୍ୟାରେ ଯୁବତୀମାନେ ଭୁବନେଶ୍ୱର ବିମାନବନ୍ଦରରୁ ଇଣ୍ଡିଗୋ ବିମାନ ଯୋଗେ କୋଲକାତା ଯାଇଛନ୍ତି। ସେଠାରୁ ସେମାନେ ଥାଇଲାଣ୍ଡ ଯିବେ ବୋଲି ଖାରବେଳନଗର ଥାନା ଇନ୍ସପେକ୍ଟର ଅନୁପ କାନୁନଗୋ କହିଛନ୍ତି।

ଦୁଇ ଦିନ ତଳେ ବିଦେଶୀ ଯୁବତୀମାନେ ଭାରତ ଛାଡ଼ିବା ସହିତ ସେମାନଙ୍କ ଭିସା କଳା ତାଳିକାଭୁକ୍ତ କରିବାକୁ ପୁଲିସ କମିସନର ଶ୍ରୀ ଖୁରାନିଆ ଗୃହ ବିଭାଗକୁ ଚିଠି ଲେଖିଥିଲେ। ଗୃହ ବିଭାଗ ପକ୍ଷରୁ ବିଦେଶୀ ଯୁବତୀମାନଙ୍କୁ ତୁରନ୍ତ ସେମାନଙ୍କ ଦେଶକୁ ପଠାଇ ଦେବାକୁ କମିସନରେଟ୍‌ ପୁଲିସକୁ ନିର୍ଦେଶ ହୋଇଥିଲା। କେବଳ ଏହି ଗୋଟିଏ ଘଟଣା କାହିଁକି ଅନେକ ସ୍ଥାନରେ ବିୟୁଟିପାର୍ଲର, ମସାଜ ସେଣ୍ଟର୍‌ ଓ ସ୍ପା ମାଲିକମାନେ ପୁଲିସ ଚଢ଼ଉ ପୂର୍ବରୁ ଫେରାର ହୋଇ ଯାଉଛନ୍ତି। ଥାନାର କିଛି ଅସାଧୁ କର୍ମଚାରୀଙ୍କ ସହିତ ଏହି ମାଲିକମାନଙ୍କର ଭିତରି ସମ୍ପର୍କ ରହୁଛି। ଯେଉଁ କାରଣରୁ ସେମାନେ ଗିରଫ ହୋଇ ପାରୁନାହାନ୍ତି। ପରେ କୋର୍ଟରୁ ଜାମିନ୍‌ରେ ଆସୁଛନ୍ତି ବୋଲି ଚର୍ଚା ହେଉଛି। ଏଠାରେ ପ୍ରକାଶଥାଉକି, ଦୁଇ ସପ୍ତାହ ତଳେ ଖାରବେଳନଗର ଥାନା ପୁଲିସ ୟୁନିଟ-୩ ଖାରବେଳନଗରରେ ଥିବା ‘ହେଭେନ ସ୍ପାଇ ଥା’ ଉପରେ ଚଢ଼ଉ କରି ୩ ଥାଇଲାଣ୍ଡ ଯୁବତୀଙ୍କ ସମେତ ୫ ଜଣଙ୍କୁ ଉଦ୍ଧାର କରିଥିଲା। ସେଠାରୁ ଦୁଇ ଗ୍ରାହକ ଓ ଦୁଇ ଜଣ ସ୍ପା କର୍ମଚାରୀଙ୍କୁ ମଧ୍ୟ ଗିରଫ କରାଯାଇଥିଲା।

ସମ୍ବନ୍ଧିତ ଖବର