ଭୁବନେଶ୍ବର: କଳ୍ପନାରେ ଉଠାଦୋକାନ ଭଙ୍ଗାକୁ ନେଇ ଆଜି ଅପରାହ୍ଣରେ ପ୍ରବଳ ଉତ୍ତେଜନା ଦେଖା ଦେଇଥିଲା। ଅପରାହ୍ଣ ପ୍ରାୟ ସାଢ଼େ ୪ଟା ବେଳେ ବିଏମ୍‌ସି ସ୍କ୍ବାଡ ତାରେଣୀ ବସ୍ତ୍ରାଳୟ ସମ୍ମୁଖରେ ଥିବା ଏକ ଫୁଲ ଓ ଫଳ ଦୋକାନକୁ ଭାଙ୍ଗି ଚାଲି ଯାଇଥିଲେ। ଯାହାକୁ ନେଇ ଦୋକାନର ମାଲିକଙ୍କ ସମେତ ସ୍ଥାନୀୟ ବ୍ୟବସାୟୀ ଏହା ପ୍ରତିବାଦରେ ପ୍ରାୟ ଅଧଘଣ୍ଟା ରାସ୍ତାରୋକ କରିଥିଲେ। ଦୋକାନ କରିଥିବା ମଞ୍ଜୁଲତା ନାୟକଙ୍କ କହିବା କଥା ହେଲା, ସେ ୨୦ ବର୍ଷ ହେବ ଉଠା ଦୋକାନ କରି ପରିବାର ପ୍ରତିପୋଷଣ କରୁଛନ୍ତି।

Advertisment

ଦୋକାନ ଭାଙ୍ଗିବା ନେଇ ବିଏମ୍‌ସି ପକ୍ଷରୁ ପୂର୍ବରୁ ନୋଟିସ୍‌ ଦିଆଯାଇନାହିଁ। ଦୋକାନ ବନ୍ଦ ଥିବା ବେଳେ କିଛି କର୍ମଚାରୀ ଆସି ଭାଙ୍ଗି ଦେଇଥିଲେ। ସେ ଅଭିଯୋଗ କରିଛନ୍ତି‌ ଯେ, ବିଏମ୍‌ସିର ଜଣେ ଅଧିକାରୀ ପ୍ରତିଦିନ ତାଙ୍କୁ ବିନା ମୂଲ୍ୟରେ ଫଳ ଦେବା ପାଇଁ ବାଧ୍ୟ କରୁଥିଲେ। ମାଗଣାରେ ଫଳ ନଦେବାରୁ ଅଧିକାରୀ ଜଣଙ୍କ ଅକ୍ରୋଶମୂଳକ ଭାବେ ଦୋକାନ ଭାଙ୍ଗିଛନ୍ତି। ବିଏମ୍‌ସି ଥଇଥାନ କରି ଦୋକାନ ଭାଙ୍ଗିଥିଲେ ଆମର କୌଣସି ଅପତ୍ତି ନାହିଁ ବୋଲି ସେ କହିଛନ୍ତି। ଅନ୍ୟପଟେ କଳ୍ପନା ଟ୍ରାଫିକ୍‌ ନିକଟରେ ରାସ୍ତା ଉପରେ ବିକ୍ଷୋଭ ଯୋଗୁଁ ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ଟ୍ରାଫିକ୍‌ ଜାମ୍‌ ହୋଇଥିଲା। ରାଜମହଲ ଛକରୁ କଳ୍ପନା ଟ୍ରାଫିକ୍‌ ଯାଏ ଶହ ଶହ ଗାଡ଼ି ଅଟକି ରହିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା।