ଭୁବନେଶ୍ବର: ଫିଜିଓଥେରାପିଷ୍ଟ ଅଛନ୍ତି, ହେଲେ ଫିଜିଓଥେରାପି ପାଇଁ ଆବଶ୍ୟକ ଯନ୍ତ୍ରପାତି ନାହିଁ। ଯାହାଫଳରେ ଫିଜିଓଥେରାପି ପାଇଁ ଯାଉଥିବା ରୋଗୀମାନଙ୍କୁ କ୍ୟାପିଟାଲ ହସ୍ପିଟାଲ ଉପରେ ନିର୍ଭର କରିବାକୁ ପଡ଼ୁଛି। କ୍ରୀଡ଼ାବିତଙ୍କୁ ସହାୟତା କରିବା ପାଇଁ ୟୁନିଟ୍-୪ ୟୁପିଏଚ୍ସିରେ ଖୋଲିଥିବା ସ୍ପୋର୍ଟ୍ସ ମେଡିସିନ୍ ୟୁନିଟ୍ରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏହି ୟୁନିଟ୍ ପାଇଁ ଅସ୍ଥିଶଲ୍ୟ ବିଭାଗର ଡାକ୍ତରଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିବା ବେଳେ ଏହି ବିଭାଗର ଡାକ୍ତର ମଧ୍ୟ କିଛିଦିନ ହେବ କ୍ୟାପିଟାଲ ହସ୍ପିଟାଲକୁ ଫେରି ଯାଇଛନ୍ତି। ତେଣୁ ଭାରତୀୟ କ୍ରୀଡ଼ା ପ୍ରାଧିକରଣ ବା ସାଇ ଅଧୀନରେ ରହିଥିବା ଅନ୍ତେବାସୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ପ୍ରତ୍ୟେକ ଦିନ ବହୁ ସଂଖ୍ୟାରେ ଅନ୍ତେବାସୀ ଚିକିତ୍ସା ପାଇଁ ଆସୁଥିବା ବେଳେ ଉପଯୁକ୍ତ ଚିକିତ୍ସ ପାଇ ପାରୁନାହାନ୍ତି।
ଗତବର୍ଷ ରାଜଧାନୀରେ ହକି ବିଶ୍ବକପ୍ ଚାଲିଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୟୁନିଟ୍-୪ ୟୁପିଏଚ୍ସିରେ ଏକ ସ୍ପୋର୍ଟ୍ସ ମେଡିସିନ୍ ୟୁନିଟ୍ ଖୋଲାଯାଇଥିଲା। ଏଥିରେ ଅସ୍ଥିଶଲ୍ୟ ବିଭାଗର ଡାକ୍ତରଙ୍କ ସମେତ ଫିଜିଓଥେରାପିଷ୍ଟଙ୍କୁ ନିଯୁକ୍ତି ଦିଆଯାଇଥିଲା। କେବଳ ହକି ବିଶ୍ବକପ୍ ନୁହେଁ, ରାଜଧାନୀରେ ଅଧିକାଂଶ ସମୟରେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ଅନୁଷ୍ଠିତ ହେଉଥିବା ବେଳେ ଖେଳାଳିମାନଙ୍କର ଆଘାତ ଜନିତ କୌଣସି ସମସ୍ୟା ପାଇଁ ଏହି ୟୁନିଟ୍ ସହାୟକ ହୋଇପାରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଥିଲା। ତେବେ ବର୍ଷେ ପରେ ସ୍ଥିତି ସଂପୂର୍ଣ୍ଣ ବଦଳି ଯାଇଛି।
ଗତ କିଛି ଦିନ ହେବ ଅସ୍ଥିଶଲ୍ୟ ବିଭାଗ ଡାକ୍ତରଙ୍କୁ କ୍ୟାପିଟାଲ ହସ୍ପିଟାଲ କର୍ତୃପକ୍ଷ ଫେରାଇ ନେଇଛନ୍ତି। ଯାହାଫଳରେ ଅସ୍ଥିଶଲ୍ୟ ଚିକିତ୍ସା ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି କ୍ରୀଡ଼ା ଅନ୍ତେବାସୀଙ୍କୁ ମିଳିପାରୁ ନାହିଁ। