କାୟା ବିସ୍ତାର କରୁଛି ଡେଙ୍ଗୁ, ୱାର୍ଡରୁ ୱାର୍ଡ ଡେଉଁଛି

ଚନ୍ଦ୍ରଶେଖରପୁର: ରାଜଧାନୀରେ ଡେଙ୍ଗୁ ମୁଣ୍ଡ ନେବା ପରେ ସମସ୍ତଙ୍କ ନିଦ ଭାଙ୍ଗିଛି। ସ୍ବାସ୍ଥ୍ୟ ଅଧିକାରୀଙ୍କଠାରୁ ଆରମ୍ଭ କରି ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ବାବୁଙ୍କ ପର୍ଯ୍ୟନ୍ତ ଆଜି ତତ୍ପର ହୋଇ ଉଠିଛନ୍ତି। ବିଏମ୍‌ସି‌ କାର୍ଯ୍ୟାଳୟରେ ଘନ ଘନ ବୈଠକ ବସିଛି। ଡାକ୍ତରୀ ଦଳକୁ ଡାକି ଆଲୋଚନା ପର୍ଯ୍ୟାଲୋଚନା କରାଯାଇଛି। ବିଏମ୍‌ସି ମେୟର ସୁଲୋଚନା ଦାସ ସକାଳୁ ସକାଳୁ ନିଜ ଟିମ୍‌କୁ ଧରି ଡେଙ୍ଗୁ ଅଞ୍ଚଳ ପରିଦର୍ଶନ କରି ସ୍ଥିତିର ଅନୁଧ୍ୟାନ କରିଛନ୍ତି। ଡମଣା, ଶ୍ରୀବିହାର ଅଞ୍ଚଳରେ ମଶା ତେଲ ଛିଞ୍ଚନ ଆରମ୍ଭ ହୋଇଛି। ମାତ୍ର ତାହା ସମୁଦ୍ରକୁ ଶଙ୍ଖେ। ସେପଟେ ଡେଙ୍ଗୁ ମୃତ୍ୟୁକୁ ନେଇ ତନାଘନା ଆରମ୍ଭ ହୋଇଥିବା ବେଳେ ନମୁନା‌ ଟେଷ୍ଟିଂ ପାଇଁ ସରକାରୀ ମେଡିକାଲରେ ମାଗଣା ସୁବିଧା ଉପଲବ୍ଧ କରାଇବା ଉପରେ ବିଏମ୍‌ସି ଗୁରୁତ୍ବ ଦେଇଛି। ଏନେଇ ସ୍ବାସ୍ଥ୍ୟ ବିଭାଗ ସହ ଆଲୋଚନା କରାଯାଇଥିବା ମେୟର ଶ୍ରୀମତୀ ଦାସ କହିଛନ୍ତି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଡେଙ୍ଗୁ ଏବେ ଭୁବନେଶ୍ବରର କେତେ ଅଞ୍ଚଳ ବ୍ୟାପିଲାଣି ସେନେଇ କାହା ପାଖରେ ଖବର ନାହିଁ। ୩ ନମ୍ବର ୱାର୍ଡର ଡମଣା ଓ ଶ୍ରୀବିହାର ଅଞ୍ଚଳରେ ଆକ୍ରାନ୍ତ ବଢ଼ୁଥିବା ନେଇ ଖବର ଆସୁଥିଲା। ମାତ୍ର ଗତକାଲି ନୀଳାଦ୍ରିବିହାର ଅଞ୍ଚଳର ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କର ଡେଙ୍ଗୁରେ ମୃତ୍ୟୁ ହେବା ପରେ ଏହି ରୋଗ ୧୪ ନମ୍ବର ୱାର୍ଡରେ ବ୍ୟାପୁଥିବା ନେଇ ଆଶଙ୍କା କରାଯାଇଛି। କେବଳ ସେତିକି ନୁହେଁ, ବିଏମ୍‌ସି ମେୟର ଶ୍ରୀମତୀ ଦ‌ାସ ଆଜି କହିଛନ୍ତି ଯେ ବର୍ତମାନ ସୁଦ୍ଧା ସରକାରୀ ଭାବେ ଭୁବନେଶ୍ବରରୁ ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩ ନମ୍ବର ୱାର୍ଡରୁ ଜଣେ ଏବଂ ଅନ୍ୟ ଜଣକ ୮ ନମ୍ବର ୱାର୍ଡରୁ ଚିହ୍ନଟ ହୋଇଛନ୍ତି। ଯେଉଁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ସେ ଘରୋଇ ହସ୍ପିଟାଲରେ ପରୀକ୍ଷା କରିଥିଲେ। ସରକାରୀ ଭାବେ କୌଣସି ରିପୋର୍ଟ ନାହିଁ। ଅନୁଧ୍ୟାନ ଲାଗି ସ୍ବାସ୍ଥ୍ୟ ବିଭାଗକୁ କୁହାଯାଇଛି। ରିପୋର୍ଟ ଆସିବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ଯାହା କିଛି କୁହାଯାଇପାରିବ ବୋଲି ସେ ‘ସମ୍ବାଦ’କୁ କହିଛନ୍ତି। ଯଦି ଦେଖାଯାଏ ଏବେ ସୁଦ୍ଧା ୩ଟି ୱାର୍ଡରେ ଡେଙ୍ଗୁ ନିଜର ସ୍ଥିତି ଜାହିର କରିଛି। ଉକ୍ତ ତିନି ୱାର୍ଡ ମଧ୍ୟ ଭାଗରେ ଥିବା ବାକି ଦୁଇଟି ୱାର୍ଡ ଯଥା ୬ ଓ ୭ ନମ୍ବର ୱାର୍ଡରେ ବି ଡେଙ୍ଗୁ ସଂକ୍ରମଣ ବ୍ୟାପିବା ନେଇ ଆଶଙ୍କା ପ୍ରକା‌ଶ ପାଇଛି। କାରଣ ଗତବର୍ଷ ବି ଉକ୍ତ ୫ଟି ୱାର୍ଡରେ ହିଁ ସବୁଠାରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ।

