ଭୁବନେଶ୍ବର: ବିଜୟିନୀ ତ୍ରିପାଠୀଙ୍କ ଗଳ୍ପ ସଂକଳନ ‘ସେଇ ବର୍ଷାଭିଜା ରାତି’ ଆଜି ‘ସମ୍ବାଦ ଭବନ’ର ସମ୍ମିଳନୀ କକ୍ଷରେ ଲୋକାର୍ପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ‘ସମ୍ବାଦ’ ଗ୍ରୁପ୍‌ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ, ଆଜିର ସମୟ‌ରେ ସାହିତ୍ୟର  ସମସ୍ତ ବିଭାଗ ମଧ୍ୟରୁ କ୍ଷୁଦ୍ରଗଳ୍ପ ସର୍ବାଗ୍ରେ ରହିଛି। ଭାଷା ସାହିତ୍ୟକୁ ସୁରକ୍ଷିତ କରିବାରେ ଏହାର ପ୍ରମୁଖ ଭୂମିକା ରହିଛି। ଗପ ହିଁ ସାହିତ୍ୟ ସହିତ ବର୍ତ୍ତମାନର ପାଠକଙ୍କୁ ଯୋଡ଼ିବାର ମାଧ୍ୟମ ‌ବୋଲି ସେ ମତ ରଖିଥିଲେ। ଉତ୍ସବରେ ଯୋଗ ଦେଇଥିବା ଲେଖିକାଙ୍କର ସହପାଠୀମାନଙ୍କୁ ଲକ୍ଷ୍ୟକରି ଶ୍ରୀ ପଟ୍ଟନାୟକ କହିଥିଲେ, ଲେଖିକା ୫୦ ବର୍ଷ ଧରି ନିଜ ସହପାଠୀମାନଙ୍କ ସହିତ ଥିବା ବନ୍ଧୁତାକୁ ବଞ୍ଚାଇ ରଖିଛନ୍ତି, ତାହା କମ୍‌ କଥା ନୁହେଁ। ଏହା କେବଳ ତାଙ୍କ ସାରସ୍ବତ ସୃଜନୀ ଦ୍ବାରା ସମ୍ଭବ ହୋଇଛି। 

Advertisment

ପୁସ୍ତକ ସମୀକ୍ଷା କରି ଲେଖକ ଅସିତ୍‌ ମହାନ୍ତି କହିଥିଲେ, ଲେଖିକାଙ୍କର ପୂର୍ବ ୨ଟି ଗଳ୍ପ ପୁସ୍ତକ ପାଠକାଦୃତି ପାଇଛି। ଏହି ସଂକଳନରେ ଥିବା ଗଳ୍ପଗୁଡ଼ିକ ମଧ୍ୟ ସ୍ବଚ୍ଛ, ସୁନ୍ଦର ଓ ସରଳ ଭାଷାରେ ଲେଖା ଯାଇଥିବାରୁ ଏହାକୁ ପାଠକ ଗ୍ରହଣ କରିବେ। ‌୫୦ ବର୍ଷ ତଳେ ଲେଖିକାଙ୍କର ସହପାଠୀ ଥିବା ବରିଷ୍ଠ କଥାକାର କୃପାସାଗର ସାହୁ ଓ ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ ମଧ୍ୟ ଗଳ୍ପିକାଙ୍କ ଲେଖା ପରିପକ୍ବ ଓ ସୁଖପାଠ୍ୟ ବୋଲି ମତ ରଖିଥିଲେ। ‘ସମ୍ବାଦ’ର ବାର୍ତ୍ତା ସମ୍ପାଦକ ଭବାନୀ ଶଙ୍କର ତ୍ରିପାଠୀ ଗାଳ୍ପିକାଙ୍କ ଗଳ୍ପ ତାଙ୍କୁ କିପରି ଆନ୍ଦୋଳିତ କରିଛି ତାହା ବର୍ଣ୍ଣନା କରିଥିଲେ। ସଭାରେ ଅନ୍ୟମାନଙ୍କ ମଧ୍ୟରେ ସଂଯୁକ୍ତା ମହାନ୍ତି, ଶିବଚରଣ ନାୟକ, ରାଧାକାନ୍ତ ପା‌ଣି, ରମାକାନ୍ତ ପଟ୍ଟନାୟକ, ‘ସମ୍ବାଦ ସାହିତ୍ୟଘର’ର ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କା, ଲେଖିକାଙ୍କ ଝିଅ ତମନ୍ନା ତ୍ରିପାଠୀ, ଏସି ମହାନ୍ତି, ନବ କୁମାର ତ୍ରିପାଠୀ, ଦେବାଶିଷ ଦାସଗୁପ୍ତା, ସୌମ୍ୟା‌ ରଥ, ଅଶୋକ ରଥ ଓ ମନୋରମା ପାଣି ପ୍ରମୁଖ ମଧ୍ୟ ନିଜର ମତ ରଖିଥିଲେ। 

ନିଜ ଲେଖକୀୟ ମନ୍ତବ୍ୟରେ ଶ୍ରୀମତୀ ତ୍ରିପାଠୀ କହିଥିଲେ, ସଂକଳନରେ ସ୍ଥାନ ପାଇଥିବା ଗଳ୍ପଗୁଡ଼ିକ ସଂପର୍କରେ ସମ୍ୟକ୍‌ ସୂଚନା ଦେଇଥିଲେ। ସେ ଆହୁରି କହିଥିଲେ ଯେ ନିତିଦିନିଆ ଜୀବନର ଘଟଣା ଦୁର୍ଘଟଣା, ବିଭିନ୍ନ ପରିସ୍ଥିତି, ସମୟ ସହିତ ବଦଳୁଥିବା ମାନସିକତା ଆଦି ତାଙ୍କ ଗଳ୍ପସବୁର ପ୍ରେରଣା। ଉତ୍ସବରେ ଲେଖିକାଙ୍କ ସ୍ବାମୀ ପ୍ରଫେସର ଦେବ ତ୍ରିପାଠୀ ଲେଖିକାଙ୍କ ସୃଜନଯାତ୍ରା ସଂପର୍କରେ ନିଜର ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ‘ସମ୍ବାଦ’ର ଡେପୁଟି ଏଡିଟର (ଫିଚର) ଧୃତିକାମ ମହାନ୍ତି ତଥା ଅନ୍ୟ ସହଯୋଗୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥି‌ଲେ। 
‘ପୌରୁଷ’ର ସହସଂପାଦକ ଗୋବିନ୍ଦ ଚାନ୍ଦ ସଭା ପରିଚାଳନା କରିଥିବାବେଳେ, ଶୋଭାକାଂକ୍ଷିନୀ ତ୍ରିପାଠୀ ସ୍ବାଗତ ଭାଷଣ ଓ ଧନ୍ୟବାଦ ଦେଇଥିଲେ।