ପରିମଳକୁ ନେଇ ସ୍ବତନ୍ତ୍ର କର୍ପୋରେସନ ବୈଠକ: ଟେଣ୍ଡର୍‌ରେ ମାଳମାଳ ତ୍ରୁଟି, ସାନି ଟେଣ୍ଡର ପାଇଁ ଉଠିଲା ଦାବି

କର୍ପୋରେଟରଙ୍କ ମୁଣ୍ଡରେ ଅଠା ବୋଳିବାକୁ ବସିଥିଲେ,  ପ୍ରଶ୍ନବାଣରେ ମୁଖ୍ୟଯନ୍ତ୍ରୀ ଘାଇଲା

ଭୁବନେଶ୍ବର : ନୂଆ ପରିମଳ ପ୍ୟାକେଜ୍‌ରେ ହୋଇଥିବା ବ୍ୟାପକ ତ୍ରୁଟି ଧରା ପଡ଼ିଯିବା ପରେ ବିଏମ୍‌ସି ପାଇଁ ଅଡ଼ୁଆ ବଢ଼ିଯାଇଛି। ଅଫିସର୍‌ ଭୁଲ କରିଦେଇ କର୍ପୋରେଟରଙ୍କ ମୁଣ୍ଡରେ ଅଠା ବୋଳିବାକୁ ଯେଉଁ ଯୋଜନା କରିଥିଲେ ତାହା ଫସର ଫାଟିଛି। ପରିମଳକୁ ନେଇ ଗୁରୁବାର ଦିନ ବସିଥିବା ସ୍ବତନ୍ତ୍ର ବୈଠକରେ ଏହି ପ୍ୟା‌କେଜ୍‌ ବ୍ୟବସ୍ଥାକୁ ଘୋର ବିରୋଧ ହେବା ସହ ଏହାକୁ ବାତିଲ କରିବାକୁ ଦାବି ହୋଇଛି। କର୍ପୋରେଟରମାନେ କେବଳ ବିରୋଧ କରିନାହାନ୍ତି ବରଂ କମ୍ପୋଜିଟ୍‌ ଟେଣ୍ଡର ପାଇଁ ଦାବି କରିଛନ୍ତି। ଟେଣ୍ଡର ପ୍ରକ୍ରିୟାରେ ରହିଥିବା ଯାବତୀୟ ତ୍ରୁଟିକୁ ଧରି କର୍ପୋରେଟରମାନେ ଉତ୍ତର ମାଗିଛନ୍ତି। ଏହି ତ୍ରୁଟିପୂର୍ଣ୍ଣ ଟେଣ୍ଡର ହେବା ପରେ ଦାୟିତ୍ବ ନେଇଥିବାରୁ ମେୟର ଓ କମିସନର ଏହି ବିବାଦରୁ ମୁକୁଳି ଯାଇଛନ୍ତି। ଟେଣ୍ଡରର ମୁଖ୍ୟ ପୁରୋଧା ସାଜିଥିବା ମୁଖ୍ୟ ଯନ୍ତ୍ରୀ (ପରିମଳ) ପ୍ରଶାନ୍ତ କୁମାର ମହାପାତ୍ର କର୍ପୋରେଟରମାନଙ୍କର ପ୍ରଶ୍ନ ବାଣରେ ଥତମତ ହୋଇପଡ଼ିଛନ୍ତି, କୌଣସି ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇପାରିନାହାନ୍ତି। ଶେଷରେ ଏହି ତ୍ରୁଟିପୂର୍ଣ୍ଣ ଟେଣ୍ଡରକୁ ବାତିଲ କରି କମ୍ପୋଜିଟ୍‌ ଟେଣ୍ଡର କରିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଆଗକୁ ହକି ବିଶ୍ବକପ୍‌ ଏଠାରେ ଆୟୋଜିତ ହେବାକୁ ଯାଉଥିବାରୁ ସହରକୁ ସ୍ବଚ୍ଛ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏଣୁ ଏହି ଇଭେଣ୍ଟ ପରେ ପ‌ରେ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି ବିଏମ୍‌ସି କହିଛି।

