ଦିବ୍ୟାଙ୍ଗଙ୍କ ପାଇଁ ଡ୍ରିମ୍‌ ଫ୍ଲାଇଟ୍‌: ଉଡ଼ିବା ଦେଖୁଥିଲେ, ଆଜି ଉଡ଼ିଲେ

ଭୁବନେଶ୍ବର: ପିଲାଦିନେ ଆକାଶରେ ଉଡ଼ି ଯାଉଥିବା ଉଡ଼ାଜାହାଜକୁ ଦେଖି କେତେ ମଜା ନେଉଥିଲେ। ହେଲେ ସେମାନେ ଯେ ଦିନେ ଆକାଶରେ ଉଡ଼ିବେ ଭାବି ନ ଥିଲେ। ମାତ୍ର ‘ଡ୍ରିମ ଫ୍ଲାଇଟ୍‌’ ଅର୍ଥାତ ସ୍ବପ୍ନର ଉଡ଼ାଣ ସେମାନଙ୍କ ଏହି ସ୍ବପ୍ନକୁ ପୂରଣ କରିଥିଲା। ୪୮ ଜଣ ଦିବ୍ୟାଙ୍ଗ ଶିଶୁ-କିଶୋରଙ୍କୁ ନେଇ ଉଡ଼ିଥିଲା ଫ୍ଳାଇଟ୍‌। ଆଜି ସକାଳେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆୟୋଜିତ କାର୍ଯ୍ୟକ୍ରମରେ ଦିବ୍ୟାଙ୍ଗ ପିଲାମାନେ ଉଡ଼ାଣର ମଜା ଉଠାଇଥିଲେ।

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହି ସ୍ବପ୍ନର ଉଡ଼ାଣ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଦିବ୍ୟାଙ୍ଗମାନଙ୍କ ସଶକ୍ତୀକରଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂଗଠିକା ତଥା ସମାଜସେବୀ ଶ୍ରୁତି ମହାପାତ୍ରଙ୍କ ନେତୃତ୍ବରେ ପରିଚାଳିତ ‘ସ୍ବାଭିମାନ’ ଉଦ୍ୟମରେ ଇଣ୍ଡିଆନ୍‌ ଏୟାର ଲାଇନ୍‌ସ, ଏୟାର ଆଲିଆନ୍ସ, କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ସହଯୋଗରେ ଦିବ୍ୟାଙ୍ଗ ପିଲାମାନଙ୍କ ପାଇଁ ଏପରି ଏକ ଅବକାଶ ସୃଷ୍ଟି ହୋଇଥିଲା। ‌୪୮ଜଣ ଦିବ୍ୟାଙ୍ଗଙ୍କ ମଧ୍ୟରୁ ୪୦ଜଣ ସହର ମଧ୍ୟରେ ଥିବା ବସ୍ତି ଅଞ୍ଚଳରୁ ଆସିଥିଲେ। ଦିବ୍ୟାଙ୍ଗ ସାର୍ଥକ ପାଣିଗ୍ରାହୀ ପ୍ରଥମେ ବନ୍ଦେ ଉତ୍କଳ ଜନନୀ..ଗୀତ ଗାଇବା ପରେ ଉଡ଼ାଣ ପାଇଁ କେକ୍‌ କଟାଯାଇଥିଲା। ଅଭିନେତା ସବ୍ୟସାଚୀ ମିଶ୍ର ଓ ଆକାଶ ଦାସ ନାୟକଙ୍କ ଭଳି ଅଭିନେତା ବି ଆଜି ଏହି ଦିବ୍ୟାଙ୍ଗମାନଙ୍କ ସାଙ୍ଗରେ ହସଖୁସିରେ ମସଗୁଲ୍‌ ହୋଇଯାଇଥିଲେ। କାର୍ଯ୍ୟକ୍ରମରେ ‌କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗର ଯୁଗ୍ମ ଶାସନ ସଚିବ ଉଷା ପାଢ଼ୀ, ସାମାଜିକ ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର କମିସନର୍‌ ତଥା ଶାସନ ସଚିବ ଭାସ୍କର ଶର୍ମା, ନିର୍ଦେଶିକା ବ୍ରତତୀ ହରିଚନ୍ଦନ, ଏୟାର ଆଲିଆନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ସି.ଏସ୍‌ ହୋତା, ଭୁବନେଶ୍ବର ବିମାନବନ୍ଦରର ନିର୍ଦେଶକ ଭି.ଭି. ରାଓ ଓ ଶିଳ୍ପୋଦ୍ୟୋଗୀ ଦେବାଶିଷ ପଟ୍ଟନାୟକଙ୍କ ସମେତ ସ୍ବାଭିମାନର କର୍ମକର୍ତାମାନେ ଉପସ୍ଥିତ ଥିଲେ। ଏପରି କାର୍ଯ୍ୟକ୍ରମ ଦିବ୍ୟାଙ୍ଗ ପିଲାମାନଙ୍କ ମନରେ ଆତ୍ମପ୍ରତ୍ୟୟ ସୃଷ୍ଟି କରିବା ସହ ସେମାନଙ୍କୁ ଏକ ଅର୍ଥପୂର୍ଣ୍ଣ ଭବିଷ୍ୟତ ଗଢ଼ିବାରେ ସହାୟକ ହେବ ବୋଲି ସ୍ବାଭିମାନର ମୁଖ୍ୟ ଶ୍ରୁତି ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର