ଭୁବନେଶ୍ୱର : ଶାସ୍ତ୍ରୀୟ ରାଗରାଗିଣୀର ମଧୁର ଗୁଞ୍ଜରଣ ସାଙ୍ଗକୁ ରାତିତମାମ ନୃତ୍ୟରେ ମଜିଯିବାର ଏକ ଅବସର ଜୁଟିଥିଲା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫିଜିକ୍ସ ପରିସରସ୍ଥ ସମ୍ମିଳନୀ କକ୍ଷରେ। ଶୀତ ରାତିର ପହିଲି ସ୍ପର୍ଶ ସାଙ୍ଗକୁ ସଂଗୀତ ଓ ନୃତ୍ୟର ଉଷ୍ମତା ଉଜାଗର ରାତିର କ୍ଳାନ୍ତିକୁ ଉପଶମ କରିନେଇଥିଲା। ଅବସର ଥିଲା ସ୍ପିକ୍‌ ମାକେ ଓଡ଼ିଶା ଚାପ୍ଟର ପକ୍ଷରୁ ସଂଗୀତ-ଗୀତ-ନୃତ୍ୟର ସାରା ରାତି କାର୍ଯ୍ୟକ୍ରମ ‘ୟାମିନି’। ଆଗକାଳରେ ଶାସ୍ତ୍ରୀୟ ନୃତ୍ୟରେ ରାତି ପାହି ଯାଉଥିବାର ଅନୁଭବକୁ ତାଜା କରିଥିଲା ଏହି ବିଶେଷ ସନ୍ଧ୍ୟା।

Advertisment

ଆଦ୍ୟ ପର୍ବରେ ଭାୟୋଲିନ୍‌ରେ ମନ୍ତ୍ରମୁଗ୍ଧ କରିଥିଲେ ପଦ୍ମଭୂଷଣ ଡ.ଏଲ୍‌ ସୁବ୍ରମଣ୍ୟମ୍‌। ଆଦିତାଳରେ ତାଙ୍କ ପରିବେଷିତ ବର୍ଣ୍ଣମ ଏବଂ ଏକତାଳିରେ ପରିବେଷିତ କ୍ରିତି ଦର୍ଶକଙ୍କ ମଧ୍ୟରେ ରୋମାଞ୍ଚ ଭରିଥିଲା। ଡ.ସୁବ୍ରମଣ୍ୟମ୍‌ଙ୍କ ହାତର ଅଙ୍ଗୁଳି ଭାୟୋଲିନ୍‌ ଉପରେ ଯେତେ ତୀବ୍ର ହେଉଥିଲା ଦର୍ଶକଙ୍କ ଉତ୍କଣ୍ଠା ସେତେ ବଢ଼ିବଢ଼ି ଚାଲିଥିଲା। ତାଙ୍କୁ ସଂଗୀତରେ ସହଯୋଗ କରିଥିଲେ ଭିଭି ରମଣ ମୂର୍ତି ଏବଂ ସତ୍ୟସାଇ। ଉଭୟ ସହଯୋଗୀ ବାଦ୍ୟଶିଳ୍ପୀ ନିଜ ସ୍ୱକୀୟ ପରିବେଷଣରେ ଦର୍ଶକଙ୍କୁ ଚମତ୍କତ କରିଥିଲେ। ପରବର୍ତୀ ପ୍ରସ୍ତୁତି ଥିଲା ପଦ୍ମଶ୍ରୀ ଗୀତା ଚନ୍ଦ୍ରନ୍‌ଙ୍କ ଭାରତନାଟ୍ୟମ୍‌ ନୃତ୍ୟ। ଶିବ ସ୍ତୁତି ସହ ନଟରାଜଙ୍କ ଲୀଳାଖେଳାର ପ୍ରଦର୍ଶନ କରିଥିଲେ। ତେବେ ସବୁଠୁ ଆକର୍ଷଣୀୟ ଥିଲା ‘ଦେବୀ’। ନୃତ୍ୟାଭିନୟରେ ସେ ଅମ୍ବା, କାଳୀ, ଦୁର୍ଗା ଆଦି ଦେବୀଙ୍କ ରୂପ ଓ ସ୍ୱରୂପକୁ ପ୍ରକଟ କରାଇଥିଲେ। କମନୀୟ ଅଙ୍ଗଭଙ୍ଗୀ ସାଙ୍ଗକୁ ଢଳଢଳ ନୟନ ଯୁଗଳର ପରିପ୍ରକାଶ ନକହି ନକହି ଅନେକ କିଛି ବ୍ୟକ୍ତ କରି ଦେଉଥିଲା। ତାଙ୍କୁ ସଂଗୀତାଂଶେ ସହଯୋଗ କରିଥିଲେ ଏସ୍‌ ଶଙ୍କର, କେ ଭେଙ୍କଟେଶ୍ୱରମ୍‌, ମନୋହର ବାଲଚନ୍ଦ୍ରନ୍‌, ଆର୍‌ ପ୍ରସନ୍ନ ପ୍ରମୁଖ ବାଦ୍ୟଶିଳ୍ପୀ ବୃନ୍ଦ।

