ଭୁବନେଶ୍ବର: ବିଶ୍ବର ଭୂସ୍ବର୍ଗ ଭାବେ ପରିଚିତ ଜମ୍ମୁ-କଶ୍ମୀରର ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ଓଡ଼ିଶାର ପର୍ଯ୍ୟଟକଙ୍କ ପାଇଁ ସ୍ବତନ୍ତ୍ର ଅଫର୍‌ ଆଣିଛି କଶ୍ମୀର ଘରୋଇ ଟୁର୍‌ ଅପରେଟର୍‌ ସଂଘ। କଶ୍ମୀରର ଟୁର୍‌ ଅପରେଟର୍‌ଙ୍କ ସମେତ ବିଭିନ୍ନ ହୋଟେଲ୍‌ ପକ୍ଷରୁ ରିହାତି ବ୍ୟବସ୍ଥା କରାଯାଇଛି। କିଛି ହୋଟେଲ୍‌ରେ ପର୍ଯ୍ୟଟକଙ୍କ ପାଇଁ ୩୦ ପ୍ରତିଶତ ରିହାତି ସୁଯୋଗ ରହିଛି। ଟୁର୍‌ ଅପରେଟରମାନେ ମଧ୍ୟ ୨୦ ପ୍ରତିଶତ ରିହାତି ଯୋଗାଇ ଦେବା ନେଇ ସମ୍ମତି ପ୍ରକାଶ କରିଛନ୍ତି। ଏଥିସହ ହାଉସବୋଟ୍‌ରେ ୫୦ପ୍ରତିଶତ ରିହାତିର ବ୍ୟବସ୍ଥା କରାଯାଇଛି। ଜମ୍ମୁ-କଶ୍ମୀରର ପର୍ଯ୍ୟଟନ ବିଭାଗ ସହଯୋଗରେ ଏହି ସମସ୍ତ ସୁବିଧା ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ ଉପଲବ୍ଧ ହେବ।

Advertisment

କଶ୍ମୀରକୁ ଓଡ଼ିଶାର ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଆଜି ଏକ ରୋଡ୍‌ ସୋ’ କରାଯିବା ସହ ଏ ସମ୍ପର୍କିତ ଘୋଷଣା କରାଯାଇଛି। ଓଡ଼ିଶାବାସୀଙ୍କ ସମର୍ଥନ ଓ ସହଯୋଗରେ କଶ୍ମୀରର ପର୍ଯ୍ୟଟନ କ୍ଷେତ୍ର ଅଧିକ ବିକଶିତ ହୋଇପାରିବ ବୋଲି କହିଛନ୍ତି ଜମ୍ମୁ କଶ୍ମୀର ପର୍ଯ୍ୟଟନର ଗଲ୍‌ଫ କୋର୍ସର ପରିଚାଳନା ନିର୍ଦ୍ଦେଶକ ନଜହାତ୍‌ ଗୁଲ୍‌। ଏବେ ସବୁ ବର୍ଗର ପର୍ଯ୍ୟଟକଙ୍କ ପାଇଁ ଜମ୍ମୁ-କଶ୍ମୀର ସୁରକ୍ଷିତ ସ୍ଥାନ ପାଲଟିଛି। ତେଣୁ ଓଡ଼ିଶାର ପର୍ଯ୍ୟଟକମାନେ ନିର୍ଦ୍ବନ୍ଦ୍ବରେ ଜମ୍ମୁ-କଶ୍ମୀର ବୁଲିବାକୁ ଆସନ୍ତୁ ବୋଲି ନଜହାତ ଗୁଲ୍‌ କହିଛନ୍ତି। ଏହି ଅବସରରେ ଆୟୋଜିତ ରୋଡ୍‌ ସୋ’ରେ ଓଡ଼ିଶା ପର୍ଯ୍ୟଟନ ନିଗମ (ଓଟିଡିସି)ର ପରିଚାଳନା ନିର୍ଦେଶକ ହେମକାନ୍ତ ସଏ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଓଡ଼ିଶା ପର୍ଯ୍ୟଟନ ଓ ପର୍ଯ୍ୟଟନ ଶିଳ୍ପ ସହ ସଂଶ୍ଳିଷ୍ଟ ଓଡ଼ିଶାର ଘରୋଇ ଟୁର୍‌ ଅପରେଟର୍‌ମାନଙ୍କ ମିଳିତ ସହଯୋଗ‌ରେ ରୋଡ୍‌ ସୋ’ ଆୟୋଜନ କରାଯାଇଥିଲା।