ସ୍ପିଡ୍‌ ବାଇକ୍‌ଚାଳକଙ୍କ ଉତ୍ପାତ : ବିକଟାଳ ହର୍ଣ୍ଣରେ ଫାଟି ପଡ଼ୁଛି କାନ

ଟ୍ରାଫିକ୍‌ ପୁଲିସର ନାହିଁ କଟକଣା, ଚଢ଼ଉ ସତ୍ତ୍ବେ ମଧ୍ୟ ଚାଲିଛି ସାଇଲେନ୍ସର୍‌ ବେପାର

ଭୁବନେଶ୍ବର : ରାଜଧାନୀରେ ଏବେ ସ୍ପିଡ୍‌ ବାଇକ୍‌ଚାଳକଙ୍କ ଉତ୍ପାତ ବଢ଼ି ବଢ଼ି ଚାଲିଛି। ସହର ମଧୢରେ ୪୫ କିମି ଗତିରେ ବାଇକ୍‌ ଚଳାଇବାର ନିୟମ ଥିଲେ ମଧୢ ସ୍ପିଡ୍‌ ବାଇକ୍‌ଚାଳକମାନେ ଏହାକୁ ଖାତିର କରୁନାହାନ୍ତି। ସ୍ପିଡ୍‌ ସାଙ୍ଗକୁ ବିକଟାଳ ହର୍ଣ୍ଣରେ କାନ ଫଟାଇ ଦେଉଛନ୍ତି। ନିଜେ ଦୁର୍ଘଟଣାର ଶିକାର ହେଉଛନ୍ତି, ଅନ୍ୟମାନଙ୍କୁ ମଧୢ ମୃତ୍ୟୁ ମୁଖକୁ ଠେଲି ଦେଉଛନ୍ତି। ବିକଟାଳ ହର୍ଣ୍ଣ ବଜାଉଥିବା ବାଇକ୍‌ ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ନିୟମ ଥିଲେ ମଧୢ ଟ୍ରାଫିକ୍‌ ପୁଲିସ କେବଳ ହେଲମେଟ୍‌, କାର ବେଲ୍‌ଟ ଚେକି˚ରେ ମାତିଛି। ଏଣେ ବେଳକୁ ବେଳ ଏହି ସ୍ପିଡ୍‌ ବାଇକ୍‌ଚାଳକଙ୍କ ଉତ୍ପାତ ଓ ଆତଙ୍କ ବଢ଼ି ବଢ଼ି ଚାଲିଛି। ସେମାନଙ୍କୁ ଧରିବା ଲାଗି କିଛି ମାସ ତଳେ ଟ୍ରାଫିକ୍‌ ପୁଲିସକୁ ୧୮ଟି ହାଇସ୍ପିଡ୍‌ ବାଇକ ଯୋଗାଇ ଦିଆଯାଇଥିଲା। ଯେଉଁମାନେ ଦ୍ରୁତ ଗତିରେ ବାଇକ୍‌ ଚଳାଇବେ ସେମାନଙ୍କୁ କାବୁ କରି ଜରିମାନା ଆଦାୟ କରିବେ। କିନ୍ତୁ ଟ୍ରାଫିକ୍ ପୁଲିସ ଏଗୁଡ଼ିକୁ ବିଭିନ୍ନ ଛକରେ ରଖି କେବଳ ଜରିମାନା ରସିଦ୍ କାଟୁଛନ୍ତି। କେବଳ ଏତିକି ନୁହେଁ ରାଜଧାନୀର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଏପରି ସାଇ‌େଲନ୍ସର ଅବାଧରେ ବିକ୍ରି ହେଉଛି। ପୁଲିସ କେବଳ ଚଢ଼ଉ କରି ଜରିମାନା ଆଦାୟ କରୁଛି। କିନ୍ତୁ ଏପରି ବ୍ୟବସାୟକୁ ରୋକାଯାଇ ପାରୁନି।

ମିଳିଥିବା ସୂଚନା ମୁତାବକ, ଏବେ ରାଜଧାନୀର ସ୍ପିଡ୍‌ ବାଇକ୍‌ଚାଳକମାନେ ଜାଭିଅର ସ୍କୁଲରୁ ଜୟଦେବ ବିହାର, ଏଜି ଛକରୁ ଗଭର୍ଣ୍ଣର ହାଉସ ଛକ, ପୋଖରୀପୁଟରୁ ଆଇଟିଆର‌୍‌ ଛକ, ଇନ୍‌ଫୋସିଟି ରାସ୍ତା, ପଟିଆରୁ ଇନ୍‌ଫୋସିଟି, ଜନପଥରେ ବାଣୀବିହାରରୁ ମାଷ୍ଟରକ୍ୟାଣ୍ଟିନ୍‌, ଆଚାର୍ଯ୍ୟବିହାର ଛକରୁ ଏଜି ଛକ, ଜୟଦେବବିହାର ଛକରୁ ରାଜଭବନ ଛକ ରାସ୍ତାରେ ଆତଙ୍କ ଖେଳାଉଛନ୍ତି। ଅନ୍ୟ ଏକ ବାଇକ୍‌ ଓ କାର ସମ୍ମୁଖରେ ସର୍ପିଳ ଗତିରେ ଏପରି ବାଇକ୍‌ ଚଳାଉଛନ୍ତି ଯେ ଅନ୍ୟ ଆରୋହୀମାନେ ଭୟଭୀତ ହୋଇ ପଡ଼ୁଛନ୍ତି। ରାତି ୮ଟା ପରେ ପରିସ୍ଥିତି ଜଟିଳ ହୋଇ ପଡ଼ୁଛି। ବାଇକ୍‌ ଷ୍ଟାଣ୍ତକୁ ରାସ୍ତାରେ ଘଷିଘଷି ନିଆଁ ବାହାର କରୁଛନ୍ତି। ଏକାବେଳକେ ୩/୪ ବାଇକ ଚାଳକ ଏଭଳି ବିଭିନ୍ନ ରାସ୍ତାରେ ଉତ୍ପାତ ଓ ଆତଙ୍କ ଖେଳାଉଥିଲେ ମଧୢ କମିସନରେଟ୍ ପୁଲିସ ପକ୍ଷରୁ ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ।

