କରୋନା ଛାଟରେ ଛଟପଟ: ସ୍ପଟ୍‌ବୟ ‘କେନିଆ’ ଏବେ କୃଷି ଶ୍ରମିକ

ଚନ୍ଦ୍ରଶେଖରପୁର : ଚଳଚ୍ଚିତ୍ର ହେଉ କି ଟେଲି ଧାରାବାହିକ, ସୁଟିଂ ବେଳେ ସ୍ପଟ୍‌ବୟ ସୁଶୀଲ ଭୋଇ ଓରଫ୍‌ କେନିଆକୁ ଆଗ ଖୋଜା ପଡ଼େ। ବଲିଉଡ୍‌ର ନାମୀଦାମୀ ଅଭିନେତାଙ୍କ ଅତି ପ୍ରିୟ ହେଉଛି କେନିଆ। କା‌ରଣ ସ୍ପଟ୍‌ବୟ କାମରେ ସେ ଯେତିକି ଦକ୍ଷ, ବୋଲହାକ କରିବାରେ ସେତିକି ପ୍ରଖର। ସୁଟିଂ ସେଟ୍‌ରେ ସବୁଠାରୁ ଅଧିକ ଧାଁ ଧଉଡ଼ କରୁଥିବା ଯୁବକ ହେଉଛି ସେ। କିନ୍ତୁ ବଲିଉଡ୍‌ ସହ ୧୦ ବର୍ଷ ବିତେଇଥିବା କେନିଆ ଆଜି ବିଲରେ ଖଟୁଛି। କେତେବେଳେ ଧାନ କାଟୁଛି ତ କେତେବେଳେ ପରିବା କିଆରିରେ କୋଦାଳ ଧରି ମାଟି ହାଣୁଛି। ମହାମାରୀ କରୋନାର ଛାଟ ତାକୁ କୃଷି ଶ୍ରମିକ ସଜାଇ ଦେଇଛି। ତେବେ ବଞ୍ଚିବା ପାଇଁ ସଂଗ୍ରାମ କରିବାକୁ କୁଣ୍ଠିତ ନ ଥିବା କେନିଆକୁ ସବୁଦିନ କାମ ମିଳୁନି। ଫଳରେ କୃଷି ଶ୍ରମିକ ଭାବେ ପାରିଶ୍ରମିକରେ ଚଳିବା ତା’ପାଇଁ କାଠିକର ହୋଇପଡ଼ିଛି। ଏବେ ପୁଣି କରୋନାର ଦ୍ବିତୀୟ ଲହର ତା’ ପାଇଁ କାଳ ହୋଇ ଠିଆ ହୋଇଛି।

ରାଜଧାନୀ ଉପକଣ୍ଠ କଳାଝରୀ ଓସ୍ତପଡ଼ା ଗାଁର ବାସିନ୍ଦା ହେଉଛି କେନିଆ। ୧୦ ବର୍ଷ ହେଲା ସେ ସୁଟିଂ ସେଟ୍‌ରେ କାମ କରୁଥିବା କେନିଆ ଜଣେ ଭଲ ସ୍ପଟ୍‌ବୟ ଭାବେ ସେ ରାଜଧାନୀରେ ବେଶ୍ ଜଣାଶୁଣା। ଏହି ରୋଜଗାରରେ ସେ ତାଙ୍କ ପରିବାରର ଭରଣପୋଷଣ କରୁଥିଲା। କିନ୍ତୁ ଗତବର୍ଷ ହଠାତ୍ କରେନା ସବୁ ଓଲଟପାଲଟ କରିଦେଲା। ଫିଲ୍ମ ଓ ଧାରାବାହିକ ସୁଟିଂ ବନ୍ଦ ହୋଇଯିବାରୁ କଳାକାର, ଟେକ୍‌ନିସିଆନମାନଙ୍କ ସହ ସେ ବି ରୋଜଗାର ହରାଇଲା। ତେଣୁ ଗାଁରେ ସେ କୃଷି ଶ୍ରମିକ ଭାବେ କାମ କଲା। ଧାନ ଜମିରେ ଖଟିଲା, ପରିବା କିଆରିରେ ମାଟି ହାଣିଲା। କିନ୍ତୁ ସବୁଦିନ କାମ ମିଳିଲା ନାହିଁ। ଦୁଇ ଦିନ କାମ କଲେ, ଚାରି ଦିନ ଖାଲି ବସିବାକୁ ପଡ଼ିଲା। ଏମିତିରେ ବଡ଼ କଷ୍ଟରେ ଦିନ କାଟିବା ପରେ କରୋନା କଟକଣା କୋହଳ ହେବାରୁ ପୁଣି ସୁଟିଂ ଆରମ୍ଭ ହେଲା। କେନିଆ ବି କିଛି କାମ ପାଇଲା। ମାତ୍ର ପୂର୍ବ ଭଳି କାମ ମିଳିଲା ନାହିଁ। ଓଲିଉଡ୍‌ ଅଧିକ ସକ୍ରିୟ ହୋଇନଥିବାରୁ ସୁଟିଂ ବି ବେଶି ହେଉନଥିଲା। ତେଣୁ ରୋଜଗାର ପ୍ରଭାବିତ ହେଲା। ତଥାପି ତା’ର ଆଶା ଥିଲା ଅବସ୍ଥାରେ ସୁଧାର ଆସିବ ଓ ସେ ପୂର୍ବ ଭଳି ରୋଜଗାର କରିବ। ମାତ୍ର ପୁଣି କଡ଼ ଲେଉଟାଇଲା କରୋନା। ଏବେ ଦ୍ବିତୀୟ ଲହର ମାଡ଼ି ଚାଲିଛି। ପୁଣି କଟକଣା ବି ଲାଗୁ ହେଲାଣି। ତେଣୁ ଏବେ ଆଉ ସୁଟିଂରୁ ରୋଜଗାର ହେବ ନାହିଁ ବୋଲି ସେ ବୁଝି ଗଲାଣି। ତେଣୁ ଏବେ ଦୁଃଖରେ ଭାଙ୍ଗି ପଡ଼ିଛି କେନିଆ। ଗତବର୍ଷର ତିକ୍ତ ଅନୁଭୂତିକୁ ମନେ ପକାଇ ଆଖିରୁ ଲୁହ ଝରାଉଛି। ପୁଣି ଭୋକ ଉପାସରେ ରାତି କାଟିବାକୁ ପଡ଼ିବ ବୋଲି ଭାବି ବିକଳ୍ପ ରାସ୍ତା ପାଇଁ ସେ ବିକଳ ହୋଇପଡ଼ିଛି। କିନ୍ତୁ ବ୍ୟବସାୟ କରିବାକୁ ହାତରେ ଅର୍ଥ ନାହିଁ। ତଥାପି ଜୀବନ ସଂଗ୍ରାମରେ ହାରି ଯିବନି ବୋଲି କହିଛି କେନିଆ।

ସମ୍ବନ୍ଧିତ ଖବର