ଭୁବନେଶ୍ବରରେ ନୀତି ଆୟୋଗ ସ୍ବତନ୍ତ୍ର ସଚିବ

ଭୁବନେଶ୍ୱର: ନୀତି ଆୟୋଗ ସ୍ବତନ୍ତ୍ର ସଚିବ ଡ. କେ. ରାଜେଶ୍ୱର ରାଓ ଶନିବାର ବିଏମ୍‌ସି ସହରର ପରିମଳ ବ୍ୟବସ୍ଥା ଯାଞ୍ଚ କରିଛନ୍ତି। ମା’ ମଙ୍ଗଳା ଆଦର୍ଶ କଲୋନି ସମେତ ସୈନିକ ସ୍କୁଲ ନିକଟରେ ୱେଲଥ୍‌ ସେଣ୍ଟର୍‌ ପରିଦର୍ଶନ କରିଛନ୍ତି। ବିଏମ୍‌ସି କମିସନର ସଞ୍ଜୟ କୁମାର ସିଂଙ୍କ ସହ ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ସାମିଲ ଥିଲେ।

ଜାଗା ମିସନ୍‌ ଅଧୀନରେ ବସ୍ତିବାସିନ୍ଦାଙ୍କୁ ବିଭିନ୍ନ ସୁବିଧା ଯୋଗାଇ ଦିଆଯାଉଛି। ମା’ ମଙ୍ଗଳାବସ୍ତିରେ ସଚିବ ବୁଲି ସେ ସବୁ ଅନୁଧ୍ୟାନ କରିଛନ୍ତି। ରାସ୍ତା, ବିଦ୍ୟୁତ୍, ପାନୀୟ ଜଳ, ପରିମଳ, ପାର୍କ ଓ ଜଳାଶୟର ବିକାଶ ବୁଲି ଦେଖିଛନ୍ତି। ପୂର୍ବରୁ ଏହି ଅଞ୍ଚଳର ଅବସ୍ଥା କିପରି ଥିଲା ଓ ଏବେ ଏସବୁର ବିକାଶ ପରେ କ’ଣ ହୋଇଛି ତାହା ତାଙ୍କୁ ଅଧିକାରୀମାନେ ବୁଝାଇଛନ୍ତି। ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ ଯେଉଁମାନେ ଏଥିରେ ଅଂଶୀଦାର ହୋଇ ଲାଭବାନ ହୋଇଛନ୍ତି ସେମାନଙ୍କ ସହ ଶ୍ରୀ ରାଓଙ୍କ ଆଲୋଚନା କରିଛନ୍ତି।

ଏହି କଲୋନିରେ ୧୩୫ ପରିବାର ଅଛନ୍ତି ଓ ସମସ୍ତେ ଏହି ସବୁ ସହରୀ ସୁବିଧା ଉପଭୋଗ କରୁଛନ୍ତି ବୋଲି ଏସ୍‌ଏଚ୍‌ଜି ସଦସ୍ୟମାନେ ସୂଚନା ଦେଇଛନ୍ତି। ଏହା ପରେ ସେ ସୈନିକ ସ୍କୁଲ୍ ପଛରେ ଥିବା ଟିଟିଏସ୍‌ ପ୍ଲାଣ୍ଟ ପରିଦର୍ଶନ କରିଥିଲେ। ଏଠାରେ ମାଇକ୍ରୋ କମ୍ପୋଷ୍ଟିଂ ପ୍ରକ୍ରିୟା ଦେଖିଥିଲେ। ଘର ଘର ବୁଲି ପୃଥକ ବର୍ଜ୍ୟବସ୍ତୁ ସଂଗ୍ରହ ହେବା, ଗାଡିରେ ଏମ୍‌ସିସିକୁ ପରିବହନ ହେବା, ସେଠାରେ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ଓ କମ୍ପୋଷ୍ଟ (‌ମୋ ଖତ) ଉତ୍ପାଦନ, ଏମ୍‌ଆରଏଫ୍‌ କେନ୍ଦ୍ରରେ ବର୍ଜ୍ୟବସ୍ତୁ ପୃଥକୀକରଣ ପ୍ରଭୃତି ପ୍ରକ୍ରିୟା ସେମାନେ ଯାଞ୍ଚ କରିଥିଲେ। ଏଥିରେ ମହିଳାମାନଙ୍କର ସକ୍ରିୟ ଅଂଶଗ୍ରହଣକୁ ଶ୍ରୀ ରାଓ ପ୍ରଶଂସା କରିଥିଲେ।

ସମ୍ବନ୍ଧିତ ଖବର