କିନ୍ନରଙ୍କ ପାଇଁ ହେବ ସ୍ୱତନ୍ତ୍ର ଶୌଚାଳୟ

ଓଡ଼ିଶାରେ ପ୍ରଥମ

ଭୁବନେଶ୍ୱର : କିନ୍ନରମାନଙ୍କୁ ଝାଡ଼ା କି ପରିସ୍ରା ଲାଗିଲେ ସେମାନେ ପୁରୁଷ କି ମହିଳାଙ୍କ ଶୌଚାଳୟକୁ ଯିବା ନେଇ ସନ୍ଦେହରେ ପଡ଼ିବେନି। ଏପରିକି କୌଣସି ଶୌଚାଳୟରେ ପଶିଗଲେ ହଟହଟ୍ଟାର ଶିକାର ହେବେନି। କିନ୍ତୁ ଏହି ସୁବିଧା ଏବେ କେବଳ ବିଜୁ ପଟ୍ଟନାୟକ ପାର୍କ ବା ଫରେଷ୍ଟ ପାର୍କରେ ଉପଲବ୍ଧ ହେବ। ଏନେଇ ବିଡିଏ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି।

ବିଜୁ ପଟ୍ଟନାୟକ ପାର୍କରେ ହେବାକୁ ଥିବା ଏହି ଶୌଚାଳୟ ପୂର୍ତ୍ତ ଏବଂ ଜନସ୍ୱାସ୍ଥ୍ୟ ବିଭାଗର ନିୟମାବଳୀ ଅନୁଯାୟୀ ନିର୍ମାଣ ହେବ। ଏଥିପାଇଁ ୩.୬ଲକ୍ଷ ଟଙ୍କାର ଖର୍ଚ୍ଚ ଅଟକଳ ହୋଇଥିବାବେଳେ ଖୁବ୍‌ ଶୀଘ୍ର ଟେଣ୍ଡର ପ୍ରକ୍ରିୟା ଶେଷ ହେବ। ପଞ୍ଜାବ ବିଶ୍ୱବିଦ୍ୟାଳୟ, ମହୀଶୂର ମହାନଗର ନିଗମ, ଭୋପାଳ ମହାନଗର ନିଗମ, କୋଚି ମେଟ୍ରୋ ପରେ ଭୁବନେଶ୍ୱରରେ କିନ୍ନରଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ ନିର୍ମାଣ ହେବ। ଓଡ଼ିଶା ୫ମ ରାଜ୍ୟ ଭାବେ ଏହିଭଳି ସ୍ୱତନ୍ତ୍ର ଶୌଚାଳୟ ନିର୍ମାଣ କରିବାକୁ ଯାଉଛି।

ସୂଚନାଯୋଗ୍ୟ ଯେ, ଭୋପାଳ ମହାନଗର ନିଗମ, କୋଚି ମେଟ୍ରୋ ଏବଂ ମହୀଶୂରରେ କିନ୍ନରଙ୍କ ପାଇଁ ଶୌଚାଳୟ ସହ ସ୍ୱତନ୍ତ୍ର ବିଶ୍ରାମସ୍ଥଳୀ ନିର୍ମାଣ କରାଯାଇଛି।

ତୃତୀୟ ଲିଙ୍ଗୀଙ୍କ ପାଇଁ ଗ୍ରାମୋଦ୍ୟୋଗ କର୍ମଶାଳା

ଭୁବନେଶ୍ୱର : ତୃତୀୟ ଲିଙ୍ଗୀ ବର୍ଗର ସାମାଜିକ ଓ ଅର୍ଥନୈତିକ ବିକାଶ କ୍ଷେତ୍ରରେ ସହଭାଗିତା ଯୋଗାଇ ଦେବା ଉଦ୍ଦେଶ୍ୟରେ ତୃତୀୟ ଲିଙ୍ଗୀଙ୍କ ପାଇଁ ଗ୍ରାମୋଦ୍ୟୋଗ ଓ ନିଯୁକ୍ତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ୫୦ଜଣ ତୃତୀୟ ଲିଙ୍ଗି ବ୍ୟକ୍ତିବିଶେଷ ଅଂଶଗ୍ରହଣ କରିଥିଲେ। ‘ସଖା’ ଓ ‘ନିଖିଳ ଓଡ଼ିଶା ତୃତୀୟ ଲିଙ୍ଗି ଉନ୍ନୟନ ଟ୍ରଷ୍ଟ୍‍’ ଜରିଆରେ ମାଲକାନଗିରି, କେରାପୁଟ, ରାୟଗଡ଼ା, ଗଞ୍ଜାମ, ଅନଗୁଳ, କେନ୍ଦ୍ରାପଡ଼ା, କଟକ, ଖୋର୍ଧାରୁ ଅଂଶଗ୍ରହଣ କରିଥିଲେ।

ଆଜିର ଏହି କର୍ମଶାଳାରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଦେବେନ୍ଦ୍ରନାଥ ଜେନା, ଉତ୍କଳ ବିଶ୍ୱବିଦ୍ୟାଳୟର ବାଣିଜ୍ୟ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ଅନିଲ୍‌ ସ୍ୱାଇଁ, ଜାତୀୟ ମାନବାଧିକାର ଆୟୋଗର କୋର୍‌ ସଦସ୍ୟ ମନୋଜ ଜେନା, ସମାଜସେବୀ ନୀଳୟକାନ୍ତ ମହାପାତ୍ର, ବୋର୍ଡର ଉପସଚିବ ରେଣୁପ୍ରଭା ନାୟକ ଏବଂ ଦିଶା ରଂଜନଙ୍କ ସମେତ ସମାଜସେବୀବୃନ୍ଦ ଉପସ୍ଥିତ ରହି କର୍ମଶାଳାକୁ ଉଦ୍‌ଘାଟନ ସହ ବକ୍ତବ୍ୟ ଦେଇ ଉତ୍ସାହିତ କରିଥିଲେ। ବୋର୍ଡର ସଭାପତି ତେଜେଶ୍ୱର ପରିଡ଼ା କହିଥିଲେ, ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ଜିଲ୍ଲା ସ୍ତରରେ ସଚେତନତା ସହ ଜିଲ୍ଲାପାଳଙ୍କୁ ଏ ଦିଗରେ ସହଯୋଗ ପାଇଁ ନିବେଦନ କରାଯିବ। ସେମାନଙ୍କୁ ବିଭିନ୍ନ ଯୋଜନାରେ ସହାୟତା ସହ ଋଣ ଦେବାରେ ବୋର୍ଡର ଅଧିକାରୀମାନେ ସହଯୋଗ କରିବେ। ତୃତୀୟ ଲିଙ୍ଗୀ ଗ୍ରାମୋଦ୍ୟୋଗୀ ସୃଷ୍ଟି ନିମନ୍ତେ ଅଧିକ ଆଇନ୍‌ ବ୍ୟବସ୍ଥା ଉପରେ ଆଡ୍‌ଭୋକେସି କରାଯିବ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର