ପଲିଥିନ୍‌ ବନ୍ଦ : ପୁଣି ହେଲା ଚଢ଼ଉ, ଆଜିଠୁ ସହରରେ ବୁଲିବ ଦୁଇଟି ସ୍କ୍ବାଡ୍‌

ଭୁବନେଶ୍ବର : ପଲିଥିନ୍‌ ଓ ପ୍ଲାଷ୍ଟିକ୍‌ ବ୍ୟବହାରକାରୀଙ୍କ ବି‌ରୋଧରେ ଏଣିକି ହେବ କାର୍ଯ୍ୟାନୁଷ୍ଠାନ। ଭୁବନେଶ୍ବରରେ ୪ ମାସ ହେଲା ଚଢ଼ଉ ବନ୍ଦ ହେବା ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ଚେଇଁ ଉଠିଛି। ଚଢ଼ଉ ଲାଗି ସଜବାଜ ଆରମ୍ଭ ହୋଇଛି। ଏଥିପାଇଁ ଦୁଇଟି ସ୍କ୍ବାଡ୍ ଗଠନ ହୋଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, କମିସନରେଟ୍‌ ପୁଲିସ, ଜଙ୍ଗଲ ବିଭାଗ ଓ ବିଏମ୍‌ସି ଅଧିକାରୀମାନଙ୍କୁ ନେଇ ଏହି ସ୍କ୍ବାଡ୍‌ କରାଯାଇଛି। ଶୁକ୍ରବାରଠାରୁ ସହରର ସବୁ ଅଞ୍ଚଳରେ ଚଢ଼ଉ ଜୋରଦାର ହେବ। ଏନେଇ ଆଜି ସହରର ଅଧିକାଂଶ ସ୍ଥାନରେ ବ୍ୟବସାୟୀ ଓ ଗ୍ରାହକଙ୍କୁ ସଚେତନ କରାଯାଇଛି। ରାତି ପ୍ରାୟ ୯ଟା ବେଳେ ଡମଣା ହାଟରେ ଚଢ଼ଉ କରାଯାଇଥିବା ସୂଚନା ମିଳିଛି। ପଲିଥିନ୍‌ରେ ଜିନିଷପତ୍ର ନ ଦେବା ପାଇଁ ବ୍ୟବସାୟୀଙ୍କୁ ତାଗିଦ୍‌ କରାଯାଇଛି। ଅନେକ ବ୍ୟବସାୟୀଙ୍କଠାରୁ ପଲିଥିନ୍ ବ୍ୟାଗ୍ ମଧ୍ୟ ଜବତ ହୋଇଛି।

ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି, ଯେ ପଲିଥିନ୍ କଟକଣା ଉଲ୍ଲଂଘନକାରୀଙ୍କ ପାଇଁ ପୂର୍ବରୁ ଧାର୍ଯ୍ୟ କରାଯାଇଥିବା ଜରିମାନା ପରିମାଣକୁ ପୁଣିଥରେ ଲାଗୁ କରାଯିବ। କେହି ନିଜ ଘରେ ପଲିଥିନ ବ୍ୟବହାର କରୁଥିବା ନଜରକୁ ଆସିଲେ ଜରିମାନା ଗଣିବେ। ମିଠା, ସ୍ନାକ୍ସ, ଫାଷ୍ଟଫୁଡ୍, ଆଇସକ୍ରିମ୍ ଦୋକାନୀ, ଉଠା ଦୋକାନୀ, ପରିବା ଦୋକାନୀ, ମାଂସ ଦୋକାନୀ ଓ ଘରେ ବ୍ୟବହୃତ ସମସ୍ତ ଶିଳ୍ପ ସାମଗ୍ରୀ ବ୍ୟବସା‌ୟୀ ପଲିଥିନ୍/ପ୍ଲାଷ୍ଟିକ୍ ସାମଗ୍ରୀ ବ୍ୟବହାର କରୁଥିଲେ ଜରିମାନା ସହ ଫୌଜଦାରୀ ମାମଲା ରୁଜୁ ହେବ। ଟ୍ରେଡ୍‌ ଲାଇସେନ୍ସ ମଧ୍ୟ ବାତିଲ ହୋଇପାରେ। ରେଷ୍ଟୁରାଣ୍ଟରେ ପଲିଥିନ୍‌ ବ୍ୟବହାର ‌ହେଉଥିଲେ ପୂର୍ବ ନିଷ୍ପତ୍ତି ଅନୁଯାୟୀ ଜରିମାନା ଆଦାୟ କରାଯିବ। ଫୌଜଦାରୀ ମାମଲା ବି ହେବ। ସ୍କୁଲ, କଲେଜ୍, ଧାର୍ମିକ ଅନୁଷ୍ଠାନ, ସରକାରୀ ଓ ବେସରକାରୀ ସଂସ୍ଥାଗୁଡ଼ିକ ଲାଗି ବି ଜରିମାନା ଲାଗୁ ହେବ।

କଟକଣା ଅନୁସାରେ କୌଣସି ବ୍ୟକ୍ତି ପ୍ଲାଷ୍ଟିକ ଦ୍ରବ୍ୟ ବିକ୍ରି, ବ୍ୟବସାୟ, ଉତ୍ପାଦନ କିମ୍ବା ଆମଦାନି କରିପାରିବେ ନାହିଁ। ଜିନିଷପତ୍ର ନେବା ଆଣିବା, ପରିବହନ କ୍ଷେତ୍ରରେ ମଧ୍ୟ ଏହାର ବ୍ୟବହାର ହେବନି। କେବଳ ମାଟିରେ ନଷ୍ଟ ହୋଇପାରୁଥିବା ମାନର ପ୍ଲାଷ୍ଟିକ୍‌ ବ୍ୟାଗ୍‌ ବ୍ୟବହାର କରିହେବ। ପାଣିବୋତଲ, ଥର୍ମୋକୁଲ, ପ୍ଲାଷ୍ଟିକ୍‌ ପ୍ରସ୍ତୁତ ଥାଳି, ଚାମଚ, କପ୍, ପ୍ଲେଟ୍, ଗ୍ଲାସ୍, ଷ୍ଟ୍ର, ପାଉଚ୍ ଓ ଅନ୍ୟ ତରଳ ପଦାର୍ଥ ରହୁଥିବା କଣ୍ଟେନର୍‌ ମଧ୍ୟ ବ୍ୟବହାର କରାଯିବନି। ସାମଗ୍ରୀ ସଂରକ୍ଷଣ, ପରିବହନ, ପ୍ୟାକେଜିଂ ପାଇଁ ବ୍ୟବହୃତ ୫୦ ମାଇକ୍ରନ୍‌ଠୁ ଅଧିକ ମୋଟେଇ ଥିବା ପଲିଥିନ୍ କିମ୍ବା ବିକ୍ରି ପାଇଁ ଉଦ୍ଦିଷ୍ଟ ଖାଦ୍ୟ ଓ ପାନୀୟ ରହୁଥିବା ପ୍ଲାଷ୍ଟିକ୍ ବ୍ୟବହାର କରିବା ଉପରେ କଟକଣା ରହିବ ନାହିଁ।

ଶୁକ୍ରବାରଠାରୁ ଚଢ଼ଉ ହେବାକୁ ଥିବାରୁ ଆଜି ବିଏମ୍‌ସି ପକ୍ଷରୁ ସହିଦନଗର, ୟୁନିଟ୍‌-୪, ୟୁନିଟ୍‌-୧, ୟୁନିଟ୍‌-୨, ନୟାପଲ୍ଲୀ, ଚନ୍ଦ୍ରଶେଖରପୁର, ଡମଣା, ପଟିଆ, କଟକ ‌ରୋଡ୍‌, ରସୁଲଗଡ଼ ଆଦି ଅଞ୍ଚଳରେ ମାଇକ୍‌ ‌ଯୋଗେ ପ୍ରଚାର ଓ ବ୍ୟବସାୟୀଙ୍କୁ ସଚେତନ କରାଯାଇଛି। ସ୍ପଷ୍ଟ ଭାବେ କୁହାଯାଇଛି ଯେ ଚଢ଼ଉ ସମୟରେ ସ୍କ୍ବାଡ୍‌ ପକ୍ଷରୁ ବନ୍ଦ ହୋଇଥିବା ପ୍ଲାଷ୍ଟିକ୍‌/ପଲିଥିନ୍‌ ସମାଗ୍ରୀ ଜବତ କରାଯିବ। ଜରିମାନା ଆଦାୟ ହେବ। କାରଣ ଦର୍ଶଅ ନୋଟିସ୍‌ ବି ଜାରି ହୋଇପାରେ।

ସମ୍ବନ୍ଧିତ ଖବର