ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଏବେ ସ୍ପିଡ୍ ବାଇକଧାରୀଙ୍କ ଉତ୍ପାତ ବଢ଼ି ବଢ଼ି ଚାଲିଛି। ସହର ମଧ୍ୟରେ ୪୫ କିମି ଗତିରେ ବାଇକ୍ ଚଳାଇବାର ନିୟମ ଥିଲେ ମଧ୍ୟ ସ୍ପିଡ୍ ବାଇକ୍ଧାରୀ ଏହାକୁ ଖାତିର କରୁନାହାନ୍ତି। ସ୍ପିଡ୍ ସାଙ୍ଗକୁ ବିକଟାଳ ହର୍ଣ୍ଣରେ କାନ ଫଟାଇ ଦେଉଛନ୍ତି। ସ୍ପିଡ୍ କାରଣରୁ ନିଜେ ଦୁର୍ଘଟଣାର ଶିକାର ହେଉଛନ୍ତି, ଅନ୍ୟମାନଙ୍କୁ ମଧ୍ୟ ମୃତ୍ୟୁମୁଖକୁ ଠେଲି ଦେଉଛନ୍ତି, କିମ୍ବା ପଙ୍ଗୁ କରି ଦେଉଛନ୍ତି। ସ୍ପିଡ୍ ବାଇକ୍ଧାରୀ ଓ ବିକଟାଳ ହର୍ଣ୍ଣ ବଜାଉଥିବା ବାଇକ୍ ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ନିୟମ ଥିଲେ ମଧ୍ୟ ଟ୍ରାଫିକ୍ ପୁଲିସ କେବଳ ହେଲମେଟ୍, କାର ବେଲଟ୍ ଚେକିଂରେ ମାତିଛି। ଏଣେ ବେଳକୁ ବେଳ ଏହି ସ୍ପିଡ୍ ବାଇକଧାରୀଙ୍କ ଉତ୍ପାତ ବଢ଼ି ବଢ଼ି ଚାଲିଛି।
ମିଳିଥିବା ସୂଚନା ମୁତାବକ, ଏବେ ରାଜଧାନୀର ସ୍ପିଡ୍ ବାଇକ୍ଧାରୀମାନେ ଜାଭିଅର ସ୍କୁଲରୁ ଜୟଦେବ ବିହାର, ଏଜି ଛକରୁ ଗଭର୍ନର ହାଉସ ଛକ, ପୋଖରୀପୁଟରୁ ଆଇଟିଆର୍ ଛକ, ଇନ୍ଫୋସିଟି ରାସ୍ତା, ପଟିଆରୁ ଇନ୍ଫୋସିଟି, ଜନପଥରେ ବାଣୀବିହାରରୁ ମାଷ୍ଟରକ୍ୟାଣ୍ଟିନ୍, ଆଚାର୍ଯ୍ୟବିହାର ଛକରୁ ଏଜି ଛକ, ଜୟଦେବବିହାର ଛକରୁ ରାଜଭବନ ଛକ ରାସ୍ତାରେ ଆତଙ୍କ ଖେଳାଉଛନ୍ତି। ଏମିତି ଭାବେ ବାଇକ୍ ଚଳାଉଛନ୍ତି ଯେ ଅନ୍ୟମାନେ ତାଙ୍କୁ ଦେଖି ଛାନିଆ ହୋଇଯାଉଛନ୍ତି। ଏହା ଛଡ଼ା ବାଇକ୍କୁ ଅନ୍ୟ ଏକ ବାଇକ୍ ଓ କାର ସମ୍ମୁଖରେ ସର୍ପିଳ ଢଙ୍ଗରେ କାଟି ପାସ୍ କରୁଛନ୍ତି। ରାତି ୮ଟା ପରେ ପରିସ୍ଥିତି ଜଟିଳ ହୋଇ ପଡ଼ୁଛି। ବାଇକ୍ ଷ୍ଟାଣ୍ଡକୁ ରାସ୍ତା ଘସିଘସି ନିଆଁ ବାହାର କରୁଛନ୍ତି। ଏକାବେଳକେ ୩/୪ ବାଇକ ଚାଳକ ଏଭଳି ବିଭିନ୍ନ ରାସ୍ତାରେ ଉତ୍ପାତ ଓ ଆତଙ୍କ ଖେଳାଉଥିଲେ ମଧ୍ୟ ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବା ଅଭିଯୋଗ ହେଉଛି।
ଏଭଳି ସ୍ପିଡ୍ ବାଇକ୍ଧାରୀଙ୍କ ଉପରେ ନଜର ରଖିବାକୁ ଟ୍ରାଫିକ୍ ପୁଲିସ ପକ୍ଷରୁ ୩ଟି ସ୍ପିଡ୍ ଲେଜର ଗନ୍ ମେସିନ୍ ୩୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଅଣାଯାଇଥିଲା। ଯୋଜନା ଥିଲା ଯେ କୌଣସି ଗୋଟିଏ ଛକରେ ପୁଲିସ ଏହି ଲେଜର୍ ଗନ୍କୁ ଲଗାଇ ବସିବ। ଦୁଇ ଶହ ମିଟର ଦୂରରୁ ଆସୁଥିବା ବାଇକ୍ର ଗତି ସମ୍ପର୍କରେ ଆଗୁଆ ଜାଣିପାରିବ। ଏହା ପରେ ଟ୍ରାଫିକ୍ ପୁଲିସ ସେହି ଗାଡ଼ିକୁ ଅଟକାଇ ଜରିମାନା ଆଦାୟ କରିବେ। କିନ୍ତୁ ଏବେ ସେହି ସ୍ପିଡ ଲେଜର ଗନ୍ ମେସିନ୍ ଖତ ଖାଉଛି।
ସେହିପରି ଟ୍ରାଫିକ୍ ପୁଲିସର ଯୋଜନା ଥିଲା, ମୋବାଇଲ୍ ଚେକିଂ କରିବା ପାଇଁ। ଅର୍ଥାତ ଟ୍ରାଫିକ୍ ପୁଲିସ ସହର ସାରା ବୁଲିବୁଲି ସ୍ପିଡ ବାଇକ୍ଧାରୀଙ୍କୁ କାବୁ କରିବା ସହିତ ଜରିମାନା ଆଦାୟ କରିବ। କିନ୍ତୁ ଏବେ ଟ୍ରାଫିକ୍ ପୁଲିସ ତାର ଚିରାଚରିତ ଢ଼ଙ୍ଗରେ ଗଛ ଛାଇ ଦେଖି ଏଜି ଛକ, ରାଜମହଲ ଓଭରବ୍ରିଜ ତଳ, ଜୟଦେବ ବିହାର ଓଭରବ୍ରିଜ ତଳ, ରସୁଲଗଡ଼ ଓଭରବ୍ରିଜ୍ ତଳ ଭଳି କିଛି ନିର୍ଦିଷ୍ଟ ସ୍ଥାନରେ ଚେକିଂ କରୁଛି। ପୁଲିସ ଏଭଳି ଗୋଟିଏ ସ୍ଥାନରେ ଚେକିଂ କରୁଥିବା କାରଣରୁ ସ୍ପିଡ୍ ବାଇକ୍ଧାରୀମାନେ ରାସ୍ତା ବଦଳାଇ ଖସି ଯାଉଛନ୍ତି।ତେବେ ସ୍ପିଡ୍ ବାଇକ୍ ଚାଳକଙ୍କୁ ସାବାଡ଼ କରିବାକୁ କମିସନରେଟ୍ ପୁଲିସ ଯୋଜନା କରିଛି। ପୁଲିସ ପକ୍ଷରୁ ୧୦୦ଟି ହାଇସ୍ପିଡ୍ ବାଇକ୍ ଆଣିବାକୁ ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ ଚିନ୍ତା କରୁଛନ୍ତି। ଏ ନେଇ ସେ ଗୃହ ବିଭାଗକୁ ପ୍ରସ୍ତାବ ପଠାଯାଇଛି ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।