କଟକ: କରୋନା ସଂକ୍ରମଣ ଜନିତ ସ୍ଥିତିରେ ଛାତ୍ରଛାତ୍ରୀମାନଙ୍କ ପାଠପଢ଼ାରେ ଯେଉଁ କ୍ଷତି ହୋଇଛି, ତାହାକୁ ଭରଣା କରିବା ପାଇଁ ସରକାର ସ୍ବତନ୍ତ୍ର ଶିକ୍ଷାଦାନ ନୀତି ଆଣନ୍ତୁ ବୋଲି ଦର୍ଶାଇ ଅଲ୍ ଇଣ୍ଡିଆ ପ୍ୟାରେଣ୍ଟସ୍ ଆସୋସିଏସନ୍ ଦାୟର କରିଥିବା ମାମଲାରେ ପକ୍ଷଭୁକ୍ତ ହେବା ପାଇଁ ଡିଏଭି ପବ୍ଲିକ୍ ସ୍କୁଲ ଓଡ଼ିଶା ଜୋନ୍ ଓ ଆସୋସିଏସନ୍ ଅଫ୍ ଓଡ଼ିଶା ଆଇସିଏସଇ ସ୍କୁଲ୍ସ୍ ଆବେଦନ ଦାୟର କରିଛନ୍ତି। ହାଇକୋର୍ଟ ମାମଲାର ଶୁଣାଣି କରି ଏପରି ପିଟିସନକୁ ଗ୍ରହଣ କରିବା ସହିତ ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୯କୁ ଧାର୍ଯ୍ୟ କରିଛନ୍ତି। ସ୍କୁଲ ଫି ଛାଡ଼ ପ୍ରସଙ୍ଗରେ ଅନ୍ୟ ମାମଲାରେ ଗତ ମାସରେ ରାଜ୍ୟ ଓ ଗଣଶିକ୍ଷା ସଚିବ ଦାଖଲ କରିଥିବା ରିପୋର୍ଟର କପି ଆବେଦନକାରୀଙ୍କୁ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ ବି.ଆର. ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ କରୋନା ସଂକ୍ରମଣ ଯୋଗୁଁ ସୃଷ୍ଟି ହୋଇଥିବା ସ୍ଥିତିରେ ସମସ୍ତ ସ୍କୁଲ ମାର୍ଚ୍ଚ ମାସରୁ ବନ୍ଦ ଥିବାବେଳେ ବହୁ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ ପ୍ରକ୍ରିୟାରୁ ବାଦ ପଡ଼ିଛନ୍ତି। ଏହି ଛାତ୍ରଛାତ୍ରୀମାନଙ୍କ ପାଠପଢାରେ ଯେଉଁ କ୍ଷତି ହୋଇଛି ତାହାକୁ ଭରଣା କରିବା ପାଇଁ ସରକାର ସ୍ବତନ୍ତ୍ର ଏକାଡେମିକ୍ ପଲିସି ଆଣନ୍ତୁ ବୋଲି ଦର୍ଶାଇ ଅଲ୍ ଇଣ୍ଡିଆ ପ୍ୟାରେଣ୍ଟସ୍ ଆସୋସିଏସନ୍ ସଭାପତି ପି. ନାୟକ ହାଇକୋର୍ଟରେ ଏହି ଜନସ୍ବାର୍ଥ ମାମଲା ଦାୟର କରିଛି। ଆବେଦନରେ ଦର୍ଶାଯାଇଛି ଯେ ଅନ୍ଲାଇନରେ ପାଠପଢା ଚାଲିଛି ବୋଲି କୁହାଯାଉଛି। କିନ୍ତୁ ରାଜ୍ୟରେ ବହୁ ଗରିବ ପିଲାଙ୍କ ପାଖରେ କମ୍ପ୍ୟୁଟର ବା ମୋବାଇଲ ଫୋନ୍ ନାହିଁ। ସେହିଭଳି ଭାବେ ମୋବାଇଲ ନେଟୱର୍କ ମଧ୍ୟ ବହୁ ସ୍ଥାନରେ ନାହିଁ। ଏଥିସହିତ ଅନ୍ଲାଇନ କ୍ଲାସ ବ୍ୟବସ୍ଥା ସହିତ ପୂର୍ବରୁ ଅଭ୍ୟସ୍ତ ନଥିବା ଅଧିକାଂଶ ଛାତ୍ରଛାତ୍ରୀ ଏହା ଦ୍ବାରା ଠିକ୍ ଭାବେ ପାଠ ପଢି ପାରୁନାହାନ୍ତି। ଏଭଳି ସ୍ଥିତିରେ ଅନେକ ଛାତ୍ରଛାତ୍ରୀ ଏହି ଶିକ୍ଷାବର୍ଷରେ ଜମାରୁ ପାଠ ପଢିବାର ସୁଯୋଗ ପାଇ ନାହାନ୍ତି ବୋଲି ଅଭିଯୋଗ ହେଉଛି। କେବଳ କୋର୍ସ କମାଇଦେଲେ ଚଳିବ ନାହିଁ। ଛାତ୍ରଛାତ୍ରୀମାନେ ଶିକ୍ଷା ଗ୍ରହଣ କ୍ଷେତ୍ରରେ ଯେଉଁ କ୍ଷତି ସହିଛନ୍ତି ତାହାକୁ ଭରଣା କରିବା ପାଇଁ ସରକାର ନୀତିଗତ ନିଷ୍ପତ୍ତି ନେଇ ଶିକ୍ଷାଦାନ ସଂପର୍କିତ ନୀତି ଆଣିବା ଉଚିତ ବୋଲି ଆବେଦନରେ ଦର୍ଶାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଦୀପକ କୁମାର ମହାପାତ୍ର ଏବଂ ପ୍ରତିପକ୍ଷଙ୍କ ତରଫରୁ ଆଇନଜୀବୀ ସମୀର କୁମାର ଦାସ, ପତିତପାବନ ପଣ୍ଡା ଓ ଦୟାନିଧି ଲେଙ୍କା ମାମଲା ପରିଚାଳନା କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/Orissa-High-Court-2.jpg)