ରାଜଧାନୀର ପ୍ରତି ୱାର୍ଡରେ ତିନି ଥର ମଶାମରା ଧୂଆଁ ସ୍ପ୍ରେ ହେବ

ଭୁବନେଶ୍ବର : କରୋନା ମୁକାବିଲା ପାଇଁ ବିଏମ୍‌ସି ପକ୍ଷରୁ ରାଜଧାନୀରେ ସଫେଇ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପ୍ରତି ୱାର୍ଡର ପ୍ରତି ଅଞ୍ଚଳରେ ନିୟମିତ ସଫେଇ କରାଯାଉଥିବା ବେଳେ ଏବେ ଯେପରି ମଶା ଘରେ ନ ପଶିବେ ସେଥିପାଇଁ ବିଏମ୍‌ସି ପକ୍ଷରୁ ମଶାମରା ଧୂଆଁ ସ୍ପ୍ରେ କରାଯାଉଛି। ଦିନକୁ ୧୨ଟି ୱାର୍ଡରେ ମଶାଧୂଆଁ ସ୍ପ୍ରେ କରାଯାଉଥିବା ବେଳେ ପ୍ରତି ୱାର୍ଡରେ ତିନି ଥର ଧୂଆଁ ସ୍ପ୍ରେ କରାଯିବାକୁ ନିଷ୍ପତ୍ତି ହୋଇଛି। ସକାଳ ବେଳା ୫ଟାରୁ ୭ଟା ଏବଂ ସଂଧ୍ୟାରେ ୬ଟାରୁ ୮ଟା ପର୍ଯ୍ୟନ୍ତ ଏହି ଧୂଆଁ ସ୍ପ୍ରେ ହେବ। ଏଥିପାଇଁ ବିଏମ୍‌ସି ପକ୍ଷରୁ ୬ଟି ମେସିନ୍ (ଥର୍ମାଲ୍ ଇଣ୍ଡ୍ୟୁସଡ଼୍ ଫଗ୍ ଆପ୍ଲିକେଟର୍‌) ଏବଂ ଭଡ଼ା ସୂତ୍ରରେ ୪ଟି ମେସିନ୍ ଆଣି ନିୟୋଜିତ କରାଯାଇଛି।

ସୂଚନାଯୋଗ୍ୟ ଯେ, ଏହି ସ୍ପ୍ରେ (ପାଇରେଥ୍ରମ୍ ୨% ଏକ୍ସଟ୍ରାକ୍ଟ/କିଙ୍ଗ୍‌ଫଗ୍‌‌) କେବଳ ମଶା ନିବାରଣ ପାଇଁ କରାଯାଉଛି। ପାଣିରେ ଥିବା ମଶା ଅଣ୍ଡା ବା ଲାର୍ଭା ଓ ପ୍ୟୁପା ଇତ୍ୟାଦି ପାଇଁ ଏହା ପ୍ରଯୁଜ୍ୟ ନୁହେଁ। ଏଥିରେ କେବଳ ଉଡ଼ନ୍ତା ମଶା ମରିବେ। ଯେଉଁ ମଶା ଉଡ଼ୁ ନ ଥିବେ ସେମାନଙ୍କର କିଛି ହେବନି। ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନସୁଦ୍ଧା ୱାର୍ଡ ୧,୨,୩,୪,୫,୭,୮,୯,୧୦,୧୧,୧୨,୧୩,୧୪,୧୫,୧୬,୧୭,୧୮,୧୯,୨୦,୨୧,୨୨,୨୪,୩୧,୩୨,୩୩,୪୪,୫୫,୫୬,୫୭,୫୯,୬୦ ଏବଂ ୬୨ରେ ମଶା ଧୂଆଁ ସ୍ପ୍ରେ ହୋଇଛି। ବିଏମ୍‌ସିର ନଗର ସ୍ବାସ୍ଥ୍ୟ ଅଧିକାରୀ ବସନ୍ତ କୁମାର ମିଶ୍ର ଏବଂ ଡେପୁଟି କମିସନର ପରିମଳ ଶୁଭେନ୍ଦୁ କୁମାର ସାହୁ ଏହାର ପରିଚାଳନା କରୁଛନ୍ତି।

ଅପରପକ୍ଷେ ବିଏମ୍‌ସି ଯେଉଁ ସବୁ ୱାର୍ଡରେ ମଶାଧୂଆଁ ସ୍ପ୍ରେ ହୋଇଛି ବୋଲି କୁହାଯାଉଛି ସେଠାରେ ମଶାଧୂଆଁ ସ୍ପ୍ରେ ହୋଇନି ବୋଲି ଲୋକ କହୁଛନ୍ତି। ତେଣୁ ଯେଉଁମାନେ ଏପରି ଅଭିଯୋଗ କରୁଛନ୍ତି ସେମାନେ ବିଏମ୍‌ସିର ହେଲ୍ପଲାଇନ୍‌ରେ ଅଭିଯୋଗ କଲେ ମଶାଧୂଆଁ ସ୍ପ୍ରେ କରାଯିବ ବୋଲି ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି।

ବାହାରୁ ଆସିଥିବା ଲୋକଙ୍କୁ ନେଇ ଉତ୍ତେଜନା
ବାଲିଅନ୍ତା : ବାଲିଅନ୍ତା ବ୍ଲକ ଅଞ୍ଚଳକୁ ଆଜି ଦେଶ ଓ ବିଦେଶରୁ ୧୦ଜଣ ଲୋକ ଆସିଥିବା ବେଳେ ଏହାକୁ ନେଇ ସମ୍ପୃକ୍ତ ଅଞ୍ଚଳର ୯ଟି ସ୍ଥାନରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। କରୋନା ସଂକ୍ରମଣ ଆଶଙ୍କା କରି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଘୋର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକମାନେ ଏନେଇ ବିଡିଓ, ପୁଲିସ କଣ୍ଟ୍ରୋଲ ରୁମ ଓ ମେଡିକାଲ ଟିମ୍‌କୁ ଫୋନ କରି ଜଣାଇଥିଲେ। ଖବର ପାଇ ତହସିଲଦାର ରଶ୍ମିରେଖା ପ୍ରଧାନ, ବାଲିଅନ୍ତା ବିଡିଓ ଆଦିକନ୍ଦ ବେହେରା, ଥାନା ଅଧିକାରୀ ପ୍ରଦୀପ କୁମାର ରାଉତ ମେଡିକାଲ ଟିମ୍‌ ସହ ସେଠାରେ ପହଞ୍ଚି ବାହାରୁ ଆସିଥିବା ଲୋକମାନଙ୍କ ପ୍ରତି ଘୃଣା ତଥା କୌଣସି ନକାରାତ୍ମକ ମନୋଭାବ ପୋଷଣ ନକରି ଅଧିକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ସଂଧ୍ୟାରେ ବାଲିଅନ୍ତା ପଞ୍ଚାୟତ ସମିତି ସଭା କକ୍ଷରେ ଉପରୋକ୍ତ ଅଧିକାରୀଙ୍କ ଉପସ୍ଥିତିରେ ଖୋର୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତଙ୍କ ସହ ଭିଡିଓ କନଫରେନ୍ସିଂ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ତେବେ ଅତିରିକ୍ତ ତହସିଲଦାର ସରକଣା ସାପ୍ତାହିକ ହାଟରେ ପହଞ୍ଚି ସଂଧ୍ୟା ସାଢ଼େ ୫ଟାରେ ବ୍ୟବସାୟ ବନ୍ଦ କରିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ସୂଚନାଯୋଗ୍ୟ ବାଲିଅନ୍ତା ବ୍ଲକ ଅଞ୍ଚଳକୁ ଏବେ ସୁଦ୍ଧା ୧୦୨ ଜଣ ଲୋକ ଦେଶ ଓ ବିଦେଶରୁ ଆସିଥିବା ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ବ୍ଲକ ପ୍ରଶାସନ ତଥା ଥାନା ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର