ଭୁବନେଶ୍ୱର: କେରଳ ବନ୍ୟା ପ୍ରପୀଡ଼ିତମାନଙ୍କୁ ଉଦ୍ଧାର କରିବା ପାଇଁ ୫ ଦିନ କେରଳ ଯାଇଥିବା ଓଡ଼ିଶା ଅଗ୍ନିଶମ ସେବା ବିଭାଗର ୧୨୨ଜଣ ଆଗ୍ନିକ ଆଜି ଭୁବନେଶ୍ୱର ଫେରି ଆସିଛନ୍ତି। ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ଆଜି ସେମାନେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଛନ୍ତି। ଆସନ୍ତାକାଲି ଆଉ ୧୨୩ ଜଣ ଅଗ୍ନିଶମ କର୍ମଚାରୀ ଓଡ଼ିଶା ଫେରି ଆସିବେ। ତେବେ ଆଜି ପହଞ୍ଚିଥିବା ଦଳ କେରଳର ବନ୍ୟା ବିଭୀଷିକା ସଂପର୍କରେ ଗଣମାଧ୍ୟମ ସହ ନିଜର ଯେଉଁ ଅନୁଭୂତି ବାଣ୍ଟିଛନ୍ତି, ତାହା ଅତ୍ୟନ୍ତ ହୃଦୟ ବିଦାରକ ଓ ଲୋମଟାଙ୍କୁରା। ସେମାନେ କହିଛନ୍ତି, ‘‘ଆକାଶ ମାର୍ଗରୁ କେରଳ ଯେମିତି ସମୁଦ୍ରରେ ବିଲୀନ ହେଲା ଭଳି ଦେଖାଯାଉଥାଏ। ଆମ ବିମାନ ଲ୍ୟାଣ୍ଡିଂ କରିବା ପରେ ଅପରେସନ୍କୁ ବାହରିଲୁ। ରାସ୍ତାଘାଟ କିଛି ଦିଶୁ ନଥାଏ; ସବୁଆଡ଼େ ଅକାତକାତ ପାଣି। ଦୁଇ ମହଲା ଘର ବି ବୁଡ଼ି ଯାଇଥାଏ। ଲୋକମାନେ ଜୀବନ ବିକଳରେ ସାହାଯ୍ୟ ପାଇଁ ଚିତ୍କାର କରୁଥାନ୍ତି। ଶଯ୍ୟାଶାୟୀ, ରୋଗାକ୍ରାନ୍ତ, ମହିଳା, ଛୋଟପିଲା ଓ ବୟସ୍କ ଲୋକଙ୍କୁ ଉଦ୍ଧାର କରିବା ଆମ ପାଇଁ ଚ୍ୟାଲେଞ୍ଜ ହୋଇପଡ଼ିଥିଲା। ସେହିପରି କିଛି ଲୋକ ଆମକୁ ଭରସାକୁ ନେଇପାରୁ ନଥିଲେ। କିନ୍ତୁ ସେମାନଙ୍କ ଭରସା ଜିତି ସେମାନଙ୍କୁ ଉଦ୍ଧାର କରିଥିଲୁ। ଭୟ ଓ ଅତ୍ୟଧିକ ଆବେଗ ଯୋଗୁଁ ଯେମିତି କେହି ୨୦ ଫୁଟ ଉଚ୍ଚ ବନ୍ୟା ପାଣିକୁ ଖସି ନ ପଡ଼ନ୍ତି, ସେଥିପାଇଁ ଉଦ୍ଧାର ପୂର୍ବରୁ ଲୋକଙ୍କୁ ସଚେତନ କରାଉଥିଲୁ। ଗାଈଗୋରୁଙ୍କ କଥା ଭାବିଲେ ଦୁଃଖ ଲାଗୁଛି। କିନ୍ତୁ କଷ୍ଟେମଷ୍ଟେ ଜଳବନ୍ଦୀ ଘେରରେ ଥିବା ବହୁ ଗାଈଗୋରୁଙ୍କୁ ଉଦ୍ଧାର କରିଛୁ। ସ୍ଥାନୀୟ ଲୋକଙ୍କ ସହ ସକାଳ ୭ଟାରୁ ୪୦-୫୦ କିମି ଦୂରକୁ ଯାଇ ଉଦ୍ଧାର କାର୍ଯ୍ୟ କରୁଥିଲୁ। ବେଳେବେଳେ ପାଣିରେ ବାଟବଣା ବି ହୋଇଯାଉ। ଆମେ ସବୁ ଆଗ୍ନିକଙ୍କଠାରୁ ଭିନ୍ନ ଥିଲୁ। ଆମ ଉଦ୍ଧାର କାର୍ଯ୍ୟରେ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର ଦେଖି ଅନ୍ୟ ରାଜ୍ୟର ଆଗ୍ନିକମାନେ ପ୍ରଶଂସା କରୁଥିଲେ।’’ ଆଜି ଅଗ୍ନିଶମ ବିଭାଗ କର୍ମଚାରୀମାନେ ବିମାନବନ୍ଦରରେ ପହଞ୍ଚିବା ପରେ ସେମାନଙ୍କୁ ଭବ୍ୟ ସମ୍ବର୍ଧନା କରାଯାଇଥିଲା। ଅଗ୍ନିଶମ ବିଭାଗର ମୁଖ୍ୟ ଅଗ୍ନିଶମ ଅଧିକାରୀ ବ୍ରଜେନ୍ଦୁ ଭୂଷଣ ଦାସ, ଆଇଜି ରାଜେଶ କୁମାର, ମହେଶ୍ୱର ସ୍ୱାଇଁ, ଭାବଗ୍ରାହୀ ଘଡ଼େଇ, ରମେଶ ମାଝୀଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ରହି ସେମାନଙ୍କୁ ସ୍ୱାଗତ କରିଥିଲେ।
‘ପୂରା ରାଜ୍ୟ ସମୁଦ୍ରରେ ମିଶିଗଲା ଭଳି ଲାଗୁଥିଲା’
କେରଳରୁ ଫେରିଲା ଅଗ୍ନିଶମ ବିଭାଗର ସ୍ୱତନ୍ତ୍ର ଦଳ:
/sambad/media/post_attachments/wp-content/uploads/2018/08/m19-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)