ଚନ୍ଦ୍ରଶେଖରପୁର: କ୍ରୀଡ଼ା ଛାତ୍ର ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ତେଣୁ ବିଦ୍ୟାଳୟସ୍ତରରୁ ପିଲାମାନଙ୍କୁ ଶିକ୍ଷା ସହ କ୍ରୀଡ଼ାକୁ ପ୍ରାଧାନ୍ୟ ଦେବାର ଆବଶ୍ୟକତା ରହିଛି। କ୍ରୀଡ଼ା ପ୍ରତି ସମର୍ପଣ ଭାବ, କଠିନ ପରିଶ୍ରମ ଓ ଏକାଗ୍ରତା ରହିଲେ ସଫଳତାର ସ୍ୱାଦ ଚାଖି ହେବ ବୋଲି ଏସିଆନ୍ ଗେମ୍‌ସର ଜାଭେଲିନ୍ ଥ୍ରୋରେ ରୌପ୍ୟ ପଦକ ବିଜେତା କିଶୋର କୁମାର ଜେନା ଛାତ୍ରଛାତ୍ରୀଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି। ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ପକ୍ଷରୁ ଆଜି ଶ୍ରୀ ଜେନାଙ୍କୁ ସମ୍ବର୍ଦ୍ଧନା ଅବସରରେ ସେ ଏସିଆନ୍‌ ଗେମ୍‌ସର ଆହ୍ୱାନଭରା ଅନୁଭୂତି ବାଣ୍ଟିବା ସହ କ୍ରୀଡ଼ା କ୍ଷେତ୍ରରେ କ୍ୟାରିୟର୍ ସମ୍ବନ୍ଧୀୟ ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ।

Advertisment

ସାଇ ଇଣ୍ଟରନ୍ୟାସନାଲ୍‌ର ଚେୟାରପର୍ସନ ଶିଳ୍ପୀ ସାହୁ କହିଲେ କିଶୋରଙ୍କ ଏହି ସଫଳତାରେ କେବଳ ଓଡ଼ିଆ ଜାତି ନୁହେଁ, ସମ୍ପୂର୍ଣ୍ଣ ଦେଶ ଗର୍ବିତ। କ୍ରୀଡ଼ାରେ ନିଜର କ୍ୟାରିୟର ଗଢ଼ିବାକୁ ଚାହୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ସେ ପ୍ରେରଣା। ତାଙ୍କର ଏହି ସ୍କୁଲ ପରିଦର୍ଶନ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଛି। ଅନ୍ୟମାନଙ୍କ ମଧ୍ୟରେ ସ୍କୁଲ ପ୍ରିନ୍ସପାଲ୍ ନୀଳକଣ୍ଠ ପାଣିଗ୍ରାହୀ, ସିନିୟର୍‌ ଜେନେରାଲ୍ ମ୍ୟାନେଜର୍ ଶରତ କୁମାର କର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଶ୍ରୀ ଜେନା ସ୍କୁଲର କ୍ରୀଡ଼ା ଭିତ୍ତିଭୂମି ଯଥା ବିଜୟ ମଇଦାନ୍‌, ବିଜୟ ଇନ୍‌ଡୋର ଷ୍ଟାଡିୟମ୍ ବୁଲି ଦେଖିବା ସହ ଅନ୍ତର୍ଜାତୀୟସ୍ତରର କ୍ରୀଡ଼ା ଭିତ୍ତିଭୂମି ସଫଳ କ୍ରୀଡ଼ାବିତ୍‌ଙ୍କୁ ତିଆରି କରିବାରେ ବେଶ୍ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ।