ଭୁବନେଶ୍ୱର: ହକି ବିଶ୍ୱକପ ପାଇଁ କ୍ୟାପିଟାଲ ହସ୍ପିଟାଲ ପ୍ରସ୍ତୁତ। ବାହାରୁ ତଥା ଭୁବନେଶ୍ୱରରୁ ହକି ମ୍ୟାଚ୍ ଦେଖିବା ପାଇଁ ଆସୁଥିବା ଦର୍ଶକମାନଙ୍କ ପାଇଁ ହସ୍ପିଟାଲ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ହସ୍ପିଟାଲ ପରିସରରେ ୫୦ଟି ଶଯ୍ୟା ପ୍ରସ୍ତୁତ ରଖା ଯାଇଥିବା ବେଳେ ହସ୍ପିଟାଲରେ ଭିଡ଼ କମାଇବା ପାଇଁ ୟୁନିଟ-୪ ଓ ପଟିଆ ସ୍ୱାସ୍ଥ୍ୟକେନ୍ଦ୍ରରେ ୨୦ଟି ଶଯ୍ୟା ପ୍ରସ୍ତୁତ କରାଯାଇଛି। ଏହା ସହ ଜରୁରୀକାଳୀନ ବିଭାଗରେ ନିୟୋଜିତ ସମସ୍ତ ଡାକ୍ତର ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଥିବା ବେଳେ କଳିଙ୍ଗ ଷ୍ଟାଡିୟମରେ ଏକ ଫାଷ୍ଟଏଡ ସେଣ୍ଟର ବ୍ୟବସ୍ଥା କରାଯାଇଛି। ଏହି ସେଣ୍ଟରରେ ଜଣେ ଡାକ୍ତର, ନର୍ସ ଓ ଫାର୍ମାସିଷ୍ଟଙ୍କୁ ନିୟୋଜିତ କରାଯାଇଛି। ଅଧିକ ସେବା ଯୋଗାଇ ଦେବା ପାଇଁ ଅଧିକ ୫ଟି ଆମ୍ବୁଲାନ୍ସ ମଗା ଯାଇଛି। ଏହାସହ ଭିଡ଼କୁ ଦୃଷ୍ଟିରେ ରଖି ବର୍ତ୍ତମାନ ହସ୍ପିଟାଲରେ କରୋନା ଟେଷ୍ଟିଂ ମଧ୍ୟ ବଢ଼ାଯାଇ ଥିବା ହସ୍ପିଟାଲ ଅଧୀକ୍ଷକ ଡାକ୍ତର ଦିଲ୍ଲୀପ ପଣ୍ଡା ସୂଚନା ଦେଇଛନ୍ତି।

Advertisment

ଅପରପକ୍ଷରେ ଆଜିଠାରୁ କ୍ୟାପିଟାଲ ହସ୍ପିଟାଲରେ ଇ-ପଞ୍ଜୀକରଣ ବ୍ୟବସ୍ଥା ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଛି। ଆଜି ପ୍ରଥମ ଦିନରେ ୧୧୫ ଜଣ ରୋଗୀ ପଞ୍ଜୀକରଣ କରିଛନ୍ତି। ସାଧାରଣ ଲୋକମାନେ ରାତି ୧୨ଟାରୁ ଦିନ ୩ ଟା ଯାଏ ଇ-ସ୍ବାସ୍ଥ୍ୟ. ଓଡ଼ିଶା ୱେବସାଇଟରେ ଅନଲାଇନ୍ ପଞ୍ଜୀକରଣ କରିବେ। ଦୈନିକ ୫୦୦ଟି ଟିକେଟ ଇ-ପଞ୍ଜୀକରଣ ପାଇଁ ରଖା ଯାଇଥିବା ବେଳେ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଡାକ୍ତରଙ୍କୁ ସାକ୍ଷାତ କରିବାର ବ୍ୟବସ୍ଥା କରାଯାଇଛି। ଟିକଟ ପଞ୍ଜୀକରଣ ପରେ ନିଜେ ପ୍ରିଣ୍ଟ କିମ୍ବା ହସ୍ପିଟାଲ ପରିସରସ୍ଥ ଔଷଧ ବିତରଣ କେନ୍ଦ୍ର ନିକଟରେ କ୍ୟୁ ଆର କୋଡ ସ୍କାନ କରି ଟିକେଟ ପାଇ ପାରିବେ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।