ଭୁବନେଶ୍ବର: ୨୦୧୪ ସ୍ପେସାଲ ଅଲିମ୍ପିକ୍ସରେ ରଜତ ପଦକ ବିଜେତା ଆଥଲେଟ୍ ରୋହନ ସରାଫ(୧୮)ଙ୍କ ଏମ୍ସ ଭୁବନେଶ୍ବରରେ ପ୍ରଥମ ଅସ୍ତ୍ରୋପଚାର ହୋଇଛି। ଅସ୍ଥିଶଲ୍ୟ ବିଭାଗ ବିଶେଷଜ୍ଞ ଡାକ୍ତର ମଣ୍ଟୁ ଜୈନ ତାଙ୍କ ଅସ୍ତ୍ରୋପଚାର କରିଛନ୍ତି। ବୁଧବାର ଦିନ ୨ଟାରେ ଅସ୍ତ୍ରୋପଚାର ଆରମ୍ଭ ହୋଇ ସଂଧ୍ୟା ୭ଟାରେ ସମାପ୍ତ ହୋଇଥିଲା। ଏହି ସମୟରେ ୨୦ ୟୁନିଟ ରକ୍ତ ଦିଆଯାଇଥିଲା। ରୋହନ ଏବେ ଆଇସିୟୁରେ ଅଛନ୍ତି। ରୋହନଙ୍କ ଚିକିତ୍ସାରେ ବିଶେଷ ଦୃଷ୍ଟି ଦେବା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ଏମ୍ସ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଥିଲେ।
ରୋହନ ଅସ୍ଥିଶଲ୍ୟ, ସ୍ନାୟବିକ ରୋଗରେ ପୀଡ଼ିତ ଅଛନ୍ତି। ତାଙ୍କର ଆଉ ଦୁଇଟି ଅସ୍ତ୍ରୋପଚାରର ମଧ୍ୟ ଆବଶ୍ୟକତା ରହିଛି। ୨୦୧୭ ମସିହାରେ ସେ ଏକ ଦୁରାରୋଗ୍ୟ ରୋଗରେ ପୀଡ଼ିତ ହୋଇ ସମ୍ପୂର୍ଣ୍ଣ ଅକର୍ମଣ୍ୟ ହୋଇ ପଡ଼ିଛନ୍ତି। ୨୦୧୮ ମସିହା ବେଳକୁ ତାଙ୍କ ଶରୀର ବଙ୍କେଇବା ଆରମ୍ଭ ହୋଇଥିଲା। ୨୦୧୯ ମସିହାରେ ଶରୀରର ଡାହାଣ ପାର୍ଶ୍ବ ଧନୁ ଭଳି ବଙ୍କା ହେବା ସହିତ ଶରୀର ଅଚଳ ହୋଇ ପଡ଼ିଛି। ନିଜ କାମ କି ଖାଇବା ମଧ୍ୟ ସମ୍ଭବ ହୋଇ ପାରୁ ନାହିଁ। ସମ୍ବଲପୁର, ବୁର୍ଲା ଡାକ୍ତରଖାନାରେ ତାଙ୍କ ଚିକିତ୍ସା ସମ୍ଭବ ନ ଥିଲା। ଲକଡାଉନରେ ଘରର ଆର୍ଥିକ ସ୍ଥିତି ସହିତ ରୋହନଙ୍କ ସ୍ବାସ୍ଥ୍ୟଗତ ଅବସ୍ଥା ଆହୁରି ଜଟିଳ ହୋଇ ପଡ଼ିଲା। ଏଭଳି ସ୍ଥିତିରେ ମା’ ପୁଅକୁ ଧରି ଏମ୍ସକୁ ଆସିଥିଲେ।