ଭୁବନେଶ୍ବର: ରାଜଧାନୀର ୧୧ଟି ପ୍ରମୁଖ ରାସ୍ତାରେ ଗାଡ଼ିର ବେଗ ଘଣ୍ଟା ପ୍ରତି ୫୦ କିଲୋମିଟର ଡେଇଁଲେ ମୋବାଇଲ ଫୋନକୁ ଯାଉଥିଲା ଚାଲାଣ ମେସେଜ୍। ୨ ହଜାର ଟଙ୍କା ଜରିମାନ ପଡ଼ୁଥିଲା। ମେଡିକାଲ୍ ଓ ଅନ୍ୟ ଜରୁରୀ କାମରେ ଯାଉଥିବା ଚାଳକ ଅଡ଼ୁଆରେ ପଡ଼ୁଥିଲେ। ଏପରିକି ପୁଲିସ ଗାଡ଼ି, ସରକାରୀ ଗାଡ଼ି, ଆମ୍ବୁଲାନ୍ସକୁ ମଧ୍ୟ ଯାଉଥିଲା ଚାଲାଣ। ଯାହାକୁ ନେଇ କମିସନରେଟ ପୁଲିସ ପାଖରେ ସଂଖ୍ୟାଧିକ ଅଭିଯୋଗ ପହଞ୍ଚିଥିଲା। ଆଗକୁ ଏହି ରାସ୍ତାରେ ଗାଡ଼ି ନେଇ ଯାଉଥିବା ଚାଳକଙ୍କୁ ଆଶ୍ବସ୍ତି ମିଳିବ। ୫୦ କିମି ବଦଳରେ ଏହି ବେଗ ୭୦ କିଲୋମିଟର ହେବ ବୋଲି ଜଣାପଡ଼ିଛି। ଏ ନେଇ କମିସନରେଟ ପୁଲିସ ପକ୍ଷରୁ ପରିବହନ ବିଭାଗକୁ ପ୍ରସ୍ତାବ ଦିଆଯିବ। ସେଠାରୁ ମଞ୍ଜୁରି ମିଳିବା ପରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ଜଣାପଡ଼ିଛି।
କଟକଣା ଲାଗୁ କରାଯାଇଥିବା ପ୍ରମୁଖ ଛକ ଓ ରାସ୍ତା
ପଟିଆ, ପାଵାର ହାଉସ୍, କଳିଙ୍ଗ ଷ୍ଟାଡିୟମ୍, କ୍ୟାପିଟାଲ ହସ୍ପିଟାଲ୍, କିଟ୍ ଛକ, କିଟ୍ କ୍ୟାମ୍ପସ ନମ୍ବର-୩, ଶିଶୁଭବନ ଛକ, ବାଣୀବିହାରଠାରୁ ଶିଶୁଭବନ, ଶାସ୍ତ୍ରୀନଗର, ରାଜମହଲ, ଟ୍ରାଇଡେଣ୍ଟ ହୋଟେଲ, ନାକାଗେଟ୍
ସ୍ପିଡ୍ ଲିମିଟ୍ କଟକଣା ଲାଗୁ କରା ଯାଇଥିବା ରାସ୍ତାରେ ଗାଡ଼ିର ବେଗ ୫୦ କିଲୋମିଟରରୁ ଅଧିକ ହେଲେ ଜରିମାନା ଚାଲାଣ ନେଇ ଚାଳକ ଅଡ଼ୁଆରେ ପଡ଼ିବା ଖବର ଗତ ୧୯ ତାରିଖରେ ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ଏପରିକି ଜଣେ ଅଟୋଚାଳକ ଦୁର୍ଘଟଣାରେ ଆହତ ବାପ-ଝିଅଙ୍କୁ ହସ୍ପିଟାଲ ନେଇ ଅସୁବିଧାର ସମ୍ମୁଖୀନ ହେବାର ଉଦାହରଣ ଦିଆ ଯାଇଥିଲା। ସେହିପରି କଟକଣା ଲାଗୁ କରାଯିବାର ଦୁଇ ମାସ ବିତି ଯାଇଥିଲେ ମଧ୍ୟ ସେହି ରାସ୍ତାରେ କୌଣସି ଫଳକ ଲଗା ଯାଇ ନ ଥିଲା। ଏହା ପରେ କମିସନରେଟ ପୁଲିସ ପକ୍ଷରୁ ଏଭଳି ପଦକ୍ଷେପ ନିଆ ଯାଇଥିବା କୁହାଯାଉଛି। ସୂଚନାଯୋଗ୍ୟ, ସ୍ମାର୍ଟ ସିଟି ଲିମିଟେଡ୍ ପକ୍ଷରୁ ୧୧ଟି ଛକରେ ଏଏନପିଆର୍/ଟିଭିଡିଏସ୍ କ୍ୟାମେରା ଓ ସେନସର୍ ଖଞ୍ଜାଯିବା ଦ୍ରୁତଗତିରେ ଯାଉଥିବା ଗାଡ଼ିକୁ ଚାଲାଣ ପଠାଯିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ଫେବ୍ରୁଆରି ତୃତୀୟ ସପ୍ତାହରେ ଏଭଳି ବ୍ୟବସ୍ଥା ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/32-19.jpg)