ଭୁବନେଶ୍ବର: ମହିଳା ସ୍ବୟଂସହାୟକ ଗୋଷ୍ଠୀଙ୍କ ପାଇଁ ସ୍ୱତନ୍ତ୍ର ଭେଣ୍ଡିଙ୍ଗ ଜୋନ୍ ହେବ। ଏଥିପାଇଁ ସିଆରପି ଛକରେ ଜାଗା ଚିହ୍ନଟ ହୋଇଛି। ମେୟର ସୁଲୋଚନା ଦାସ ଆଜି ଘଟଣାସ୍ଥଳ ବୁଲି ଜାଗା ଦେଖିଛନ୍ତି। ଆସନ୍ତା ବର୍ଷ ମାର୍ଚ୍ଚ ମାସରେ ପାଳିତ ହେବାକୁ ଥିବା ମହିଳା ଦିବସରେ ଏହାକୁ ଉଦ୍ଘାଟନ କରିବାକୁ ଯୋଜନା ରହିଛି। ଭେଣ୍ଡିଂ ଜୋନ୍ ପାଇଁ ଏହି ଜାଗା କେତେ ଦୂର ସୁବିଧା ହେବ ତାହା ଯାଞ୍ଚ କରିବା ପାଇଁ ସମ୍ପୃକ୍ତ ଜେଡ୍ଡିସି ଓ ଡିସି(ମାର୍କେଟ୍)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ୧୦ତାରିଖରେ ଅନୁଷ୍ଠିତ ଏହି ସହର ଭେଣ୍ଡିଙ୍ଗ କମିଟିରେ ନିଆଯାଇଥିବା ନିଷ୍ପତ୍ତି ମୁତାବକ, ୨୦୧୫ ମସିହାରେ ହୋଇଥିବା ସର୍ଭେରେ ତାଲିକାଭୁକ୍ତ ଥିବା ଭେଣ୍ଡରମାନଙ୍କ ଭିତରୁ ପ୍ରାୟ ୭ ହଜାର ଭେଣ୍ଡର୍ ଏବେ ନାହାନ୍ତି।
ଅନ୍ୟପଟେ ଆଉ କେତେକ ନୂଆ ଭେଣ୍ଡର ମଧ୍ୟ ଯୋଗ ଦେଇଛନ୍ତି। ଯେଉଁମାନେ ତାଲିକାଭୁକ୍ତ ହୋଇ ନାହାନ୍ତି। ୫ ବର୍ଷରେ ଥରେ ସର୍ଭେ ହୋଇ ସେମାନଙ୍କର ସଂଖ୍ୟା ହିସାବ ହେବା କଥା। ଏଣୁ ତୁରନ୍ତ ଏମାନଙ୍କର ସଂଖ୍ୟା ଧାର୍ଯ୍ୟ କରିବା ପାଇଁ ଡିସି(ମାର୍କେଟ୍)ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ ଦିବ୍ୟାଙ୍ଗଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ଭେଣ୍ଡିଂ ଜୋନ୍ ନିର୍ମାଣ କରିବାକୁ ଯୋଜନା ରହିଛି। ପ୍ରତି ଆପାର୍ଟମେଣ୍ଟ୍ରେ ତିନିଟି ଦୋକାନ ଘର ବିଏମ୍ସି କରିବ। ଏଥିପାଇଁ ପ୍ଲାନ୍ ଦେବା ବେଳେ ବିଡିଏ ଏହି ବ୍ୟବସ୍ଥା କରିବ ବୋଲି କୁହାଯାଇଛି। ବିଏମ୍ସି ପ୍ଲାନର୍ ବିଡିଏ ସହ ସମନ୍ୱୟ ରଖିବାକୁ କୁହାଯାଇଛି। ବିଏମ୍ସି ପକ୍ଷରୁ ୩୪ଟି ପ୍ରାଧୀକୃତ ଭେଣ୍ଡିଙ୍ଗ ଜୋନ ରହିଛି।