Times of India

ନୂଆ ପରିମଳ ପ୍ୟାକେଜ୍‌ରେ ତ୍ରୁଟି ଥିବାରୁ ସଫେଇ କାର୍ଯ୍ୟରେ ଘୋର ଅବ୍ୟବସ୍ଥା ହୋଇଥିଲା। ଦୀର୍ଘ ଦିନ ଧରି ଅଡ଼ୁଆ ଲାଗି ରହିବାରୁ ବିଏମ୍‌ସି କର୍ପୋରେଟରଙ୍କ ମୁଣ୍ଡରେ ଅଠା ବୋଳି ଏହି ଅଡ଼ୁଆରୁ ମୁକ୍ତି ପାଇବାକୁ ଯୋଜନା କରିଥିଲା। ପୂର୍ବରୁ ଅନେକ ନିଷ୍ପତ୍ତିରେ କର୍ପୋରେଟରମାନେ ଆଖିବୁଜି ‘ହଁ’ ଭରିଥିବାରୁ ଆଜି ନିଜ ଉଦ୍ୟମରେ ସଫଳ ହେବାକୁ ବିଏମ୍‌ସି ସ୍ବପ୍ନ ଦେଖିଥିଲା। କିନ୍ତୁ କର୍ପୋରେଟର ନୃପେଶ ନାୟକ, ପ୍ରୀତିନନ୍ଦା ରାଉତରାୟ, ମହାମାୟା ସ୍ବାଇଁ ଏହି ତ୍ରୁଟିପୂର୍ଣ୍ଣ ଟେଣ୍ଡର ବିରୋଧରେ ସ୍ବର ଉଠାଇଥିଲେ।

ଘର ଘର ବୁଲି ଆବର୍ଜନା ସଂଗ୍ରହ କରୁଥିବା କାମ ୧୦ଟି ଏନ୍‌ଜିଓ କରୁଛି। ସଂସ୍ଥାମାନଙ୍କୁ ୬୮ କୋଟି ଟଙ୍କା ଦିଆଯାଉଛି। ଏମାନଙ୍କୁ ବିଏମ୍‌ସି ୪ଶହ ଗାଡ଼ି ଯୋଗାଇଛି। ଗାଡ଼ି ଚଳାଇବା ପାଇଁ ଚାଳକ ମଧ୍ୟ ବିଏମ୍‌ସି ଦେଇଛି। ଏମାନଙ୍କ କାର୍ଯ୍ୟ ତଦାରଖ କରିବାକୁ ବିଏମ୍‌ସି ସ୍ବଚ୍ଛ ସାଥୀଙ୍କୁ ଦରମା ଦେଇ ରଖିଛି। ପୂର୍ବରୁ କମ୍ପୋଜିଟ୍‌ ଟେଣ୍ଡରରେ ଯେଉଁ ସଂସ୍ଥା ରାସ୍ତା ସଫା କରୁଥିଲା ସେହି ସଂସ୍ଥା ହିଁ ଆବର୍ଜନା ସଂଗ୍ରହ କରୁଥିଲା। ଏବେ ରାସ୍ତା ଆଉ ଗୋଟିଏ ସଂସ୍ଥା ସଫା କରୁଛି। ଏଭଳି ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି କିଏ ନେଇଥିଲା? କାହା ସ୍ବାର୍ଥରେ ଏଭଳି ବ୍ୟବସ୍ଥା ହୋଇଛି ବୋଲି ନୃପେଶ ନାୟକ ପ୍ରଶ୍ନ କରିଥିଲେ। ହେଲେ ଏହାର ସନ୍ତୋଷଜନକ ଉତ୍ତର ପାଇନଥିଲେ ମୁଖ୍ୟଯନ୍ତ୍ରୀ।

ନୂଆ ପ୍ୟାକେଜ୍‌‌ରେ ୩ ବର୍ଷକୁ ୧୦ କୋଟି ଖର୍ଚ୍ଚ। ଆବର୍ଜନା ଉଠାଇବା ପାଇଁ ଦୁଇଟି ୱାର୍ଡକୁ ଗୋଟିଏ ଗାଡ଼ି ଯୋଗାଇ ଦିଆଯାଇଛି। ହେଲେ ୪ଟି ଗାଡ଼ିର ଆବଶ୍ୟକତା ରହିଛି। ଏହା ପ୍ରମାଣିତ ହେବା ପରେ ଆବଶ୍ୟକ ହେଉଥିବା ଗାଡ଼ି ନିଜେ ବିଏମ୍‌ସି ଯୋଗାଇଛି। ଥରେ ଗୋଟିଏ ସଂସ୍ଥା ଟେଣ୍ଡର ନେବା ପରେ ବିଏମ୍‌ସି କାହିଁକି ନିଜ ପାଣ୍ଠିରୁ ଖର୍ଚ୍ଚ କରି ଗାଡ଼ି ଯୋଗାଇବ? ଏ ପ୍ରଶ୍ନର ମଧ୍ୟ ସନ୍ତୋଷଜନକ ଉତ୍ତର ମିଳିନଥିଲା।

ସେହିଭଳି ଏକ ସ୍ବଚ୍ଛ ଭାରତ ସେଲ୍‌ ଗଠନ କରାଯାଇଛି। ଏଥିରେ ପରିବେଶ ଯନ୍ତ୍ରୀଙ୍କ ସମେତ ଏକାଧିକ ଟେକ୍‌ନିକାଲ ଲୋକ ରହିଛନ୍ତି। ଏମାନେ ଏମ୍‌ସିସି ଓ ଏମ୍‌ଆରଏଫ୍‌ ଯାଇ ଯାଞ୍ଚ କରିବେ ଓ ରିପୋର୍ଟ ଦେବାକୁ ଧାର୍ଯ୍ୟ କରାଯାଇଛି। ହେଲେ ଦିନେ ହେଲେ କୌଣସି କର୍ପୋରେଟର ଏମାନଙ୍କୁ ଦେଖିନାହାନ୍ତି। ଏମାନେ କଣ କରୁଛନ୍ତି? ଏମାନଙ୍କର କାମ କିଏ ସମୀକ୍ଷା କରୁଛି? ଏମାନଙ୍କର ଶିକ୍ଷାଗତ ଯୋଗ୍ୟତା କଣ? ଏମାନଙ୍କ ଉପ‌ରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି? ଏ ସବୁ ପ୍ରଶ୍ନର ମଧ୍ୟ ଉତ୍ତର ମିଳିନଥିଲା।

୪୩ଟି ଏମ୍‌ସିସି‌ରେ ରହିଥିବା ସ୍ରେଡିଂ ମେସିନ୍‌ରୁ ୨୭ଟି ଖରାପ। ଗୋଟିଏ ମେସିନ୍‌ର ଦାମ୍‌ ପାଖାପାଖି ୧୭ ଲକ୍ଷ। ଏବେ ୨୨ଟି କିଣିବାକୁ ବିଏମ୍‌ସି ଯୋଜନା କରିଛି। ଏଥିରେ ପ୍ରାୟ ୩.୭ କୋଟି ଖର୍ଚ୍ଚ ହେବ। ଏହି ମେସିନ୍‌ ସବୁ ଦେଢ଼ବର୍ଷ ତଳେ କିଣା ଯାଇଥିଲା। କୋଟି କୋଟି ଟଙ୍କାର ଦେଢ଼ବର୍ଷ ଗଲା ନାହିଁ। ଏହାର ଗ୍ୟାରେଣ୍ଟି କିମ୍ବା ୱାରେଣ୍ଟି ମଧ୍ୟ ନାହିଁ। କିଭଳି କିଣାଗଲା ପ୍ରଶ୍ନରେ ଉତ୍ତର ମିଳିଥିଲା କି ଏହା ଜିଇଏମ୍‌(ଗଭର୍ଣମେଣ୍ଟ ଇ-ମାର୍କେଟ୍‌) ଜରିଆରେ କିଣା ଯାଇଥିଲା। ତେବେ ଜସାଧାରଣଙ୍କ ଟଙ୍କା ଖର୍ଚ୍ଚ କଲା ବେଳେ କାହିଁକି ବିଏମ୍‌ସି ଅଧିକାରୀମାନେ ଦାୟିତ୍ବବାନ୍‌ ହେଲେନି ବୋଲି ପ୍ରଶ୍ନରେ ଅଧିକାରୀ ନିରବ ରହିଥିଲେ। ଏ ସବୁ ଭୁଲ୍‌ ପାଇଁ ଅଧିକାରୀଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ବୋଲି ସେମାନେ ଦାବି କରିଥିଲେ।

ସମ୍ବନ୍ଧିତ ଖବର