୩୫ ଲକ୍ଷ ଡକାୟତି ମାମଲା, ତଦନ୍ତ ଭାର ନେଲା ସ୍ପେସାଲ ସ୍କ୍ବାଡ୍‌

ବାଲିଅନ୍ତା: ବାଲିଅନ୍ତା ଥାନା ପାହାଳ ଫାଣ୍ଡି ଅଧୀନ ନଖରା ଛକ ନିକଟରୁ ଇଣ୍ଡିଆନ ବ୍ୟାଙ୍କ କର୍ମଚାରୀଙ୍କୁ ଆକ୍ରମଣ କରି ୩୫ ଲକ୍ଷ ଟଙ୍କା ଲୁଟିବା ଘଟଣାକୁ ୭୨ ଘଣ୍ଟାରୁ ଅଧିକ ସମୟ ବିତିଛି। ହେଲେ ପୁଲିସ ସଂପୃକ୍ତ ଡକାୟତ ଗ୍ୟାଙ୍ଗକୁ ଏଯାଏ ଠାବ କରିପାରିନି। ସେମାନଙ୍କୁ ଧରିବା ପାଇଁ ପୁଲିସ ନିଆଳି ଓ ବାଲିଅନ୍ତା ଥାନା ସମେତ ଅନ୍ୟ କିଛି ସ୍ଥାନରେ ଚଢ଼ଉ କରିଥିବା ଏସିପି ଅମରେନ୍ଦ୍ର ପଣ୍ଡା କହିଛନ୍ତି। ଏସିପି ଶ୍ରୀ ପଣ୍ଡାଙ୍କ ସୂଚନାନୁସାରେ ମାମଲାର ତଦନ୍ତ ଭାର ସ୍ପେସାଲ ସ୍କ୍ବାଡ୍‌କୁ ହସ୍ତାନ୍ତର କରାଯାଇଥିବା ବେଳେ ପୁଲିସର ଅନ୍ୟ ଦୁଇଟି ଟିମ୍‌ ମଧ୍ୟ ସ୍ବତନ୍ତ୍ର ଭାବେ ଆଜି ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ। ମାତ୍ର ପୁଲିସ ସେଠାରୁ ନିରାଶ ହୋଇ ଫେରିଥିଲା। ଗତ ମାସକ ପୂର୍ବେ ନିଆଳି ଇଣ୍ଡିଆନ ବ୍ୟାଙ୍କ ନିକଟରୁ ଜଣେ ବ୍ୟବସାୟୀଙ୍କଠାରୁ ୧୧ ଲକ୍ଷ ଟଙ୍କା ଡକାୟତି ହୋଇଥିଲା। ଏହାର ଠିକ୍‌ ମାସକ ପରେ ନଖରା–ନିଆଳି ରାସ୍ତାରେ ପୁଣି ଡକାୟତି ହୋଇଥିବାରୁ ଉକ୍ତ ଗ୍ୟାଙ୍ଗକୁ ଧରିବା ପାଇଁ ପୁଲିସ ଟିମ୍‌ ନିଆଳି ଅଞ୍ଚଳରେ ଆଜି ରାତିରେ ଚଢ଼ଉ କରିବା ପାଇଁ ଯୋଜନା କରିଥିବା ସୂଚନା ମିଳିଛି। ମାସକ ପୂର୍ବେ ନିଆଳି ଇଣ୍ଡିଆନ ବ୍ୟାଙ୍କ ଶାଖା ନିକଟରେ ୧୧ ଲକ୍ଷ ଓ ଗତ ୧୪ ତାରିଖରେ ଇଣ୍ଡିଆନ ବ୍ୟାଙ୍କ କର୍ମଚାରୀଙ୍କଠାରୁ ୩୫ ଲକ୍ଷ ଟଙ୍କା ଡକାୟତି ହୋଇଥିଲା। ଏ ଦୁଇଟିଯାକ ଘଟଣାରେ ସାମଞ୍ଜସ୍ୟ ଥିବାରୁ ନିର୍ଦ୍ଦିଷ୍ଟ ଗୋଟିଏ ଗ୍ୟାଙ୍ଗର ସଂପୃକ୍ତିକୁ ନେଇ ପୁଲିସର ସନ୍ଦେହ ହୋଇଛି। ଏପଟେ ନିଆଳି ଇଣ୍ଡିଆନ ବ୍ୟାଙ୍କ ଶାଖା ପରିଚାଳକଙ୍କୁ ଏସିପି ଲକ୍ଷ୍ମୀସାଗର ସ୍ଥିତ କାର୍ଯ୍ୟାଳୟକୁ ଡକାଇ ଲୁଟ୍‌ ଘଟଣା ସଂପର୍କରେ ପଚଉାଉଚରା କରିଥିବା ସୂଚନା ମିଳିଛି। ସେହିପରି ବ୍ୟାଙ୍କ କର୍ମଚାରୀ ଦ୍ବୟଙ୍କ ସହିତ କାର୍‌ ଚାଳକର ମୋବାଇଲ ଫୋନ୍‌ କଲ୍‌ ଡିଟେଲ୍ସ ପୁଲିସ ସଂଗ୍ରହ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର