ଭୁବନେଶ୍ବର: ନିଶା କାରବାରକୁ କେନ୍ଦ୍ର କରି ରାଜଧାନୀ ଅଶାନ୍ତ ହେଉଥିବାରୁ ନିଶା ବେପାରୀଙ୍କୁ ସାବାଡ୍‌ କରିବା ପାଇଁ କମିସନରେଟ୍‌ ପୁଲିସ୍‌ ପକ୍ଷରୁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି। ଗତ ସପ୍ତାହକ ମଧ୍ୟରେ ପୁଲିସ୍‌ ରାଜଧାନୀର ବିଭିନ୍ନ ସ୍ଥାନରେ ଚଢ଼ଉ କରି ବିପୁଳ ନିଶା ସାମଗ୍ରୀ ଜବତ କରିବା ସହ ବହୁ ନିଶା ବେପାରୀଙ୍କୁ ଗିରଫ କରିଛି। ଏହି କ୍ରମରେ ଆଜି ଭୁବନେଶ୍ବର ଡିସିପି ପ୍ରତୀକ ସିଂହଙ୍କ ନେତୃତ୍ବରେ ୪ଜଣ ଇନ୍ସପେକ୍ଟର୍, ୧୨ଜଣ ଏସ୍‌ଆଇ ଓ ଏଏସ୍‌ଆଇ, ଜୋନ୍-୫ ଏସିପି ଓ ନୂଆପଲ୍ଲୀ ଥାନା ପୁଲିସ୍‌ର ଏକ ଟିମ୍‌ ସାଲିଆସାହିର ଇଡ୍‌କୋ ବସ୍ତିରେ ଚଢ଼ଉ କରିଛି। ଏହି ଟିମ୍‌ ବସ୍ତିରେ ବେଆଇନ ଭାବେ ଚାଲିଥିବା ପ୍ରାୟ ୫୦ରୁ ଅଧିକ ମଦଭାଟି ଭାଙ୍ଗିବା ସହ ୧୦ଟି ଘରେ ଚଢ଼ଉ କରି ୪୨୦ଲିଟର ଦେଶୀ ମଦ ଜବତ କରିଛି। ଏହାବ୍ୟତୀତ ବିପୁଳ ପରିମାଣର ପୋଚ ନଷ୍ଟ କରାଯାଇଛି। ଏହାସହ ବେଆଇନ ଭାବେ ଦେଶୀ ମଦ ପ୍ରସ୍ତୁତ ଓ ବିକ୍ରି ଅଭିଯୋଗରେ ୭ଜଣ ମହିଳାଙ୍କ ବିରୋଧରେ ମାମଲା ରୁଜୁ କରିବା ପରେ ସେମାନଙ୍କୁ ନୋଟିସ୍ ଦେଇ ନୂଆପଲ୍ଲୀ ଥାନା ପୁଲିସ୍‌ ଛାଡ଼ି ଦେଇଛି।

କେମିତି ଧରାପଡ଼ିଲେ

Advertisment

ଗତ ୧୬ ତାରିଖ ସକାଳ ପ୍ରାୟ ୭ଟା ବେଳେ ନୂଆପଲ୍ଲୀ ଥାନା ପୁଲିସ ଖବର ପାଇଥିଲା ଯେ ସାଲିଆସାହି ବାଜପେୟୀନଗର ବସ୍ତିରେ ମା’ ପୁଅ ଗଞ୍ଜେଇ ବେପାର କରୁଛନ୍ତି। ଯାତ୍ରା ପଡ଼ିଆ ନିକଟରେ ଏକ ପାନ ଦୋକାନ ଖୋଲାଯାଇଥିବା ବେଳେ ସେଠାରେ ଚୋରାରେ ଗଞ୍ଜେଇ ସିଗାରେଟ୍ ଓ ଛୋଟ ଛୋଟ କାଗଜ ପୁଟୁଳିରେ ଗଞ୍ଜେଇ ମିଳୁଛି। ସମର୍ଥିତ ସୂତ୍ରରୁ ସୂଚନା ପାଇ ନୂଆପଲ୍ଲୀ ଥାନା ପୁଲିସ ଉକ୍ତ ଦୋକାନରେ ଚଢ଼ଉ କରିଥିଲା ଏବଂ ମା’ ଚନ୍ଦୁରି ନାୟକ ଓ ପୁଅ ସିଲୁକୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ପ୍ରାୟ ୨୧କେଜିରୁ ଅଧିକ ଗଞ୍ଜେଇ ଜବତ କରାଯାଇଥିଲା।

publive-image
ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଗିରଫ କରି ପୁଲିସ ଚନ୍ଦୁରିକୁ ପଚରାଉଚରା କରିବା ପରେ ଜଣାପଡ଼ିଥିଲା ଯେ ବାଜପେୟୀନଗର ନିକଟକୁ ଲାଗିଥିବା ଇଡ୍‌କୋ ବସ୍ତିରେ ଘରେ ଘରେ ଦେଶୀ ମଦ ଭାଟି ଖୋଲିଛି। ଚାଉଳି ଓ ମହୁଲି ସହାୟତାରେ ଦେଶୀ ମଦ ପ୍ରସ୍ତୁତ କରାଯାଇ ରାତିରେ ରାଜଧାନୀର ବିଭିନ୍ନ ବସ୍ତି ଅଞ୍ଚଳକୁ ପଠାଯାଉଛି। ପ୍ରାୟ ୩ ଦିନ ବସ୍ତି ଉପରେ ଗୁପ୍ତ ନଜର ରଖିବା ପରେ ଆଜି ସକାଳୁ ପୁଲିସ ଚଢ଼ଉ ଆରମ୍ଭ କରିଥିଲା। ଚଢ଼ଉ ଦେଖି ଘଟଣାସ୍ଥଳରୁ ଏକାଧିକ ନିଶାମାଫିଆ ଖସି ଯାଇଥିଲେ ମଧ୍ୟ ପୁଲିସ ସେମାନଙ୍କ ଭାଟି ଭାଙ୍ଗିଥିଲା। ଏହାସହ ଘରର ସୁଡ଼ଙ୍ଗକୁ ସଂଯୋଗ କରିଥିବା ଗୁପ୍ତ ଘରେ ଚଢ଼ଉ କରି ବିପୁଳ ପୋଚ ନଷ୍ଟ କରିବା ସହିତ ସରଞ୍ଜାମ ଜବତ କରିଥିଲା।