ରାସ୍ତାରୁ ଆର୍‌ଏସ୍‌ଏସ୍‌ ଉଭାନ, ସ୍ପିଡ ମିଟର କାମ କରୁ ନଥିଲେ ଫସିବ

ଭୁବନେଶ୍ବର: ସ୍ପିଡ୍ ଡିଟେକ୍ଟରରେ ଧରାପଡ଼ିବା ପୂର୍ବରୁ ଗାଡ଼ିର ସ୍ପିଡ୍ କେ‌ତେ ଅଛି ତାହା ରାଡାର୍ ସ୍ପିଡ୍ ସାଇନ୍‌ (ଆରଏସ୍‌ଏସ୍‌)ରେ ଜଣାପଡ଼ିଯିବ। ଏଥିପାଇଁ ୧୦ଟି ସ୍ଥା‌ନରେ ରାଡାର ସ୍ପିଡ୍‌ ସାଇନ୍‌ ଲାଗିଥିଲା। ଶିଶୁ ଭବନ ଛକ, ନିଉ ଫରେଷ୍ଟ ପାର୍କରୁ ବିମାନବନ୍ଦର, ବିମାନବନ୍ଦରରୁ ବିମାନବନ୍ଦର ଛକ, କ୍ୟାପିଟାଲ ହସ୍ପିଟାଲରୁ ଏଜି ଛକ, ପାୱାର ହାଉସ୍ ଛକରୁ ରାଜଭବନ ଛକ, ପାୱାର ହାଉସ୍ ଛକରୁ କଳିଙ୍ଗ ଷ୍ଟାଡିୟମ, ମହର୍ଷି କଲେଜ ଛକରୁ ସତ୍ୟନଗର, ରସୁଲଗଡ଼ରୁ ବାଣୀବିହାର, ଜୟଦେବ ବିହାରରୁ ସିଆରପିଏଫ୍‌ ଛକ, ବରମୁଣ୍ଡାରୁ ଖଣ୍ଡଗିରି ଛକ ମଧ୍ୟରେ ଏହି ଆରଏସ୍ଏସ୍‌ ଲାଗିଥିଲା। ଏହାଦ୍ବାରା ଗାଡ଼ି ଚାଳକ ଆଗୁଆ ସତର୍କ ହେବା ସହ ଦ୍ରୁତ ଗତିରେ ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ କମ୍ ଗତିରେ ଚଳାଇବାକୁ ଏହା ସଙ୍କେତ ଦେବ ବୋଲି ଆରଏସ୍‌ଏସ୍‌ ଲାଗିଥିଲା। କିନ୍ତୁ ଆଜିକା ଦିନରେ ଏହା ରାସ୍ତାରେ ଦେଖିବାକୁ ମିଳୁନି। ରାସ୍ତାରୁ ଆରଏସ୍‌ଏସ୍‌ ଉଭାନ୍ ହୋଇଯାଇଛି। ଯଦି ଗାଡ଼ିର ସ୍ପିଡ ମିଟର କାମ କରୁନଥିବ ତେବେ କେତେବେଳେ ଯେ ଚାଳକ ଫସିଯିବ ତାହା କହିହେବନି।

ସ୍ମାର୍ଟ ଟ୍ରାଫିକ ବ୍ୟବସ୍ଥାରେ ରାଜଧାନୀ‌ର ୧୦ଟି ସ୍ଥାନରେ ଆରଏସ୍‌ଏସ୍‌ ଲାଗିଥିଲେ ହେଁ ଏହାର ଉପଯୋଗ ହେବା ପୂର୍ବରୁ ଏହା ଖରାପ ହୋଇଗଲା। ଦୁଇ ତିନିଟି ସ୍ଥାନରେ ଆରଏସ୍‌ଏସ୍‌ ଖରାପ ହେବା ପରେ ଏବେ ସବୁ ଆରଏସ୍‌ଏସ୍‌ ଗୁଡ଼ିକୁ ଖୋଲି ଦିଆଯାଇଛି ବୋଲି ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡର ଜଣେ ଅଧିକାରୀ କହିଛନ୍ତି। ଅପରପକ୍ଷେ କମିସନରେଟ୍ ପୁଲିସ ପକ୍ଷରୁ କୁହାଯାଇଛି ଯେ, ରାଜଧାନୀ ଭିତରେ ବାଇକ୍, କାର୍‌ ଏବଂ ଭାରୀଯାନ ଚାଲିଲେ ବି ସେମାନଙ୍କ ବେଗ ଘଣ୍ଟା ପ୍ରତି ୫୦କିମିରୁ ଅଧିକ ହେବନି। ଜାତୀୟ ରାଜପଥରେ ପଳାସୁଣିରୁ ବାଲିକୁଦା ପର୍ଯ୍ୟନ୍ତ ୭୦କିମି ବେଗରେ ଗାଡ଼ି ଯାତାୟାତ କରିପାରିବ। ଏହାଠାରୁ ଅଧିକ ବେଗରେ ଗାଡ଼ି ଚଲାଇଲେ ଜରିମାନା ଆଦାୟ ହେବ। ରାସ୍ତାରେ ଆରଏସ୍‌ଏସ୍‌ ଲାଗିନଥିବାରୁ ଗାଡ଼ିର ଗତି ଯଦି ଘଣ୍ଟା ପ୍ରତି ୫୧କିମି ହୋଇଯାଇଥିବ ତେବେ ସ୍ପିଡ୍‌ ଡିଟେକ୍ଟର କ୍ୟାମେରାରେ ଫଟୋ ଉଠିଯିବ। ଆଉ ଚାଳକ ଜରିମାନା ଗଣିବା ଥୟ।

ସମ୍ବନ୍ଧିତ ଖବର