ଭୁବନେଶ୍ବର: ଅଗଷ୍ଟ ୯ରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିବାକୁ ଥିବା ଓଡ଼ିଆ ଫିଲ୍ମ ‘ଭଗିଆ ଭାରିଯା’ର ସ୍ୱତନ୍ତ୍ର ପ୍ରଦର୍ଶନ ଆଜି ଅନୁଷ୍ଠିତ ହୋଇଯାଇଛି। ଅଗ୍ରଣୀ ଖବରକାଗଜ, ଟେଲିଭିଜନ ଚାନେଲ ଓ ପତ୍ରିକା ସମ୍ପାଦକ, ଚଳଚ୍ଚିତ୍ର ସମୀକ୍ଷକ ତଥା ସାମ୍ବାଦିକମାନଙ୍କ ପାଇଁ ଉଦ୍ଦିଷ୍ଟ ଏହି ସୋ’ କଳ୍ପନା ସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ର ପିଭିଆର୍ ସିନେମାରେ ଆୟୋଜିତ ହୋଇଥିଲା। ଏଥିରେ ‘ସମ୍ବାଦ’ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ, ପ୍ରଖ୍ୟାତ ଲେଖିକା ପ୍ରତିଭା ରାୟ, ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ଗାଳ୍ପିକ ଗୌରହରି ଦାସ, ‘କାଦମ୍ବିନୀ’ର ସମ୍ପାଦିକା ଇତି ସାମନ୍ତ, ନିର୍ଦ୍ଦେଶକ ହିମାଂଶୁ ଖଟୁଆ, ସୁଧାଂଶୁ ସାହୁ, ଅଭିନେତା କୁନା ତ୍ରିପାଠୀ, ଅଭିନେତ୍ରୀ ଅନୁ ଚୌଧୁରୀ, ପିଙ୍କି ପ୍ରଧାନ, ପ୍ରଯୋଜକ ଯୁଗଳ କିଶୋର ଦେବତା, ଅଜୟ ରାଉତରାୟ, ଶ୍ରୀଧର ମାର୍ଥା ଓ ସଚ୍ଚିକାନ୍ତ ଜେନା, କଣ୍ଠଶିଳ୍ପୀ ସୁସ୍ମିତା ଦାସ, ପ୍ରକାଶକ ବନୋଜ ତ୍ରିପାଠୀ ତଥା ବହୁ ବିଶିଷ୍ଟ ସାମ୍ବାଦିକ ଯୋଗ ଦେଇଥିଲେ।

Advertisment

ଚଳଚ୍ଚିତ୍ରଟି ଆଜିକାଲି ସମାଜର ଘଟଣାସବୁକୁ ନେଇ। ସ୍ତ୍ରୀର ସ୍ୱପ୍ନ ପୂରଣ କରିବାକୁ ଯାଇ ସ୍ୱାମୀଟି କିପରି ସଂଘର୍ଷ କରୁଛି, ତାର ଚିତ୍ର ରହିଛି ଏଥିରେ। ଫିଲ୍ମରେ ପ୍ରମୁଖ ଭୂମିକାରେ ହାସ୍ୟଅଭିନେତା ହରିହର ମହାପାତ୍ର ଓ ଦେବଯାନୀ ଅଭିନୟ କରିଛନ୍ତି। ଅନ୍ୟାନ୍ୟ ଚରିତ୍ରରେ ଅଛନ୍ତି ବବି ମିଶ୍ର, ପୁପିନ୍ଦର, ବ୍ରଜ ସିଂ, ଦେବୁ ବ୍ରହ୍ମା, ତୃପ୍ତି ସିହ୍ନା, କାଳିଆ ଓ ଭକ୍ତି। କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ନିଜେ ହରିହର ମହାପାତ୍ର ଲେଖିଥିଲା ବେଳେ ନିର୍ଦେଶନା ଦେଇଛନ୍ତି ମୃତ୍ୟୁଞ୍ଜୟ ସାହୁ। ପ୍ରଯୋଜନା ଦାୟିତ୍ବ ନିର୍ବାହ କରିଛନ୍ତି ଡ. ଭୀଷ୍ମ ରଥ ଓ ହରିହର ମହାପାତ୍ର। ଏଥିରେ ସଙ୍ଗୀତ ଦେଇଛନ୍ତି ମଳୟ ମିଶ୍ର। ସମ୍ପାଦନାରେ ଅଛନ୍ତି ରାଜେଶ ଦାଶ।

‘ଭଗିଆ ଭାରିଯା’ ମୌଳିକ କାହାଣୀ ଉପରେ ଆଧାରିତ ହୋଇଥିବା ବେଳେ ଏଥିରେ ଓଡ଼ିଆ ମାଟି, ପାଣି ଓ ପବନର ଛାପ ରହିଛି ବୋଲି କହିଥିଲେ ସୌମ୍ୟ ରଞ୍ଜନ ପଟ୍ଟନୟକ। ସେହିପରି ହିମାଂଶୁ ଖଟୁଆ କହିଥିଲେ, ଓଡ଼ିଆରେ ମୌଳିକ ସିନେମା ହେଉନାହିଁ ବୋଲି ଯେଉଁମାନେ ଅଭିଯୋଗ କରୁଛନ୍ତି, ସେମାନେ ନିଶ୍ଚିତ ଭାବେ ‘ଭଗିଆ ଭାରିଯା’ ଦେଖିବା ଉଚିତ।