ଭୁବନେଶ୍ବର: ଏଣିକି କମିସନରେଟ୍ ପୁଲିସ ମୁଖ୍ୟାଳୟରୁ ଅପରାଧୀଙ୍କ ଉପରେ ସ୍ବତନ୍ତ୍ର ନଜର ରହିବ। ଏନେଇ ଆଜି କମିସନରେଟ୍ ପୁଲିସ ମୁଖ୍ୟାଳୟରେ ‘ସ୍ବତନ୍ତ୍ର ଅପରାଧ ଶାଖା ଥାନା’କୁ ଉଦ୍ଘାଟନ କରାଯାଇଛି। ମୁଖ୍ୟ ଅତିଥି ଭାବେ ପୁଲିସ ଡିଜି ସୁନୀଲ୍ ବଂଶଲ ଯୋଗଦେଇ ଥାନାକୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଅତିରିକ୍ତ ପୁଲିସ କମିସନର ଉମାଶଙ୍କର ଦାଶ, ଡିସିପି ପୀନାକ ମିଶ୍ର ଏବଂ ଡିସିପି ପ୍ରତୀକ ସିଂ ମଧ୍ୟ ଉପସ୍ଥିତ ଥିଲେ। ତେବେ ଏହି ଥାନା ଦ୍ବୈତନଗରୀର ଯେକୌଣସି ଥାନା ଅଞ୍ଚଳରେ ଘଟୁଥିବା ଅପରାଧ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ।
ବିଶେଷ କରି ଡ୍ରଗ୍ସ, ଠକେଇ, ଅନ୍ଲାଇନ୍ ଠକେଇ ସହ ବିଭିନ୍ନ ସଂଗଠିତ ଅପରାଧ ଭଳି ମାମଲାରେ ଅପରାଧୀଙ୍କୁ ବାନ୍ଧିବ ଏହି ସ୍ବତନ୍ତ୍ର ଥାନା। ଜଣେ ଡିସିପି ରୢାଙ୍କର ଅଧିକାରୀଙ୍କ ନେତୃତ୍ବରେ ୩ଜଣ ଏସିପି, ୯ଜଣ ଆଇଆଇସି, ୧୨ଜଣ ଏସ୍ଆଇ, ୩ଜଣ ଏଏସ୍ଆଇଙ୍କ ସମେତ ୬୦ଜଣ ପୁଲିସ କର୍ମଚାରୀ ଥାନାରେ ନିୟୋଜିତ ରହିବେ। ଡ୍ରଗ୍ସ କାରବାର ଓ ଅନ୍ଲାଇନ୍ ଠକେଇ ଦ୍ବୈତନଗରୀ ବାସିନ୍ଦାଙ୍କ ନିଦ ହଜାଇ ଦେଇଦେଇଥିବା ବେଳେ ଏହି ସ୍ବତନ୍ତ୍ର ଅପରାଧ ଶାଖା ଥାନା (ସ୍ପେସାଲ କ୍ରାଇମ୍ ୟୁନିଟ୍) ଅପରାଧୀଙ୍କୁ ଦମନ କରିବାରେ ସହାୟକ ହେବ ବୋଲି ଜଣେ ଅଧିକାରୀ କହିଛନ୍ତି।