ସର୍ବସାଧାରଣ ସମ୍ପତ୍ତିର ତଦାରଖ ପାଇଁ ସ୍ବତନ୍ତ୍ର ପୋର୍ଟାଲ୍‌, ଓର୍‌ସାକ୍ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ରାଜ୍ୟରେ ସବୁ ସର୍ବସାଧାରଣ ସମ୍ପତ୍ତି ଉପରେ ଉଚ୍ଚମାନର ସାଟେଲାଇଟ୍‌ ନଜର ରଖିବ। ଓର୍‌ସାକ୍‌ ପକ୍ଷରୁ ସାଟେଲାଇଟ୍‌ ଡାଟା ମାଧ୍ୟମରେ ‘ଓଡ଼ିଶା ସର୍ବସାଧାରଣ ସମ୍ପତ୍ତି ତଦାରଖ ବ୍ୟବସ୍ଥା’(ଓଡ଼ିଶା ପବ୍ଲିକ୍ ଆସେଟ୍‌ ମନିଟରିଂ ସିଷ୍ଟମ୍‌) ବିକଶିତ କରାଯିବ। ବିଭିନ୍ନ ନିଷ୍ପତ୍ତି ଗ୍ରହଣ, ବ୍ୟୟ ବରାଦ ଓ ବିକାଶମୂଳକ କାର୍ଯ୍ୟ ପାଇଁ ଏହି ପୋର୍ଟାଲ୍‌ ରାଜ୍ୟର ତଥ୍ୟ କୋଷାଗାର ଭାବେ କାର୍ଯ୍ୟ କରିବ। ଏଥିରେ ସବୁ ରାସ୍ତା, କେନାଲ, ଜଳାଶୟ, ବିଜୁଳି ନେଟ୍‌ୱର୍କ, ସ୍କୁଲ୍‌, ସ୍ବାସ୍ଥ୍ୟ ପ୍ରତିଷ୍ଠାନ, ଥାନା, ବ୍ୟାଙ୍କ, ଅଗ୍ନିଶମ କେନ୍ଦ୍ର, ପର୍ଯ୍ୟଟନ ସ୍ଥଳୀ, ଗୋଦାମ ଆଦିର ଜିଓ-ଟ୍ୟାଗ୍‌ଡ୍‌ ସୂଚନା ରହିବ। ୬ ମାସ ଭିତରେ ଏହି ପୋର୍ଟାଲ୍‌ର କାମ ସରିବ। ପ୍ରତି ବିଭାଗ ଓର୍‌ସାକ୍ ସହ ସମନ୍ବୟ ରଖି ଏହି କାମ କରିବା ପାଇଁ ନୋଡାଲ୍‌ ଅଫିସର୍‌ଙ୍କୁ ଦାୟିତ୍ବ ଦେବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନି‌େର୍ଦ୍ଦଶ ଦେଇଛନ୍ତି। ଗ୍ରାମ୍ୟ ଉନ୍ନୟନ, ଜଳସମ୍ପଦ, ପୂର୍ତ୍ତ, ପଞ୍ଚାୟତିରାଜ, ଜଙ୍ଗଲ ଓ ପରିବେଶ, ଶିଳ୍ପ, ଇସ୍ପାତ ଓ ଖଣି, ମହିଳା ଓ ଶିଶୁ ବିକାଶ ବିଭାଗ ସେମାନଙ୍କର ବର୍ତ୍ତମାନର ଆସେଟ୍‌ ପୋର୍ଟାଲ୍‌କୁ ଓପିଏମ୍‌ଏସ୍‌ ସହ ସଂଯୋଗ କରିବାକୁ କୁହାଯାଇଛି।

ଆଜି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଓର୍‌ସାକ୍‌ର ବିଭିନ୍ନ ପ୍ରକଳ୍ପ ସମୀକ୍ଷା କରିଥିଲେ। ଓର୍‌ସାକ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଓର୍‌ସାକ୍ ପକ୍ଷରୁ ଗଚ୍ଛିତ ଥିବା