ରାଜଧାନୀ ଆଉ ୩ ସ୍କୁଲରେ ବସ୍ତାନି ଓଜନ ଯାଞ୍ଚ

ଭୁବନେଶ୍ବର : ରାଜଧାନୀରେ ଥିବା ଇଂରାଜୀ ମାଧ୍ୟମ ବିଦ୍ୟାଳୟଗୁଡ଼ିକର ଛାତ୍ରଛାତ୍ରୀଙ୍କ ବସ୍ତାନି ଯାଞ୍ଚ ଜାରି ରହିଛି। ଗତକାଲି ୬ଟି ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଯାଞ୍ଚ ହୋଇଥିବା ବେଳେ ଆଜି ଆଉ ୩ଟି ସ୍କୁଲକୁ ଗସ୍ତ କରିଥିଲା ସ୍କ୍ବାଡ୍‌। ଖୋର୍ଧା ଜିଲ୍ଲା ପ୍ରକଳ୍ପ ସଂଯୋଜକ ଅମିତା ପଟ୍ଟନାୟକଙ୍କ ନେତୃତ୍ବରେ ଗଠିତ ଟିମ୍‌ ମଦର ପବ୍ଲିକ ସ୍କୁଲ, ବିଜେଇଏମ୍‌ ସ୍କୁଲ ଓ ଜାଭିଅର ସ୍କୁଲ, କେଦାରଗୌରୀକୁ ଗସ୍ତ କରିଥିଲେ। ସ୍କ୍ବାଡ୍‌ର ସଦସ୍ୟମାନେ ଓଜନ ମପା ଯନ୍ତ୍ର ଧରି ପ୍ରତି କ୍ଲାସର ଛାତ୍ରଛାତ୍ରୀଙ୍କ ବ୍ୟାଗ୍‌ଗୁଡ଼ିକୁ ଯାଞ୍ଚ କରିଥିଲେ। ଅଳ୍ପ କିଛି ଛାତ୍ରଛାତ୍ରୀ ନିର୍ଦ୍ଧାରିତ ଓଜନଠାରୁ ଅଧିକ ବହି ଓ ଖାତା ଆଣିଥିବା ଦେଖିବାକୁ ମିଳିଥିଲା। ଅଭିଭାବକଙ୍କ ଅସାବଧାନତା ଯୋଗୁଁ ପିଲାମାନେ ବହୁ ଖାତା ବହି ଆଣି ବିଦ୍ୟାଳୟକୁ ଆସୁଛନ୍ତି। ତେଣୁ ପ୍ରଥମେ ଅଭିଭାବକଙ୍କୁ ସଚେତନ କରିବାକୁ ନିଷ୍ପତ୍ତି ହୋଇଥିଲା। ପିଲାମ‌ାନେ ଯେପରି ଅଧିକ ବହି ନ ଆଣନ୍ତି ସେନେଇ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ଉପରେ ସ୍କ୍ବାଡ୍‌ ସଦସ୍ୟମାନେ ଗୁରୁତ୍ବାରୋପ କରିଥିଲେ।

ସମ୍ବନ୍ଧିତ ଖବର