ଦ୍ରୁତ ଗାଡ଼ି ଚାଳନା : ବର୍ଷକରେ ଧରା ପଡ଼ିଛନ୍ତି ୩୪ ହଜାର, ଭୁବନେଶ୍ବରରେ ସର୍ବାଧିକ

ଭୁବନେଶ୍ବର : ୨୦୧୯ ମସିହାରେ ଦ୍ରୁତଗତିରେ ଗାଡ଼ି ଚଳାଇ ସାରା ରାଜ୍ୟରେ ୩୪ ହଜାର ୫୬୨ ଜଣ ଲୋକ ଧରା ପଡ଼ିଛନ୍ତି। ପରିବହନ ବିଭାଗ ଚଢ଼ଉ କରି ଏହି ଚାଳକମାନଙ୍କୁ ଧରି ଜରିମାନା କଷିଛି। ଏହି ପ୍ରକ୍ରିୟାରେ ଭୁବ‌ନେଶ୍ବରରେ ସର୍ବାଧିକ ଜରିମାନା ଆଦାୟ ହୋଇଛି। ଦୁଇଟି ଆରଟିଓ ଅଞ୍ଚଳରୁ ମୋଟ ୮ ହଜାର ୬୫୦ ଦ୍ରୁତ ଚାଳକ ଧରା ପଡ଼ିଥିବା ବେଳେ ଆରଟିଓ-୨ରେ ସର୍ବାଧିକ ୫ ହଜାର ୩୩୨ ଜଣଙ୍କୁ ଧରିଛି। ଗଞ୍ଜାମ ଆରଟିଓ ୪ ହଜାରଙ୍କୁ ଧରି ଦ୍ବିତୀୟ ସ୍ଥାନରେ ଥିବା ବେଳେ ଭୁବନେଶ୍ବର ଆରଟିଓ-୧ ପକ୍ଷରୁ ହୋଇଥିବା ଚଢ଼ାଉରେ ୩ ହଜାର ୩୧୮ ଜଣ ଧରା ପଡ଼ିଛନ୍ତି। ବୌଦ୍ଧ ଜିଲ୍ଲାରେ ଜଣେ ହେଲେ ଦ୍ରୁତ ଚାଳକ ଧରା ପଡ଼ି ନାହାନ୍ତି। ଜାନୁଆରିରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ମୋଟର ଯାନ ଆଇନ ବଳରେ ଜରିମାନା କରାଯାଇଥିବା ବେଳେ ସେପ୍ଟେମ୍ବରରୁ ସଂଶୋଧିତ ମୋଟର ଯାନ ଆଇନ ବଳରେ ମୋଟା ଅଙ୍କର ଜରିମାନା କରାଯାଇଛି।
ସେହିଭଳି ବିନା ହେଲ୍‌ମେଟ୍‌ରେ ବାଇକ୍‌ ଚଳାଇ ୬୦ ହଜାର ୭୨୬ ଜଣ ଧରା ପଡ଼ିଛନ୍ତି। ଏଥିରେ ଗଞ୍ଜାମ ୯ ହଜାର ୯୫୪ ଜଣଙ୍କୁ ଧରି ଆଗରେ ରହିଛି। ୪ ହଜାର ୯୩୧ଜଣଙ୍କୁ ଧରି କଟକ ଦୁଇ ନମ୍ବରରେ ଥିବା ବେଳେ ଆରଟିଓ-୧ରେ ୨ ହଜାର ୨୧୪ଜଣ, ଭୁବନେଶ୍ବର ଆରଟିଓ-୨ରେ ୧ ହଜାର ୭୩୬, ରାଇରଙ୍ଗପୁର ୨୨୩ଜଣଙ୍କୁ ଧରି ତାଲିକାର ଶେଷରେ ରହିଛି।

ମଦ ନିଶାରେ ଗାଡ଼ି ଚଳାଇ ରାଜ୍ୟରେ ୩ ହଜାର ୩୯୭ ଜଣ ଗିରଫ ହୋଇଛନ୍ତି। ଏହି ତାଲିକାର ଶୀର୍ଷରେ ଫୁଲବାଣୀ ରହିଛି। ପୁଲବାଣୀରେ ୩୯୨ ଜଣ ଗିରଫ ହୋଇଥିବା ବେଳେ ସୁନ୍ଦରଗଡ଼ରେ ୩୦୭, ବରଗଡ଼ରେ ୨୯୮, ଭୁବନେଶ୍ବର ଆରଟିଓ-୧ରେ ୯୭ ଓ ଆରଟିଓ-୨ରେ ୨୯ ଏବଂ ଖୋର୍ଦ୍ଧାରେ ଜଣେ ହେଲେ ମଦ୍ୟପ ଚାଳକ ଗିରଫ ହୋଇ ନାହାନ୍ତି। ରାଇରଙ୍ଗପୁରରେ ଏହି ସଂଖ୍ୟା ୩ ଥିବା ବେଳେ ନୂଆପଡ଼ାରେ ଜଣେ ଧରାପଡ଼ିଛନ୍ତି।

ମୋବାଇଲ ଫୋନ୍‌ ବ୍ୟବହାର କରି ଗାଡ଼ି ଚଳାଇବା ବେଳେ ରାଜ୍ୟରେ ୫ହଜାର ୯୧୦ଜଣ ଧରା ପଡ଼ିଛନ୍ତି। ଏହି ତାଲିକାରେ ଗଜପତି ଆରଟିଓ(ପରିବହନ କାର୍ଯ୍ୟାଳୟ) ସର୍ବାଧିକ ୯୨୮ ଜଣଙ୍କୁ ଧରିଛି। ଏହା ପଛରେ ୭୫୫ ଜଣଙ୍କୁ ଧରି ମୟୂରଭଞ୍ଜ ରହିଥିବା ବେଳେ ନୂଆପଡ଼ାରେ ମାତ୍ର ୫ ଜଣ ଧରା ପଡ଼ିଛନ୍ତି। ଭୁବନେଶ୍ବରର ଆରଟିଓ-୧ ପକ୍ଷରୁ ହୋଇଥିବା ଚଢ଼ଉରେ ୫୫ଜଣ ଓ ଆରଟିଓ-୨ରେ ୮୯ଜଣ ଧରା ପଡ଼ିଛନ୍ତି। ପରିବହନ ବିଭାଗ ପକ୍ଷରୁ ହୋଇଥିବା ଚଢ଼ଉରେ ଏହି ତଥ୍ୟ ଆସିଥିବା ବେ‌ଳେ ପୁଲିସ ପକ୍ଷରୁ ଚାଲିଥିବା ଚଢ଼ଉ ତଥ୍ୟ ହିସାବକୁ ନେଲେ ସଂଖ୍ୟା ଦୁଇଗୁଣ ହେବ ବୋଲି ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର