ସ୍ମାର୍ଟ ସିଟି କାର୍ଯ୍ୟ ତ୍ୱରାନ୍ଵିତ ହେବ : ଏସ୍‌ପିଭିକୁ ମିଳିଲା ପୂର୍ଣ୍ଣ କ୍ଷମତା

ଭୁବନେଶ୍ୱର : ଆସନ୍ତା ୧୦ତାରିଖ ସୁଦ୍ଧା ଦେଶର ସମସ୍ତ ସ୍ମାର୍ଟ ସିଟିର ରେଟିଂ ପ୍ରକ୍ରିୟା ଆରମ୍ଭ ହେବ। ଏଥିରେ କେଉଁ ସ୍ମାର୍ଟ ସିଟି କେତେ ଆଗେଇଛନ୍ତି, କେତୋଟି ପ୍ରକଳ୍ପ ଆରମ୍ଭ କରିଛନ୍ତି ଓ କେତୋଟି ଶେଷ କରିଛନ୍ତି ତା’ର ସମୀକ୍ଷା ହେବ। ଏପରିକି ଯେଉଁ ସ୍ମାର୍ଟ ସିଟିରେ ସ୍ଥାୟୀ ସିଇଓ ନଥିବେ, ଆବଶ୍ୟକୀୟ ବୋର୍ଡ ଅଫ୍‌ ଡାଇରେକ୍ଟରର୍ସ ନଥିବେ ସେଗୁଡ଼ିକର ରେଟିଂ କମିବ ବୋଲି ସ୍ମାର୍ଟ ସିଟି ମିସନ ପକ୍ଷରୁ ସୂଚନା ମିଳିବା ପରେ ରାଜ୍ୟ ସରକାର ତତ୍ପର ହୋଇଛନ୍ତି। ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ଵିତ କରିବା ପାଇଁ ଏସ୍‌ପିଭିକୁ ପୂର୍ଣ୍ଣ କ୍ଷମତା ଦେବା ସହ ନିଯୁକ୍ତି ପ୍ରକ୍ରିୟା ଜୋରଦାର୍‌ କରିଛନ୍ତି।

ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ୍‌ର ସିଇଓ ଭାବେ ମନୀଷା ବାନାର୍ଜୀଙ୍କୁ ସ୍ଥାୟୀ ନିଯୁକ୍ତି ମିଳିଛି। ସେ ସିଇଓ ଭାବେ କାର୍ଯ୍ୟ କରୁଥିଲେ ହେଁ ଅତିରିକ୍ତ ଦାୟିତ୍ୱରେ ଥିଲେ। ତାଙ୍କର ମୂଳ ପଦବି ରାଉରକେଲା ଏଡିଏମ୍‌ ଥିଲା। ଏହାସହ ସେ ରାଉରକେଲା ମହାନଗର ନିଗମର କମିସନର ଭାବେ ବି କାର୍ଯ୍ୟ କରୁଛନ୍ତି। ଆଜିର ନିଯୁକ୍ତି ପରେ ରାଉରକେଲା ଏଡିଏମ୍‌ ଏବଂ କମିସନର ଭାବେ ସେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ଅପରପକ୍ଷେ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ ପାଇଁ ରାଜ୍ୟ ସରକାର ଯେପରି ତତ୍ପରତା ଦେଖାଉଛନ୍ତି ରାଉରକେଲା କ୍ଷେତ୍ରରେ ସେହିପରି ଦେଖାଉ ନ ଥିବା ଅଭିଯୋଗ ହେଉଛି। ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡରେ ବହୁ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତି ମିଳିଥିବାବେଳେ ରାଉରକେଲା ପାଇଁ ୨୦୧୩ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀଙ୍କ ଉପରେ ପୂରା ଦାୟିତ୍ୱ ଛାଡ଼ି ଦିଆଯାଇଛି। ଏପରିକି ଅନ୍ୟାନ୍ୟ ପଦବି, ବୋର୍ଡ ଅଫ୍‌ ଡାଇରେକ୍ଟରର୍ସରେ ବହୁ ପଦବି ଖାଲି ଥିବାବେଳେ ଏହାକୁ ପୂରଣ କରାଯାଉନି। ଯେଉଁଥିପାଇଁ ଏବେ ସ୍ମାର୍ଟ ସିଟି ରାଉରକେଲା ପୂରା ପଛେଇ ଯାଇଛି।

ଅପରପକ୍ଷେ ରାଜ୍ୟର ଦୁଇଟି ଯାକ ସ୍ମାର୍ଟ ସିଟିର କାର୍ଯ୍ୟ ଆଶାନୁରୂପ ଆଗେଇ ନଥିବାବେଳେ ଏହାକୁ ତ୍ୱରାନ୍ଵିତ କରିବା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଦୁଇଟି ଯାକ ସ୍ମାର୍ଟ ସିଟିର ସ୍ପେସାଲ ପରପୋଜ୍‌ ଭେଇକିଲ୍‌ (ଏସ୍‌ପିଭି)କୁ ପୂର୍ଣ୍ଣ କ୍ଷମତା ପ୍ରଦାନ କରାଯାଇଛି। ଏଣିକି ସବୁ ପ୍ରକଳ୍ପର ପ୍ରଶାସନିକ ମଞ୍ଜୁରୀ ଏସ୍‌ପିଭି କରିପାରିବ। ଆଉ ମୁଖ୍ୟମନ୍ତ୍ରୀ କି କ୍ୟାବିନେଟ୍‌ ଅନୁମତି ପାଇଁ ପଠାଇବାକୁ ପଡ଼ିବନି। ପୂର୍ବରୁ ୧୦୦କୋଟିରୁ ଅଧିକ ବଜେଟ୍‌ର ପ୍ରକଳ୍ପଗୁଡ଼ିକ ପାଇଁ ମୁଖ୍ୟମନ୍ତ୍ରୀ ଓ କ୍ୟାବିନେଟର ମଞ୍ଜୁରୀ ନେବାକୁ ପଡ଼ୁଥିବାବେଳେ ଏବେ ଏହାକୁ ବାଦ୍‌ ଦିଆଯାଇଛି। ସବୁ ପ୍ରକଳ୍ପକୁ ଏସ୍‌ପିଭି ଅନୁମତି ଦେବା ପରେ ଏହାକୁ କେବଳ ମୁଖ୍ୟମନ୍ତ୍ରୀଙ୍କ ଅବଗତି ନିମନ୍ତେ ଉପସ୍ଥାପନ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ସମସ୍ତ ଟେଣ୍ଡର ଆହ୍ଵାନ, ଅନୁମୋଦନ ଏସ୍‌ପିଭି କରିପାରିବ। ପିପିପି ପ୍ରକଳ୍ପଗୁଡ଼ିକ ଇସିଆଇ କମିଟି ଆଗରେ ଉପସ୍ଥାପନ କରାଯିବ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସଚିବ ଜି.ମାଥିଭାଥନନ୍‌ ବିଜ୍ଞପ୍ତି ଜାରି କରିଛନ୍ତି।

ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡର ବୋର୍ଡ ଅଫ୍‌ ଡାଇରେକ୍ଟରର୍ସରେ ତିନି ଜିଣ ଆଇଏଏସ୍‌ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। ସେମାନେ ହେଲେ ପର୍ଯ୍ୟଟନ ବିଭାଗ ପ୍ରମୁଖ ସଚିବ ମୋନା ଶର୍ମା, ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ ସଚିବ ଶୁଭା ଶର୍ମା, ମହିଳା ଓ ଶିଶୁ ବିକାଶ ବିଭାଗ ସଚିବ ଚିତ୍ରା ଅରୁମୁଗମ୍‌, ଜାତୀୟ ସ୍ୱାସ୍ଥ୍ୟ ମିସନ୍‌ର ମିସନ୍‌ ନିର୍ଦ୍ଦେଶିକା ଶାଲିନୀ ପଣ୍ଡିତଙ୍କୁ ସାମିଲ୍‌ କରାଯାଇଛି। ଏହାବାଦ୍‌ ସ୍ୱାଧୀନ ନିର୍ଦ୍ଦେଶକ ଭାବେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ପଦ୍ମଜା ମିଶ୍ରଙ୍କୁ ନିଯୁକ୍ତି ଦିଆଯାଇଛି।

ସମ୍ବନ୍ଧିତ ଖବର