ଏଭଳି ସ୍ପିଡ୍‌ ବାଇକ୍‌ଧାରୀଙ୍କ ଉପରେ ନଜର ରଖିବାକୁ ଟ୍ରାଫିକ୍‌ ପୁଲିସ ପକ୍ଷରୁ ୩ଟି ସ୍ପିଡ୍‌ ଲେଜର ଗନ୍‌ ମେସିନ୍‌ ୩୦ ଲକ୍ଷ ଟଙ୍କାରେ କିଣା ଯାଇଥିଲା। ଯୋଜନା ଥିଲା ଯେ କୌଣସି ଗୋଟିଏ ଛକରେ ପୁଲିସ ଏହି ଲେଜର ଗନ୍‌କୁ ଲଗାଇ ବସିବ। ଦୁଇ ଶହ ମିଟର ଦୂରରୁ ଆସୁଥିବା ବାଇକ୍‌ର ଗତି ସମ୍ପର୍କରେ ଆଗୁଆ ଜାଣି ପାରିବ। ଏହା ପରେ ଟ୍ରାଫିକ୍‌ ପୁଲିସ ସେହି ଗାଡ଼ିକୁ ଅଟକାଇ ଜରିମାନା ଆଦାୟ କରିବେ। କିନ୍ତୁ ଏବେ ସେହି ସ୍ପିଡ୍‌ ଲେଜର ଗନ୍‌ ମେସିନ୍‌ ଖତ ଖାଉଛି।

ସେହିପରି ଟ୍ରାଫିକ୍‌ ପୁଲିସ ସହର ସାରା ବୁଲିବୁଲି ସ୍ପିଡ୍‌ ବାଇକ୍‌ଚାଳକଙ୍କୁ କାବୁ କରି ଜରିମାନା ଆଦାୟ କରିବାର ନିୟମ ରହିଥିବା ବେଳେ ପୁଲିସ କିଛି ନିର୍ଦିଷ୍ଟ ସ୍ଥାନରେ ଚେକି˚ କରୁଛି। ଫଳରେ ସ୍ପିଡ୍‌ ବାଇକ୍‌ଚାଳକମାନେ ରାସ୍ତା ବଦଳାଇ ଖସି ଯାଉଛନ୍ତି।

କିଛି ଦିନ ତଳେ ଡିସିପି ଅନୁପ ସାହୁଙ୍କ ନେତୃତ୍ବରେ ଏକ ଟିମ୍ ଲକ୍ଷ୍ମୀସାଗର ଥାନା ଅଧୀକ କଟକରୋଡ୍‌ରେ ଚଢ଼ଉ କରିଥିଲା। ଚଢ଼ଉବେଳେ ଟ୍ରାଫିକ ପୁଲିସ ୧୭ଟି ପାଖାପାଖି ବିକଟାଳ ଶବ୍ଦ କରୁଥିବା ସାଇଲେନ୍ସର ଜବତ କରିଥିଲା। ଦୋକାନ ମାଲିକଙ୍କୁ ମଧ୍ୟ ଟ୍ରାଫିକ ଥାନାରେ ଅଟକ ରଖାଯାଇଥିଲା। କିନ୍ତୁ ଏହାର କୌଣସି ପ୍ରଭାବ ପଡ଼ୁ ନଥିବା ଦେଖାଯାଇଛି। ଏବେ ବି ରାଜଧାନୀରେ ବିକଟାଳ ଶବ୍ଦ କରୁଥିବା ହର୍ଣ୍ଣ ବିକ୍ରି ହେଉଛି।

ଏ ସମ୍ପର୍କରେ ଡିସିପି ଅନୁପ ସାହୁ କହିଛନ୍ତି, ଲଗାତାର ଭାବେ କମିସନରେଟ ପୁଲିସ ପକ୍ଷରୁ ଏଭଳି ବେଆଇନ ସାଇଲେନ୍ସର ବିକ୍ରି କରୁଥିବା ଦୋକାନଗୁଡ଼ିକ ଉପରେ ଚଢ଼ଉ ଚାଲିଛି। ଆଗାମୀ ଦିନରେ ସ୍ପିଡ୍‌ ବାଇକଧାରୀଙ୍କ ଉପରେ କମିସନେରଟ ପୁଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଆବଶ୍ୟକ ହେଲେ ଚାଳକଙ୍କ ଲାଇସେନ୍ସ ରଦ୍ଦ କରାଯିବାକୁ ଯୋଜନା ହେଉଛି।

ସମ୍ବନ୍ଧିତ ଖବର