ପରେ ନିଶାନ୍ତ ଖାନ୍‌ଙ୍କ ଦ୍ୱାରା ପରିବେଷିତ ହୋଇଥିଲା ସୀତାର ବାଦନ। ବିଭିନ୍ନ ରାଗରାଗିଣୀକୁ ଅଙ୍ଗୁଳିରେ ଆୟତ୍ତ କରି ସୀତାରର ମିଠା ସ୍ୱରରେ ବିମୋହିତ କରିଥିଲେ ଶିଳ୍ପୀ ଶ୍ରୀ ଖାନ୍‌। ତାଙ୍କ ପରେ ହିନ୍ଦୁସ୍ତାନୀ ସଂଗୀତ ପରିବେଷଣ କରିଥିଲେ ମଞ୍ଜୁଷା ପାଟିଲ୍‌ କୁଲକର୍ଣ୍ଣି। ନିଶାର୍ଦ୍ଧ ରାତିରେ ତାଙ୍କ ପରିବେଷିତ ଶାସ୍ତ୍ରୀୟ ରାଗର ଅନୁଭବ ସତେଜ ଅନୁଭବ ଦେଇଥିଲା। ଶେଷରେ ଫିୟାଜ୍‌ ଓ୍ଵାସିଫୁଦ୍ଦିନ୍‌ ଡଗର ଶୁଣାଇଥିଲେ ଧ୍ରୁପଦ। ତାଙ୍କ ପ୍ରସ୍ତୁତି ରାତିକୁ ସକାଳ ଆଡ଼କୁ ନେଇ ଯାଇଥିଲା। ରାଗର ବିଭିନ୍ନ ମାତ୍ରାକୁ ସେ ନିଖୁଣ ସ୍ପର୍ଶ ଦେଇ ପରିବେଷଣ କରିଥିଲେ।

ଏହି ଅବସରରେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ, ଅନ୍ୟତମ ପୂର୍ବତନ ମୁଖ୍ୟ ଶାସନସଚିବ ସୁବାସ ପାଣି, ଇମ୍ପାକ୍ଟର ପ୍ରତିଷ୍ଠାତା ତଥା ଟ୍ରଷ୍ଟି ପାରମିତା ମହାପାତ୍ର, ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫିଜିକ୍ସର ନିର୍ଦେଶକ ପ୍ରଫେସର ସୁଧାକର ପଣ୍ଡା, ସୈନିକ ସ୍କୁଲ୍‌ର ଅଧ୍ୟକ୍ଷ କାଞ୍ଜନ ମୁଖାର୍ଜୀ ଏବଂ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫିଜିକ୍ସର ପ୍ରଫେସର ଅଜିତ ଶ୍ରୀବାସ୍ତବ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ୟୋସିତା ଓ ଆଦର୍ଶ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।