ପାକିସ୍ତାନ ଟିମ୍‌ ଓ ଶାହରୁଖଙ୍କୁ ସ୍ବତନ୍ତ୍ର ସୁରକ୍ଷା

ପୁରୁଷ ହକି ବିଶ୍ବକପ୍‌ ଉଦ୍‌ଘାଟନୀ ଉତ୍ସବରେ ଯୋଗଦେବାକୁ ଆସୁଥିବା ବଲିଉଡ୍‌ ସୁପରଷ୍ଟାର ଶାହରୁଖ୍‌ ଖାନ୍‌ ଏବଂ ପାକିସ୍ତାନ୍‌ ଟିମ୍‌କୁ ସୁରକ୍ଷା ଦେବା ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବିଶେଷକରି ଶାହରୁଖଙ୍କୁ ବିରୋଧ କରିବା ପାଇଁ କେତେକ ଅନୁଷ୍ଠାନ ପୂର୍ବରୁ ଚେତାବନୀ ଦେଇଥିବାରୁ କମିସ‌ନରେଟ୍‌ ପୁଲିସ ଏହାକୁ ଗୁରୁତର ସହ ନେଇଛି। ଶାହରୁଖଙ୍କୁ ଏୟାରପୋର୍ଟରୁ ହୋଟେଲ୍‌, ହୋଟେଲ୍‌ରୁ ଷ୍ଟାଡିୟମ ନେବା ଆଣିବା କରିବା ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ତାଙ୍କୁ୍ ସ୍ବତନ୍ତ୍ର ସୁରକ୍ଷା ବଳୟରେ ନେବାଆଣିବା କରିବା ପାଇଁ ଯୋଜନା କରାଯାଇଥିବା ପୁଲିସ କମିସନର ସତ୍ୟଜିତ୍‌ ମହାନ୍ତି କହିଛନ୍ତି। ସେହିପରି ଶନିବାର ରାତିରେ ପାକିସ୍ତାନ ଟିମ୍‌ ରାଜଧାନ‌ୀରେ ପହଞ୍ଚି ସାରିଛି। ପୂର୍ବରୁ କେତେକ ସଂଗଠନ ପାକିସ୍ତାନ ଟିମ୍‌କୁ ବିରୋଧ କରିଥିଲେ। ତଣେୁ ପାକିସ୍ତାନ ଖେଳାଳିଙ୍କୁ ହୋଟେଲ୍‌, ଷ୍ଟାଡିୟମ, ମଲ୍‌ କିମ୍ବା ରାସ୍ତାରେ ଯିବା ବେଳ ଯେଭଳି କୌଣସି ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ନପଡ଼େ ସେଥିପାଇଁ କମିସନରେଟ୍‌ ପୁଲିସ ସଜାଗ ରହିଛି। ଅନ୍ୟ ଟିମ୍‌ ତୁଳନାରେ ପାକିସ୍ତାନ ଟିମ୍‌ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ା କଡ଼ି କରାଯାଇଛି। ପାକିସ୍ତାନ ଟିମ୍‌ ରହୁଥିବା ହୋଟେଲ୍‌ରେ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯିବା ସହ ହୋଟେଲ୍‌କୁ ଯିବାଆସିବା ନେଇ ମଧ୍ୟ କଟକଣା ଲାଗୁ କରାଯାଇଛି ବୋଲି କମିସନର ଶ୍ରୀ ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର