ଦୁର୍ବୃତ୍ତଙ୍କ ଉପରେ ନଜର ରଖିବ ସ୍ବତନ୍ତ୍ର ଟିମ୍, ଜାରି ହେଲା ଫଟୋ: ସତର୍କ ରହିବାକୁ କମିସନରେଟ ପୁଲିସର ପରାମର୍ଶ

ତିନି ଦିନରେ ଆସିଲାଣି ୨ ଅଭିଯୋଗ

ଭୁବନେଶ୍ବର: ଏଟିଏମ୍ କାଉଣ୍ଟର ନିକଟରେ ଛିଡ଼ା ହେଉଛନ୍ତି। ସାହାଯ୍ୟ ନାଁରେ ହାତ ବଢ଼ାଉଛନ୍ତି। କିନ୍ତୁ କାର୍ଡ ବଦଳାଇ ଗ୍ରାହକଙ୍କ ଆକାଉଣ୍ଟ ଖାଲି କରି ଦେଉଛନ୍ତି। ଗତ ତିନି ଦିନ ଭିତରେ ରାଜଧାନୀର ଦୁଇଟି ସ୍ଥାନରୁ ଏଭଳି ଅଭିଯୋଗ ଆସିବା ପରେ ପୁଲିସର ଚିନ୍ତା ବଢ଼ି ଯାଇଛି। ଅତିରିକ୍ତ ଡିସିପି କ୍ରାଇମ୍, ସ୍ପେସାଲ ସ୍କ୍ବାଡ୍ ଏସିପି ଓ ପିଓପିଡି ଟିମକୁ ଏହା ଉପରେ ନଜର ରଖିବା ପାଇଁ କୁହାଯାଇଛି। ସେମାନଙ୍କ ଫଟୋ ମଧ୍ୟ ଜାରି କରାଯାଇଛି। ଦୁର୍ବୃତ୍ତଙ୍କୁ ଧରିବା ପାଇଁ ତନାଘନା ଆରମ୍ଭ ହୋଇଛି। ସେହିପରି ଯେଉଁମାନେ ଏଟିଏମ୍ କାଉଣ୍ଟର୍‌ ନିକଟରେ ଛିଡ଼ା ହୋଇ ସାହାଯ୍ୟର ହାତ ବଢ଼ାଉଛନ୍ତି, ସେମାନଙ୍କୁ ବିଶ୍ବାସ କରନ୍ତୁ ନାହିଁ ବୋଲି କମିସନରେଟ୍‌ ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏପରିକି କୌଣସି ଅଜଣା ବ୍ୟକ୍ତିଙ୍କଠାରୁ ଏଭଳି ସାହାଯ୍ୟ ନ ମାଗିବା ପାଇଁ କୁହାଯାଇଛି। ସୂଚନାଯୋଗ୍ୟ, ଗୋଟିଏ କ୍ୟାପିଟାଲ ଓ ଅନ୍ୟଟି ଏୟାରପୋର୍ଟ ଥାନା ଅଞ୍ଚଳରେ ଘଟଣା ସାମ୍ନାକୁ ଆସିଛି। ଦୁଇଟି ଘଟଣାରେ ପ୍ରାୟ ୧ଲକ୍ଷ ଟଙ୍କା ଠକେଇ ହୋଇଥିବା ଜଣାପଡ଼ିଛି।

ସର୍ବସ୍ବାନ୍ତ କରିଦେଲ, ଜୀବନର ସଞ୍ଚିତ ଧନ ନେଇଗଲେ, ଥାନାରେ ଅଭିଯୋଗ ପରେ ଉଠାଇ ନେଇଛନ୍ତି ସାଢ଼େ ୯ ହଜାର

‘ଅଟୋ ଚଳାଇ ଖଟି ଖଟି ଜୀବନ ସାରା ସଞ୍ଚୟ କରିଥିଲି। ମତେ ସର୍ବସ୍ବାନ୍ତ କରିଦେଲେ ଲୁଟେରା। ପାଖରେ ଆଉ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ କରିବାକୁ ନାହିଁ।’ ଏମିତି କୋହଭରା କଣ୍ଠରେ ଗଣମାଧ୍ୟମ ଆଗରେ କହିଛନ୍ତି ଲୁଟ୍‌ର ଶିକାର ହୋଇଥିବା କାରଗିଲ୍‌ ବସ୍ତିର ଗୁଣନିଧି ବେହେରା। ସେ କହିଛନ୍ତି, ୩ଜଣ ଯୁବକ ପୋଖରୀପୁଟ ଏଟିଏମ୍ କାଉଣ୍ଟର ନିକଟରେ ଛିଡ଼ା ହୋଇଥିଲେ। ସେହି ସମୟରେ ସେ ଟଙ୍କା ଜମା କରିବାକୁ ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ବାହାରେ ଛିଡ଼ା ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ମେସିନ୍‌ ବ୍ୟବହାର ଭଳି ନାଟକ କରୁଥିଲେ। ସେ ଡିପୋଜିଟ୍ ନ କରି ପାରିବାରୁ ସେମାନଙ୍କ ମଧ୍ୟରୁ ଜଣଙ୍କର ସାହାଯ୍ୟ ମାଗିଥିଲେ। କିନ୍ତୁ ଅସୁବିଧା ଥିବା କହି କେବଳ ପାସବୁକ୍ ପ୍ରିଣ୍ଟ କରି ସେମାନେ ଅନ୍ୟ କାଉଣ୍ଟରକୁ ଯିବା ପାଇଁ କହିଥିଲେ। ଗୁଣନିଧି ଘରେ ଆସି ପହଞ୍ଚିବା ପରେ ତାଙ୍କ ଆକାଉଣ୍ଟରୁ ୪୫ ହଜାର ଟଙ୍କା କଟିଥିବା ଜାଣିବାକୁ ପାଇଥିଲେ। ବ୍ୟାଙ୍କ ବନ୍ଦ ଥିବାରୁ ସେ ଥାନାରେ ଅଭିଯୋଗ କରିଥିଲେ। ସେତେବେଳେ ତାଙ୍କ ଆକାଉଣ୍ଟରେ ଆଉ ୯୬୦୦ ଟଙ୍କା ଥିଲା। ଅଭିଯୋଗ ପରେ ମଧ୍ୟ ଆକାଉଣ୍ଟରୁ ଟଙ୍କା କଟିଥିବା ଜଣାପଡ଼ିଛି। ସେହିପରି ଗୁଣନିଧିଙ୍କ ଏଟିଏମ୍ କାର୍ଡ ବ୍ୟବହାର କରି ଦୁର୍ବୃତ୍ତମାନେ ଏକ ଜୁଏଲାରି ସୋ’ରୁମରୁ ଅଳଙ୍କାର କିଣିଥିବା ପୁଲିସ ତଦନ୍ତ ସମୟରେ ଜାଣିବାକୁ ପାଇଛି। ସେଠାରୁ ମଧ୍ୟ ସିସିଟିଭି ଫୁଟେଜ ସଂଗ୍ରହ କରିଛି।

ସମ୍ବନ୍ଧିତ ଖବର