ଜାତୀୟ ଆଧ୍ୟାତ୍ମିକ ପୁସ୍ତକ ମହୋତ୍ସବ ଆଉ ୩ ଦିନ

ଭୁବନେଶ୍ୱର : ଧାର୍ମିକ ଭାବନା ଓ ଆଧ୍ୟାତ୍ମିକତାର ପୁନରୁତ୍ଥାନ ଉଦ୍ଦେଶ୍ୟରେ ସହିଦନଗର ଦୁର୍ଗାପୂଜା ପଡ଼ିଆରେ ଚାଲିଥିବା ‘ଷଷ୍ଠ ଆଧ୍ୟାତ୍ମିକ ପୁସ୍ତକ ମହୋତ୍ସବ’ର ଆକର୍ଷଣ ବଢ଼ୁଛି। ଶ୍ରୀଗୁଣ୍ଡିଚା ଆଧ୍ୟାତ୍ମିକ ଟ୍ରଷ୍ଟ୍‍ ପକ୍ଷରୁ ଆୟୋଜିତ ଏହି ମହୋତ୍ସବକୁ ଯମୁନେତ୍ରୀ ହରିଦ୍ୱାର ସନ୍ଥ ଉଦ୍‌ଘାଟନ କରିଥିବା ବେଳେ ପୁସ୍ତକ ମେଳା କମିଟିର ଅଧ୍ୟକ୍ଷ ମୁରଲୀ ମନୋହର ଶର୍ମା, ପୁରୀ ପୌର ସଂସ୍ଥାର ଉପାଧ୍ୟକ୍ଷା ଶାନ୍ତିଲତା ପ୍ରଧାନ, ପୁରୀର ପ୍ରାକ୍ତନ ଜିଲ୍ଲାପାଳ ତଥା ଟ୍ରଷ୍ଟ୍‍ର ଉପଦେଷ୍ଟା ଅଶ୍ୱିନୀ ଦାସ, ଡ. ଭାଗୀରଥି ବେହେରା ପ୍ରମୁଖ ଉଦ୍‌ଘାଟନୀ ପର୍ବରେ ଉପସ୍ଥିତ ରହି ଏହି ମହାର୍ଘ୍ୟ ମହୋତ୍ସବରେ ସାମିଲ୍‌ ହୋଇ ସାତ୍ୱିକ ଭାବଧାରାର ପ୍ରଚାର ପ୍ରସାରରେ ସହାୟକ ହେବାକୁ ପରାମର୍ଶ ଦେଇଥିଲେ। ପୁସ୍ତକ ମେଳା କମିଟିର ଉପାଧ୍ୟକ୍ଷ ଡ. ସୁଶାନ୍ତ ସାହୁ, ଡ. ଲିଙ୍ଗରାଜ ମିଶ୍ର, ସମ୍ପାଦକ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ପ୍ରମୁଖ ମହୋତ୍ସବକୁ ପରିଚାଳନା କରୁଛନ୍ତି। ଏହି ପୁସ୍ତକ ମେଳାରେ ୩୦ଟି ଷ୍ଟଲ୍‌ ଖୋଲିଥିବା ବେଳେ ବହୁ ମୂଲ୍ୟବାନ ଓ ଜୀବନପୋଯୋଗୀ ଆଧ୍ୟାତ୍ମିକ ପୁସ୍ତକ ଉପଲବ୍ଧ ହେଉଛି। ଏହି ମହୋତ୍ସବ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ। ପାଠକଙ୍କ ସମେତ ପରିବାରବର୍ଗ ନିଜ ପିଲାମାନଙ୍କୁ ଏହି ମେଳାରେ ଜୀବନପୋଯୋଗୀ ପୁସ୍ତକ ସହ ସମ୍ପର୍କିତ କରାଇବାର ସୁଯୋଗ ନେବା ଉଚିତ୍‌ ବୋଲି ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ କହିଛନ୍ତି।

‘ଆମ ଓଡ଼ିଶା’ ଷ୍ଟଲ୍‌ରେ ଭିଡ଼

ଆଧ୍ୟାତ୍ମିକ ପୁସ୍ତକ ମେଳାରେ ଖୋଲାଯାଇଥିବା ବିଭିନ୍ନ ପ୍ରକାଶକଙ୍କ ମଧ୍ୟରୁ ‘ଆମ ଓଡ଼ିଶା’ ଷ୍ଟଲ୍‌ରେ ବେଶ୍‌ ଭିଡ଼ ଦେଖିବାକୁ ମିଳୁଛି। ଆମ ଓଡ଼ିଶା ଦ୍ୱାରା ପ୍ରକାଶିତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ‘ଶ୍ରୀମଦ୍‌ ଭାଗବତ’ର ଗଦ୍ୟାନୁବାଦ, କେଏମ୍‌ ମୁନ୍‌ସୀଙ୍କ ‘କୃଷ୍ଣାବତାର’ର ଓଡ଼ିଆ ଅନୁବାଦ, ଅସିତ ମହାନ୍ତିଙ୍କ ‘ନବକଳେବର କଥା’ ଓ ମନୋଜ ଦାଙ୍କ ପିଲାଙ୍କ ପାଇଁ ପ୍ରସ୍ତୁତ ପୁସ୍ତକ ‘କିମ୍ବଦନ୍ତୀରେ ଚକାଡୋଳା’ ଓ ‘ଦି ସାଗା ଅଫ୍‌ ଲର୍ଡ ଜଗନ୍ନାଥ’, ପଣ୍ଡିତ ନୀଳକଣ୍ଠ ଦାସଙ୍କ ‘ପିଲାଙ୍କ ରାମାୟଣ’, ‘ପିଲାଙ୍କ ମହାଭାରତ’ ଓ ‘ପିଲାଙ୍କ ଭାଗବତ’ ପ୍ରମୁଖ ପୁସ୍ତକର ଚାହିଦା ବହୁତ ରହିଛି। ଏହାଛଡ଼ା ଶ୍ରୀଜଗନ୍ନାଥଙ୍କ ୩୨ ବେଶ ସଂମ୍ବଳିତ ରଂଗିନ୍‌ ପୁସ୍ତକ ‘ବେଶ ବତିଶ’ ଓଡ଼ିଆ, ହିନ୍ଦୀ, ବଙ୍ଗଳା ଓ ଇଂରାଜୀ ୪ଟି ଭାଷାରେ ବିଶେଷ ରିହାତି ମୂଲ୍ୟରେ କିଣିବାକୁ ମିଳୁଛି।

ସମ୍ବନ୍ଧିତ ଖବର