ୱାର୍ଡ ୩, ୮, ୧୪ରେ ଆକ୍ରାନ୍ତ ଚିହ୍ନଟ
ବିଏମ୍‌ସି ନିଦ ଭାଙ୍ଗିଲା, ବୁଲିଲେ ମେୟର
ମଶା ତେଲ ସମୁଦ୍ରକୁ ଶଙ୍ଖେ
ସରକାରୀ ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ

ମେୟର ଶ୍ରୀମତୀ ଦାସ ଆଜି ୱାର୍ଡ ନଂ ୩ର ଶୈଳଶ୍ରୀବିହାର, ନିଳାଦ୍ରୀବିହାର, ଡମଣା ଗାଁ ଓ ଶ୍ରୀବିହାର ଅଞ୍ଚଳ ବୁଲିଛନ୍ତି। ନାଳ ନର୍ଦ୍ଦମା ଦେଖିବା ସହ ପରିମଳ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ତାଙ୍କ ସହ ଭୁବନେଶ୍ବର ଉତ୍ତର ଜେଡିସି ପୁରନ୍ଦର ନନ୍ଦ, ବିଏମ୍‌ସି ସ୍ବାସ୍ଥ୍ୟ ଅଧିକାରୀ ମଧ୍ୟ ଉକ୍ତ ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ମେୟରଙ୍କ କହିବା କଥା ହେଲା ଡେଙ୍ଗୁ ରୋକିବାକୁ ଲୋକଙ୍କୁ ସଚେତନ କରିଛୁ। ବହୁ ଲୋକେ ଘର ଆଗରେ ପାଣି କୁଣ୍ଡ ରଖାଯାଇଛି, ଅଭଡ଼ା କୁଡ଼ୁଆରେ ପାଣି ଜମି ରହିଛି, ଛାତ ଉପରେ ଟାୟାର ରଖିଛନ୍ତି, ଭଙ୍ଗା ଡବା ରଖିଥିବା ଦେଖିବାକୁ ପାଇଲୁ। ସେଗୁଡ଼ିକୁ ତୁରନ୍ତ ହଟାଇବା ସହ ସଫେଇ କରିବାକୁ ଲୋକଙ୍କୁ ସଚେତନ କରାଇଛୁ। ଆଜିଠାରୁ ମଶା ‌ତେଲ ସ୍ପ୍ରେ ଆରମ୍ଭ ହୋଇଛି। ମଶା ଧୂଆଁ ଛାଡ଼ିବା ନେଇ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏବେ କେତେ ରୋଗୀ ଚିହ୍ନଟ ହୋଇଛନ୍ତି ସେଥିପ୍ରତି ଗୁରୁତ୍ବ ଦେଉନୁ। ବରଂ ବର୍ଷା ଦିନ ଆସୁଥିବାରୁ ଆଗକୁ ଯେପରି ସଂକ୍ରମଣ ନ ବଢ଼େ ସେଥିପ୍ରତି ଆମର ଗୁରୁତ୍ବ ଦେବାକୁ ପଡ଼ିବ। ଲୋକେ ସଚେତନ ହେଲେ ଡେଙ୍ଗୁ ରୋଗକୁ ରୋକିପାରିବା ବୋଲି ସେ କହିଛନ୍ତି।

ଡମଣା ଗାଁରେ ଡେଙ୍ଗୁ ସଂକ୍ରମଣ ଶୀର୍ଷରେ ପହଞ୍ଚିଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଚାଲିଛି। ସେମାନଙ୍କ ଅଭିଯୋଗ ହେଉଛି ଯେ ଘରେ ଘରେ ଏବେ ଡେଙ୍ଗୁ ରୋଗୀ। ଏବେ ସୁଦ୍ଧା‌ ୪୦୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି। ବହୁ ଆକ୍ରାନ୍ତ ଘରେ ଚିକିତ୍ସିତ ହେଉଥିବା ବେଳେ କିଛି ଜଣ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ୪ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଗ୍ରାମବାସୀ କହିଛନ୍ତି। ସେପଟେ ୩ ନମ୍ବର ୱାର୍ଡ କର୍ପୋରେଟର ଲକ୍ଷ୍ମୀପ୍ରିୟା ବେହେରା ଆଜି ବି ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଲୋକଙ୍କ ଘରକୁ ଘର ବୁଲି ବୁଝାଉଛନ୍ତି। ଅଳିଆ ଅବର୍ଜନା ନ ରଖିବାକୁ ପରାମର୍ଶ ଦେଇଛନ୍ତି। ସକାଳୁ ବିଏମ୍‌ସି ପକ୍ଷରୁ ମଶା ତେଲ ପକା କାର୍ଯ୍ୟ ଚାଲିଛି। ତାହା ଠିକ୍‌ ଭାବେ ହେଉଛି କି ନାହିଁ ସେନେଇ କର୍ପୋରେଟର ତଦାରଖ କରିଛନ୍ତି।

କ୍ୟାପିଟାଲ ହସ୍ପିଟାଲରେ ପ୍ରସ୍ତୁତି

ଦିନକୁ ଦିନ ରାଜଧାନୀରେ ଡେଙ୍ଗୁ ବ୍ୟାପିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ହସ୍ପିଟାଲ‌ରେ ଡେଙ୍ଗୁ ରୋଗୀଙ୍କ ପାଇଁ ୧୦ଟି ଶଯ୍ୟା ସଂରକ୍ଷଣ ବ୍ୟବସ୍ଥା କରାଯାଇଛି। ଏହା ସହ ପର୍ଯ୍ୟାପ୍ତ ପରିମାଣରେ ‌ଔଷଧ, ଟ‌ିକ‌ା ଗଚ୍ଛିତ ରଖାଯାଇଛି। ରକ୍ତଭଣ୍ଡାରରେ ମଧ୍ୟ ଡେଙ୍ଗୁ ଗୁରୁତର ରୋଗୀଙ୍କ ପାଇଁ ପ୍ଲାଜ୍‌ମ‌ା ଗଚ୍ଛିତ ରଖାଯାଇଛି। ଡେଙ୍ଗୁ ପରୀକ୍ଷା ପାଇଁ ଜଣେ ସ୍ବତନ୍ତ୍ର ଲାବରୋଟାରି ଟେକ୍ନିସିଆନ୍‌ଙ୍କୁ ଦାୟିତ୍ବ ଦିଆଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ହସ୍ପିଟାଲରେ କେହି ଡେଙ୍ଗୁ ଗୁରୁତର ରୋଗୀ ଭର୍ତ୍ତି ହୋ‌ଇ ନଥିବା‌ ହସ୍ପିଟାଲର ଉପଅଧୀକ୍ଷକ ଧନଞ୍ଜୟ ଦାଶ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର