ଆଧ୍ୟାତ୍ମିକତା ମଣିଷକୁ ଆତ୍ମପରିଚିତି ଦିଏ : ରାଜ୍ୟପାଳ

‘ଆଜାଦି କେ ଅମୃତ ମହୋତ୍ସବ ସେ ସ୍ବର୍ଣ୍ଣିମ ଭାରତ କି ଔର୍‌’ ଉଦ୍‌ଘାଟିତ

ଖଣ୍ଡଗିରି: ଜଗନ୍ନାଥ ସଂସ୍କୃତି କେବଳ ଓଡ଼ିଶାର ନୁହେଁ, ସମଗ୍ର ବିଶ୍ବର ସଂସ୍କୃତି। ସମସ୍ତଙ୍କୁ ଭଲ ପାଇବା, ସମ୍ମାନ କରିବା ଓ ସ୍ବୀକାର କରିବାର ଶିକ୍ଷା ଦେଇଥାଏ ଏହି ସଂସ୍କୃତି। ସ୍ବୟଂ ମହାପ୍ରଭୁ ଅବସ୍ଥାନ କରୁଥିବା ଏଇ ଓଡ଼ିଶା ମାଟିର ମାହତ୍ମ୍ୟ ମଧ୍ୟ ଅନନ୍ୟ। ଚଣ୍ଡାଶୋକଙ୍କୁ ଧର୍ମାଶୋକରେ ପରିଣତ କରିବାର କ୍ଷମତା ଏଇ ମାଟିର ରହିଛି। ମେଣ୍ଢାଶାଳସ୍ଥିତ ହରିଡାମଡ଼ା ଡିଭାଇନ ରିଟ୍ରିଟ୍‌ ସେଣ୍ଟର୍‌ ପରିସରରେ ‘ଆଜାଦି କେ ଅମୃତ ମହୋତ୍ସବ ସେ ସ୍ବର୍ଣ୍ଣିମ ଭାରତ କି ଔର୍‌’ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ ଆଜି ଏପରି ମତ ଦେଇଛନ୍ତି। ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଶ୍ରୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ମଣିଷ ଭୁଲି ଯାଇଛି ସେ କେଉଁଠିକି ଓ କାହିଁକି ଆସିଛି। ଏସବୁ ଜାଣିବାକୁ ହେଲେ, ତାକୁ ଆଧ୍ୟାତ୍ମିକତା ମାର୍ଗରେ ଚାଲିବାକୁ ହେବ। ଆଧ୍ୟାତ୍ମିକତା ମଣିଷକୁ ଆତ୍ମପରିଚିତି ଦେଇଥା‌ଏ।

ମାଉଣ୍ଟଆବୁରୁ ଆସିଥିବା ଆଧ୍ୟାତ୍ମିକ ଗୁରୁ ମା’ ରାଜଯୋଗିନୀ ବି.କେ ଉଷାଦେବୀ ଅନ୍ତରାତ୍ମାର ସ୍ବାଧୀନତା ପାଳିବାକୁ ଆହ୍ବାନ ଦେଇଥିଲେ। ସେ କହିଥିଲେ, ଆମ ଆତ୍ମା ଅନେକ ଜିନିଷର ଗୋଲାମ ହୋଇ ରହିଛି। ତେଣୁ ଦେଶ ସ୍ବାଧୀନତାର ୭୫ବ‌ର୍ଷ ପୂର୍ତ୍ତି ଅବସରରେ ଖାଲି ଦେଶର ସ୍ବାଧୀନତା ପାଳନ ନ କରି ଅନ୍ତରାତ୍ମାର ମଧ୍ୟ ସ୍ବାଧୀନତା ପାଳନ କରିବାକୁ ସେ କହିଥିଲେ।

କାର୍ଯ୍ୟକ୍ରମରେ ବକ୍ତା ଭାବେ ଯୋଗଦେଇ ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ କହିଲେ, ଦୁନିଆରେ ଭଲ ଲୋକଙ୍କ ସଂଖ୍ୟା ଖୁବ୍‌ ଅଧିକ। ହେଲେ ସେମାନେ ଏକାଠି ହୋଇ ପାରୁନାହାନ୍ତି। କିନ୍ତୁ ଖରାପ ଲୋକଙ୍କ ମେଳି ଅଛି। ସେମାନେ ନିଜ ସ୍ବାର୍ଥ ସାଧନ ପାଇଁ ଖୁବ୍‌ଶୀଘ୍ର ଏକାଠି ହୋଇପାରନ୍ତି। ଯଦି ପ୍ରତି ବ୍ୟକ୍ତି ୧୦ଟି ଲେଖାଏଁ ଲୋକଙ୍କ ମନ ପରିବର୍ତ୍ତନ କରିପାରିବେ, ତେବେ ସୁନାର ଭାରତ ହୋଇପାରିବ।
ପୂର୍ବତନ ସୂଚନା ଆୟୁକ୍ତ ଜଗଦାନନ୍ଦ, ପ୍ରଜାପିତା ବ୍ରହ୍ମାକୁମାରୀ ଓ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟର ସମାଜ ପ୍ରତି ଥିବା ଭୂମିକା ଉପରେ ଆଲୋଚନା କରିଥିଲେ। ଲୋକାୟୁକ୍ତ ସଦସ୍ୟ ଦେବବ୍ରତ ସ୍ବାଇଁ ସ୍ବାଗତଭାଷଣ ଦେଇଥିବା ବେଳେ କାର୍ଯ୍ୟକ୍ରମକୁ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟର ସବ୍‌-ଜୋନ୍‌ ଇନ୍‌ଚାର୍ଜ ଲିନା ଦିଦି ପରିଚାଳନା କରିଥିଲେ। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର