ଦୁର୍ଘଟଣାରେ ଗୋଡ଼ ହରାଇଲେ କ୍ରୀଡ଼ା ଶିକ୍ଷକ

ଖଣ୍ଡଗିରି: ବୁଧବାର ୧୬ ନମ୍ବର ଜାତୀୟ ରାଜପଥ ଯାଁଳା ବଜାରରେ ଘଟିଥିବା ଏକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଜଣେ କ୍ରୀଡ଼ା ଶିକ୍ଷକ ତାଙ୍କ ବାମ ଗୋଡ଼ଟି ହରାଇଛନ୍ତି। ସେ ହେଲେ ଖଣ୍ଡଗିରି ନିକଟ ଶ୍ୟାମପୁରସ୍ଥିତ କଳିଙ୍ଗ ବିଦ୍ୟାପୀଠର କ୍ରୀଡ଼ା ଶିକ୍ଷକ ରବିନାରାୟଣ ପାଣିଗ୍ରାହୀ। ଗୁରୁତରଭାବେ କ୍ଷତିଗ୍ରସ୍ତ ହୋଇଥିବା ଗୋଡ଼କୁ ଅପରେସନ୍‌ କରି ଠିକ୍‌ କରିବା ସମ୍ଭବ ନହେବାରୁ ଆଜି ଏକ ଘରୋଇ ହସ୍ପିଟାଲରେ ତାଙ୍କ ଗୋଡ଼କୁ କାଟି ଦିଆଯାଇଥିବା ଜଣାପଡ଼ିଛି। ତେବେ ଏହି ଦୁର୍ଘଟଣାରେ ତାଙ୍କ ସହ ଆହତ ହୋଇଥିବା ବିଜ୍ଞାନ ଶିକ୍ଷକ ସର୍ବେଶ୍ୱର ପ୍ରଧାନ ଭଲ ଅଛନ୍ତି ବୋଲି ଜଣାପଡ଼ିଛି।

ବୁଧବାର ଅପରାହ୍ଣ ପ୍ରାୟ ୫ଟା ବେଳେ ଦୁଇ ଶିକ୍ଷକ ଏକ ବାଇକ୍‌(ଓଆର୍‌୦୨ଏନ୍‌-୩୪୯୧) ଯୋଗେ ଭୁବନେଶ୍ୱରରୁ ଖୋର୍ଧା ଦିଗରେ ଯାଉଥିଲେ। ସେମାନେ ଯାଁଳା ବଜାରରେ ପହଞ୍ଚିଥିବାବେଳେ ପଛରୁ ଯାଉଥିବା ଏକ ଟ୍ରକ୍‌(ଏଚ୍‌ ଆର୍‌୫୫ଏକ୍‌ସ-୮୬୯୪) ଭାରସାମ୍ୟ ହରାଇ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ବାଇକ୍‌ ସହ ଶିକ୍ଷକ ଦୁଇ ଜଣ ରାଜପଥ ଉପରେ ପ୍ରାୟ ୨୦ ମିଟର ଦୂର ପର୍ଯ୍ୟନ୍ତ ଘୁଷୁଡ଼ି ଯାଇଥିଲେ। ପଛରେ ବସିଥିବା କ୍ରୀଡ଼ା ଶିକ୍ଷକ ରବିନାରାୟଣଙ୍କ ବାମ ଗୋଡ଼ ବାଇକ୍‌ ତଳେ ରହି ପିଚୁରେ ଘୋଷାରି ହୋଇ ଭାଙ୍ଗି ଯାଇଥିଲା। ଏମିତିକି ତାଙ୍କ ବାମ ହାତ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ବାଇକ୍‌ ଚଳାଉଥିବା ବିଜ୍ଞାନ ଶିକ୍ଷକ ସର୍ବେଶ୍ୱରଙ୍କ ମୁଣ୍ଡରେ ଆଘାତ ଲାଗିଥିଲେ ବି ବିଶେଷ କ୍ଷତି ହୋଇ ନଥିଲା। ଧକ୍କା ଦେବା ପରେ ଟ୍ରକ୍‌ ଚାଳକ ଘଟଣାସ୍ଥଳରୁ ପଳାଇଥିଲା। କିନ୍ତୁ ସ୍ଥାନୀୟ ଲୋକଙ୍କ ସହଯୋଗରେ ଯାଁଳା ଫାଣ୍ଡି ପୁଲିସ ଗାଡ଼ିକୁ ପିଛା କରି ଗଙ୍ଗପଡ଼ା ନିକଟରେ ଅଟକାଇଥିଲା। ସେହିଭଳି ବୁଧବାର ସେହି ଯାଁଳା ବଜାରରେ ଘଟିଥିବା ଅନ୍ୟ ଏକ ଦୁର୍ଘଟଣାରେ ଏକ ବଲେରୋ ଧକ୍କାରେ ନୟାଗଡ଼ ଜିଲ୍ଲା ଅସୁରଢ଼ିପାର ଲକ୍ଷ୍ମଣ ସାହୁ(୬୫) ଗୁରୁତର ଆହତ ହୋଇ କଟକ ବଡ଼ ମେଡିକାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏକ ଦଶାହ କାମରେ ଯୋଗ ଦେଇ ଘରକୁ ଫେରୁଥିବାବେଳେ ସେ ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।

ସମ୍ବନ୍ଧିତ ଖବର