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କ୍ୟାପିଟାଲ ହସ୍ପିଟାଲରେ କାର୍ଯ୍ୟ କରୁଥିବା ଅସ୍ଥିଶଲ୍ୟ ବିଭାଗର ଡାକ୍ତର ତାଲିମ୍ ପାଇଁ ଛୁଟିରେ ଯାଇଥିବାରୁ ତାଙ୍କ ବଦଳରେ ୟୁନିଟ୍-୪ରେ ଥିବା ଡାକ୍ତରଙ୍କୁ ହସ୍ପିଟାଲ କର୍ତୃପକ୍ଷ ଫେରାଇ ନେଇଛନ୍ତି। ଫଳରେ ସ୍ପୋର୍ଟ୍ସ ମେଡିସିନ୍ ୟୁନିଟ୍ରେ ସମସ୍ୟା ସୃଷ୍ଟି ହୋଇଛି। ଏବେ କେବଳ ଫିଜିଓଥେରାପିଷ୍ଟ ରୋଗୀମାନଙ୍କ ଚିକିତ୍ସା କରୁଛନ୍ତି। ଫିଜିଓଥେରାପି ପାଇଁ ଆବଶ୍ୟକ ଯନ୍ତ୍ରପାତି ନ ଥିବାରୁ ଡାକ୍ତରଙ୍କ ପ୍ରେସକ୍ରିପସନ୍ ନେଇ କ୍ୟାପିଟାଲ ହସ୍ପିଟାଲକୁ ଯିବାକୁ ପଡ଼ୁଛି। ଅପରପକ୍ଷରେ ଏହି ୟୁନିଟ୍ ପାଇଁ ସ୍ବତନ୍ତ୍ର ଭାବେ ଏକ କୋଠା ନିର୍ମାଣ ପାଇଁ ପ୍ରସ୍ତାବ ରହିଥିବା ବେଳେ ଏଥିରେ ଇଟା ଖଣ୍ଡେ ମଧ୍ୟ ଯୋଡ଼ା ଯାଇପାରି ନାହିଁ। ଏହି ୟୁନିଟ୍ ଠିକ୍ ଭାବେ ଚଳାଇବା ପାଇଁ ଅସ୍ଥିଶଲ୍ୟ କି ଫିଜିଓଥେରାପିଷ୍ଟଙ୍କୁ ବାଦ୍ ଦେଲେ ଛାତିରୋଗ, ସ୍ନାୟୁରୋଗ ବିଶେଷଜ୍ଞଙ୍କ ଆବଶ୍ୟକତା ରହିଛି। ମାତ୍ର ତାହାର ବ୍ୟବସ୍ଥା ମଧ୍ୟ ଆଜି ପର୍ଯ୍ୟନ୍ତ ହୋଇପାରି ନାହିଁ। କେବଳ ନାଁକୁ ମାତ୍ର ୟୁନିଟ୍-୪ ୟୁପିଏଚ୍ସିରେ ସ୍ପୋର୍ଟ୍ସ ମେଡିସିନ୍ ୟୁନିଟ୍ କାର୍ଯ୍ୟ କରୁଛି।
ୟୁନିଟ୍-୪ ୟୁପିଏଚ୍ସିର ଅଧିକାରୀଙ୍କ ସୂଚନା ଅନୁସାରେ, ବିନା କୌଣସି ସୂଚନାରେ କ୍ୟାପିଟାଲ ହସ୍ପିଟାଲ କର୍ତୃପକ୍ଷ ଅସ୍ଥିଶଲ୍ୟ ବିଭାଗ ଡାକ୍ତରଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ଫେରାଇ ନେଇଛନ୍ତି। ଯାହାଫଳରେ ଅସ୍ଥିଶଲ୍ୟ ଚିକିତ୍ସା ଲୋକମାନଙ୍କୁ ମିଳିପାରୁ ନାହିଁ। ଏଠାରେ ସ୍ପୋର୍ଟ୍ସ ମେଡିସିନ୍ ୟୁନିଟ୍ କାର୍ଯ୍ୟ କରୁଥିବା ବେଳେ କେଉଁ ପରିସ୍ଥିତିରେ ବିନା ସୂଚନାରେ କ୍ୟାପିଟାଲ ହସ୍ପିଟାଲ କର୍ତୃପକ୍ଷ ସଂପୃକ୍ତ ଡାକ୍ତରଙ୍କୁ ପୂର୍ବ ସ୍ଥାନକୁ ଫେରାଇ ନେଇଛନ୍ତି ତାହା ବୁଝା ପଡ଼ୁନାହିଁ। ପ୍ରତ୍ୟେକ ଦିନ ସାଇର ଅନ୍ତେବାସୀମାନେ ଚିକିତ୍ସା ପାଇଁ ଆସୁଛନ୍ତି ମାତ୍ର ସେମାନଙ୍କୁ ଆବଶ୍ୟକ ଚିକିତ୍ସା ଦିଆଯିବା ସମ୍ଭବ ହେଉନାହିଁ। ଫିଜିଓଥେରାପିଷ୍ଟ ନିଯୁକ୍ତ ହୋଇଛନ୍ତି ମାତ୍ର ତାଙ୍କୁ ବସିବା ପାଇଁ କୌଣସି ଜାଗା ନାହିଁ। ଯନ୍ତ୍ରପାତି ମଧ୍ୟ ଆଜି ପର୍ଯ୍ୟନ୍ତ ଦିଆଗଲା ନାହିଁ। ହସ୍ପିଟାଲରେ ସର୍ଜରି, ଶିଶୁରୋଗ ବିଶେଷଜ୍ଞ ଓ ମେଡିକାଲ ଅଧିକାରୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ସପ୍ତାହରେ ୨ଦିନ କାମ କରିବାକୁ ପଡ଼ୁଛି। ଯାହାଫଳରେ ହସ୍ପିଟାଲରେ ରୋଗୀଙ୍କ ଚିକିତ୍ସାରେ ସମସ୍ୟା ହେଉଛି ବୋଲି ଅଧିକାରୀ କହିଛନ୍ତି।