ତଣ୍ଡ ଗଣିଲେ ୮୫୫ ଅମାନିଆ, ଗହଳି ଉପରେ ସ୍ବତନ୍ତ୍ର ନଜର

ଭୁବନେଶ୍ବର: ଭିଡ଼କୁ କ୍ଷମା ନାହିଁ। କୌଣସି ପରିସ୍ଥିତିରେ ଭିଡ଼ କରୁଥିବା ଲୋକକୁ ଛଡ଼ା ଯିବ ନାହିଁ। ଉଭୟ ବ୍ୟବସାୟୀ ଓ ଗ୍ରାହକ ଦଣ୍ଡିତ ହେବେ। ହାଟ, ବଜାର, ସୋ ରୁମ୍‌, ମଲ୍‌, ସବୁଠି କଡ଼ା ନଜର। କୋଭିଡ୍‌ କଟକଣାକୁ ଏଭଳି କଡ଼ାକଡ଼ି କରିଛି କମିସନରେଟ୍‌ ପୁଲିସ। ଏ ନେଇ ଆଜି ସମସ୍ତ ସ୍କ୍ବାଡ୍‌କୁ ତାଗିଦ କରାଯାଇଛି।

୧ ନମ୍ବର ମାର୍କେଟ ସମେତ ମାର୍କେଟ୍‌ ବିଲ୍ଡିଂ, ୟୁନିଟ୍‌-୪, ନୂଆପଲ୍ଲୀ ଇନ୍ଦ୍ରଧନୁ ମାର୍କେଟ୍‌, ସିଆର୍‌ପି ପ୍ରିୟଦର୍ଶିନୀ ମାର୍କେଟ୍‌, ନ୍ୟୁ ଏୟାରପୋର୍ଟ ରୋଡ୍‌ ସମେତ ଚିହ୍ନଟ ହୋଇଥିବା ୩୧ଟି ଜାଗାରେ ଆଜି ସନ୍ଧ୍ୟାରେ ସ୍ବତନ୍ତ୍ର ଡ୍ରାଇଭ୍‌ କରାଯାଇଛି। ଏହି ସବୁ ସ୍ଥାନରେ କଡ଼ା ନଜର ରହିବା ସହ ପବ୍ଲିକ୍‌ ଆଡ୍ରେସ୍‌ ସିଷ୍ଟମ୍‌ ଜରିଆରେ ନିୟମିତ ସଚେତନତା ସୃଷ୍ଟି କରାଯାଉଛି। ଏଣୁ ପୂର୍ବାପେକ୍ଷା ଗହଳି କମ୍‌ ରହିଥିବା‌ କମିସନରେଟ୍‌ ପୁଲିସ ପକ୍ଷରୁ ସୂଚନା ମିଳିଛି।

ପୂର୍ବ ଦିନ ଭଳି ଆଜି ମଧ୍ୟ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଡିସିପି ଉମାଶଙ୍କର ଦାଶ ସଦଳବଳ ଆଜି ବିଭିନ୍ନ ଗହଳି ସ୍ଥାନରେ ଚଢ଼ଉ କରିଛନ୍ତି। ବଡ଼ବଡ଼ ବ୍ୟବସାୟୀମାନେ ଗ୍ରାହକମାନଙ୍କୁ ସଚେତନ କରୁଥିବା ଦେଖାଯାଇଥିବା ବେଳେ କେତେକ ମଲ୍‌ରେ ଭିଡ଼ ନିୟନ୍ତ୍ରଣ ନେଇ କୌଣସି ବ୍ୟବସ୍ଥା ନ ଥିବା ଦେଖିଥିଲେ। ସେମାନଙ୍କୁ ସଚେତନ କରିବା ସହ ସେଠାରେ ସ୍ବତନ୍ତ୍ର ନଜର ରଖିବାକୁ ସ୍କ୍ବାଡ୍‌କୁ ନିର୍ଦ୍ଦେଶ ଦେଇଥିଲେ।

ଅନ୍ୟପଟେ ‘ନାଇଟ୍‌ କର୍ଫ୍ୟୁ’ ସମୟରେ ପୂର୍ବଭଳି ରାସ୍ତାଘାଟ ଫାଙ୍କା ରହିଛି। ପୁଲିସ ଧରପଗଡ଼ ଓ ଜରିମାନା ଭୟରେ ଏହି ସମୟରେ ଲୋକମାନଙ୍କର ଚଳପ୍ରଚଳ କମିଥିବା କୁହାଯାଉଛି। ଦିନବେଳା କିନ୍ତୁ ଅମାନିଆଙ୍କ ସଂଖ୍ୟା କମୁନାହିଁ। ଗତକାଲି ୮୦୨ ଅମାନିଆଙ୍କଠାରୁ ୧ଲକ୍ଷ ୬୩ ହଜାର ଶହେ ଟଙ୍କା ଜରିମାନା ଆଦାୟ ହୋଇଥିବା ବେଳେ ଆଜି ୮୫୫ ଅମାନିଆଙ୍କଠାରୁ ୧ ଲକ୍ଷ ୫୩ ହଜାର ୨ଶହ ଟଙ୍କା ଜରିମାନା ଆଦାୟ ହୋଇଛି। ଗତକାଲି ଅପେକ୍ଷା ଅମାନିଆଙ୍କ ସଂଖ୍ୟା ବଢ଼ିଥିବା ବେଳେ ଜରିମାନା ପରିମାଣ କମ୍‌ ରହିଛି।

ଏ ନେଇ ଡିସିପି ଉମାଶଙ୍କର ଦାଶ କହିଛନ୍ତି, ରାତ୍ରିକାଳୀନ କର୍ଫ୍ୟୁ ବେଳେ ପୂର୍ବବତ୍‌ ଭିଡ଼ କମ୍‌ ରହିଛି। ସନ୍ଧ୍ୟାରେ ଭିଡ଼ ଜାଗାରେ ବ୍ୟବସାୟୀମାନଙ୍କୁ ସଚେତନ କରାଯିବା ପରେ ଆଜି ଅପେକ୍ଷାକୃତ ଭିଡ଼ କମ୍‌ ଦେଖାଯାଇଛି। ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ନିୟମିତ ଘୂରି ବୁଲିବା ସହ ଜରିମାନା ଆଦାୟ କରୁଛି।

ସମ୍ବନ୍ଧିତ ଖବର