ଡାଟା ଓ ଏହାର ସମ୍ଭାବ୍ୟ ବ୍ୟବହାର ଉପରେ ଏକ ଉପସ୍ଥାପନ କରିଥିଲେ। ବିଭିନ୍ନ ବିଭାଗ ପାଇଁ ୨୦୧୯-୨୦ରେ ଓର୍‌ସାକ୍ ୩୬ଟି ବଡ଼ ଜିଆଇଏସ୍‌ ମ୍ୟାପ୍‌ ଭିତ୍ତିକ ଡିଜିଟାଇଜ୍‌ଡ୍‌ ଡାଟା ବେସ୍‌ ବିକଶିତ କରିଛି ବୋଲି ସେ ସୂଚନା ଦେଇଥିଲେ। ବିଭିନ୍ନ ନିଷ୍ପତ୍ତି ଗ୍ରହଣ କରିବା ସମୟରେ ଏବଂ ଯୋଜନା ଓ ସେବା ଯୋଗାଇବା ବେଳେ ଏହି ସମ୍ବଳକୁ ବ୍ୟବହାର କରିବା ପାଇଁ ବିଭାଗଗୁଡ଼ିକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। ଉନ୍ନୟନ କମିସନର୍‌ ପ୍ରଦୀପ କୁମାର ଜେନା ଜିଆଇଏସ୍‌ ଡାଟାର ଫଳପ୍ରଦ ବ୍ୟବହାର ପାଇଁ ସବୁ ବିଭାଗ ଓ ଜିଆଇଏସ୍‌ ବୈଜ୍ଞାନିକଙ୍କୁ ନେଇ ଏକ କର୍ମଶାଳା ଆୟୋଜନ କରିବାକୁ ପରାମର୍ଶ ଦେଇଥିଲେ। ବିଭିନ୍ନ ଯୋଜନା ଓ ସେବା ଯୋଗାଇବା ପାଇଁ ବିଭାଗଗୁଡ଼ିକ ସେମାନଙ୍କର ଆବଶ୍ୟକତାକୁ ନିର୍ଦ୍ଦିଷ୍ଟ ଭାବେ ଜଣାନ୍ତୁ, ଯାହା ଫଳରେ ଓର୍‌ସାକ୍ ସେମାନଙ୍କ ପାଇଁ ସେହି ଡାଟାଗୁଡ଼ିକ ପ୍ରସ୍ତୁତ କରିବ ବୋଲି ଶ୍ରୀ ଜେନା କହିଥିଲେ।

ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ମଲ୍ଲିକ ସୂଚନା ଦେଇଥିଲେ ଯେ ଓର୍‌ସାକ୍ ପକ୍ଷରୁ ‘ଓଡ଼ିଶା କେୱାଇଏଲ୍‌’ (ନିଜ ସ୍ଥାନକୁ ଜାଣନ୍ତୁ) ନାମରେ ଏକ ମୋବାଇଲ୍‌ ଆପ୍ ବିକଶିତ କରାଯାଇଛି। ମୋବାଇଲ୍‌ରେ ଏହି ଆପ୍‌ ଖୋଲି ନିଜ ସ୍ଥାନର ନାମ ସହ ଜିଲ୍ଲା, ବ୍ଲକ୍‌, ପଞ୍ଚାୟତ, ଗ୍ରାମ, ପୁଲିସ୍‌ ଷ୍ଟେସନ୍ ଓ ବିଧାନସଭା ନିର୍ବାଚନମଣ୍ଡଳୀ ଆଦିର ନାମ ଜାଣି ହେବ। ବୈଠକରେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, ବିଜ୍ଞାନ ଓ ବୈଷୟିକ ବିଭାଗର ପ୍ରମୁଖ ଶାସନ ସଚିବ ସନ୍ତୋଷ ଷଡ଼ଙ୍ଗୀଙ୍କ ସମେତ ଓର୍‌ସାକ୍‌ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର