କ୍ୟାପିଟାଲ ହସ୍ପିଟାଲ ଆଇସିୟୁରେ ଅଧିକ କର୍ମଚାରୀ ନିଯୁକ୍ତି ପ୍ରସ୍ତାବ : ଆଇସିୟୁ ପାଇଁ ଆସିବ ସ୍ୱତନ୍ତ୍ର ନୀତି

ଭୁବନେଶ୍ୱର : ରାଜ୍ୟର ସରକାରୀ ଡାକ୍ତରଖାନାରେ ଥିବା ଆଇସିୟୁ ପାଇଁ ସ୍ୱତନ୍ତ୍ର ଭାବେ ନୀତି ପ୍ରସ୍ତୁତ କରାଯିବ। କେଉଁ ଢଙ୍ଗରେ ଆଇସିୟୁର ପରିଚାଳନା ହେବ ଓ ଏଥିରେ କେତେ ପରିମାଣର କର୍ମଚାରୀ ନିଯୁକ୍ତି ହେବେ ତାହାର ଏକ ଗାଇଡଲାଇନ୍‌ ପ୍ରସ୍ତୁତ ହେବ। ଏନେଇ ସ୍ୱାସ୍ଥ୍ୟ ବିଭାଗ ଆଲୋଚନା କରାଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ରାଜ୍ୟର ବିଭିନ୍ନ ମେଡିକାଲ କଲେଜ, ଜିଲ୍ଲା ହସ୍ପିଟାଲ ସମେତ କ୍ୟାପିଟାଲ ହସ୍ପିଟାଲରେ ଆଇସିୟୁ ରହିଛି। ଆଇସିୟୁ ପାଇଁ ଏବେ କୌଣସି ସ୍ୱତନ୍ତ୍ର ଭାବେ ଗାଇଡଲାଇନ୍‌ ପ୍ରସ୍ତୁତ ହୋଇନାହିଁ। କେଉଁଠି ଆବଶ୍ୟକ କର୍ମଚାରୀଙ୍କ ଅଭାବ ରହିଛି ତ ଆଉ କେଉଁଠି ଆବଶ୍ୟକ ସରଞ୍ଜାମ ନାହିଁ। ଯାହାଫଳରେ ଆଇସିୟୁକୁ ଠିକଣା ଢଙ୍ଗରେ ପରିଚାଳନା କରିବା ସମ୍ଭବ ହେଉନାହିଁ। ହସ୍ପିଟାଲର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଆଇସିୟୁ ପାଇଁ ସ୍ୱାସ୍ଥ୍ୟ ବିଭାଗ ତତ୍ପର ହୋଇଛି।

ଆଇସିୟୁକୁ ଅଧିକ ସୁଦୃଢ଼ କରିବା ପାଇଁ ଏକ ସ୍ୱତନ୍ତ୍ର ଆଇସିୟୁ କ୍ୟାଡର ପ୍ରସ୍ତୁତି ଉପରେ ଆଲୋଚନା ହୋଇଛି। ରାଜ୍ୟରେ ଆଇସିୟୁ ପାଇଁ ସ୍ୱତନ୍ତ୍ରଭାବେ ତାଲିମ୍‌ ନେଇଥିବା ଡାକ୍ତରଙ୍କ ଅଭାବ ରହିଛି। ତେଣୁ ଆଇସିୟୁରେ କାର୍ଯ୍ୟ କରିବାକୁ ଥିବା ଡାକ୍ତର ଓ କର୍ମଚାରୀଙ୍କୁ ଏଥିପାଇଁ ସ୍ୱତନ୍ତ୍ର ଭାବେ ତାଲିମ୍‌ ପ୍ରଦାନ କରାଯିବ। ବିଭିନ୍ନ ସରକାରୀ ଡାକ୍ତରଖାନର ଆଇସିୟୁରେ କାର୍ଯ୍ୟ କରୁଥିବା ଡାକ୍ତର ପଦୋନ୍ନତି ପରେ ଅନ୍ୟ ବିଭାଗକୁ ପଳାଉଛନ୍ତି। ଫଳରେ ପଦବି ଖାଲି ହୋଇଯାଉଛି। ତେଣୁ ଏହି ଆଇସିୟୁରେ କିଭଳି ଡାକ୍ତରୀ ପଦବି ଖାଲି ହେବ ନାହିଁ ତାହା ଉପରେ ଗୁରୁତ୍ୱ ଦିଆଯାଇଛି। ଯଦି ଏଥିପାଇଁ  ସ୍ୱତନ୍ତ୍ର କ୍ୟାଡର୍‌ ସୃଷ୍ଟି ହୁଏ ତେବେ ଆଇସିୟୁ ପାଇଁ ନିଯୁକ୍ତ ହୋଇଥିବା ଡାକ୍ତର ପଦୋନ୍ନତି କିମ୍ବା ବଦଳି ପରେ ମଧ୍ୟ ଅନ୍ୟ ସ୍ଥାନରେ ଆଇସିୟୁରେ ହିଁ କାର୍ଯ୍ୟ କରିବେ। ଯାହାଫଳରେ ଆଇସିୟୁରେ ଡାକ୍ତରଙ୍କ ଅଭାବ ରହିବ ନାହିଁ।

 

ଅପରପକ୍ଷରେ ରାଜଧାନୀର ପ୍ରମୁଖ ସରକାରୀ ଡାକ୍ତରଖାନା କ୍ୟାପିଟାଲ ହସ୍ପିଟାଲ ଆଇସିୟୁରେ ଅଧିକ ସଂଖ୍ୟକ କର୍ମଚାରୀ ନିଯୁକ୍ତି ଦିଆଯିବ। ହସ୍ପିଟାଲ ଆଇସିୟୁ ପାଇଁ ୧୨ ପଦବି ରହିଥିବା ବେଳେ ଏବେ ୯ଜଣ ଡାକ୍ତର ରହିଛନ୍ତି। ଅଧିକାଂଶ ସମୟ ଭିଆଇପିଙ୍କ ଡ୍ୟୁଟିରେ ଜଣେ ଆଇସିୟୁ ଡାକ୍ତର ନିଯୁକ୍ତ ହେଉଛନ୍ତି। ତେଣୁ ଆହୁରି ୪ଜଣ ଡାକ୍ତର ଆଇସିୟୁ ପାଇଁ ନିଯୁକ୍ତି ଦେବାକୁ ପ୍ରସ୍ତାବ ଦିଆଯାଇଛି। ସେହପରି ୨୪ଜଣ ଷ୍ଟାଫ୍‌ ନର୍ସଙ୍କ ଆବଶ୍ୟକତା ଥିବା ବେଳେ ହସ୍ପିଟାଲରେ ୧୫ଜଣ ରହିଛନ୍ତି। ଯାହାଫଳରେ ଆଇସିୟୁରେ ସେବା ଯୋଗାଇବା ସମ୍ଭବ ହେଉନାହିଁ। ତେଣୁ ଏହି ପଦବି ପୂରଣ ପ୍ରସ୍ତାବ ଦିଆଯାଇଛି। ଏହାସହ କ୍ୟାପିଟାଲ ହସ୍ପିଟାଲର ଆଇସିୟୁକୁ ଅଧିକ ୪ଟି ଭେଣ୍ଟିଲେଟର୍‌, ୩ଟି ବାଇପାପ୍‌ ମେସିନ୍‌ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବ। ଆଇସିୟୁରେ କାର୍ଯ୍ୟରତ ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କ ଭତ୍ତା ବୃଦ୍ଧି କରାଯିବା ନେଇ ଆଲୋଚନା ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର