କପଡ଼ା ବ୍ୟବସାୟୀ ନିଖୋଜ: ପୁରୀ ଗଲା ସ୍ପେସାଲ୍‌ ଟିମ, ହାୱଡ଼ା ଯାଇଥିବା ସନ୍ଦେହ

କାର, ମୋବାଇଲ, ଚେନ, ମୁଦି ଜବତ

କଟକ: ସିଡିଏ ଅଞ୍ଚଳର ଜଣେ ପ୍ରତିଷ୍ଠିତ କପଡ଼ା ବ୍ୟବସାୟୀ ବିଶାଲ କୁମାର ସୁନ୍ଦରକା ପୁରୀ ଯାଇ ନିଖୋଜ ହେଇ ଯାଇଛନ୍ତି। ସେ ମଙ୍ଗଳବାର ଭୁବନେଶ୍ୱର ଯାଉଥିବା କହି ଜଗନ୍ନାଥ ଏକ୍ସପ୍ରେସରେ ରାଜ୍ୟ ବାହାରକୁ ଯାଇଥିବା ସୂଚନା ମିଳିଛି। କିନ୍ତୁ ତାଙ୍କ କାର ଓ ମୋବାଇଲ ପୁରୀର ଏକ ହୋଟେଲ ନିକଟରୁ ମର୍କତନଗର ଥାନା ପୁଲିସ ଜବତ କରିଛି। ସୂଚନା ଅନୁଯାୟୀ, ସିଡିଏ ସେକ୍ଟର ୬ରେ ରହୁଥିବା ପବନ କୁମାର ସୁନ୍ଦରକାଙ୍କ ପୁଅ ବିଶାଲ କୁମାର ସୁନ୍ଦରକା(୩୧) ଭୁବନେଶ୍ୱରରେ କପଡ଼ା ବ୍ୟବସାୟ କରନ୍ତି। ମଙ୍ଗଳବାର ଦିନ ପ୍ରାୟ ୧୧ ଟା ବେଳେ ସେ କାର (ଓଡ଼ି ୦୫ ଏନ ୪୪୧୫)ରେ ଭୁବନେଶ୍ୱର ଯାଉଥିବା କହି ବାହାରି ଯାଇଥିଲେ। ଅପରାହ୍‌ଣ ୪ଟା ୩୨ ରେ ସ୍ତ୍ରୀଙ୍କ ସହିତ କଥା ହେଇଥିଲେ। ପରେ ଆଉ ତାଙ୍କ ଖୋଜ ଖବର ମିଳିନଥିଲା। ପୁରୀରେ ଆଜି ପୁଲିସ ଟିମ ପହଁଚିବା ପରେ ହୋଟେଲ ହଲିଡେ ରିସୋର୍ଟ ନିକଟରେ ତାଙ୍କ ଗାଡି ପାର୍କିଂ ହୋଇଥିଲା। କାର ଭିତରେ ମୋବାଇଲ ଫୋନ ପଡ଼ିଥିଲା। ସେ ପିନ୍ଧି ଥିବା ସୁନା ଚେନ ଓ ମୁଦି ବି କାର ଭିତରେ ପଡ଼ି ରହିଥିଲା। ପୁଲିସ ଛାନଭିନ ଏବଂ ସିସି କ୍ୟାମେରା ଯାଞ୍ଚରୁ ଜଣା ପଡ଼ିଥିଲା ଯେ ସେ ସେଠାରୁ ପୁରୀ ରେଳ ଷ୍ଟେସନ ଯାଇଥିଲେ। ଜେନେରାଲ ବଗିରେ ଟିକେଟ କାଟି ରାତି ପ୍ରାୟ ୧୦ଟା ୩୨ରେ ପୁରୀରୁ ହାୱଡା ଯାଉଥିବା ଜଗନ୍ନାଥ ଏକ୍ସପ୍ରେସରେ ବସିଥିଲେ। ପୁଲିସ ହୋଟେଲ, ରେଳ ଷ୍ଟେସନ ନିକଟରେ ଲାଗିଥିବା ସିସି କ୍ୟାମେରା ଫୁଟେଜ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି। ଏ ସଂପର୍କରେ ଡିସିପି ଅଖିଳେଶ୍ୱର ସିଂହ କହିଛନ୍ତି ଯେ ଘଟଣାକୁ ନେଇ ପୁରୀ ଏସପିଙ୍କ ସହିତ ଯୋଗାଯୋଗ କରାଯାଇଛି।

ସମ୍ବନ୍ଧିତ ଖବର